Raja Parba 2024: ଆପଣ ଯଦି ପୂରା ରଜଗୀତ ଜାଣି ନାହାନ୍ତି ତେବେ ପଢ଼ନ୍ତୁ…

ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡ଼ିଶାର ଜନ ଜୀବନ। ପ୍ରତ୍ୟେକ ପର୍ବ ପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡିବ। ଆପଣ ଯଦି ଏହି ପୂରା ଗୀତ ଜାଣିବାକୁ ଚାହାନ୍ତି ତେବେ ଦେଖନ୍ତୁ।

ଆପଣ ଯଦି ପୂରା ରଜଗୀତ ଜାଣି ନାହାନ୍ତି ତେବେ ଦେଖନ୍ତୁ…

ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡ଼ିଶାର ଜନ ଜୀବନ। ପ୍ରତ୍ୟେକ ପର୍ବ ପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡିବ। ବିନା ରଜଗୀତରେ ରଜ ମଉଜ ଫିକା। ରଜଗୀତ ଓଡ଼ିଶାର ପୁରପଲ୍ଲୀରେ ବେଶ ପରିଚିତ। ଏହି ଲୋକ ଗୀତକୁ ପିଢି ପରେ ପିଢି ବଞ୍ଚେଇ ରଖିଛନ୍ତି।

ତେବେ ଏହି ଗୀତର ପ୍ରକୃତ ରଚୟିତା କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନି। କିନ୍ତୁ ଏହି ଗୀତର ପ୍ରଥମ ଧାଡି ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ଏହା ସହ କିଏ ବା ପରିଚିତ ନୁହେଁ। ତେବେ ଏହି ଗୀତରେ ସମୁଦାୟ ୩୭ଟି ପଦ ଥିବାବେଳେ ସବୁ ପଦଗୁଡିକ ଓଡ଼ିଶାର ସାମାଜିକ ଜୀବନ, ଗ୍ରାମୀୟ ଚଳଣୀ, ଲୋକ କଳା ଓ ଲୋକ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡିତ।

ଲୋକ ମୁଖରେ ବୋଲାଯାଉଥିବା ଏହି ଗୀତ ପରବର୍ତ୍ତୀ ସମୟରେ ଲିପିବଦ୍ଧ ହୋଇଥିଲା। ମୁଦ୍ରିତ ପୁରାତନ ପ୍ରକାଶନଗୁଡ଼ିକ ମଧ୍ୟରୁ ୧୯୪୯ ମସିହାରେ ପ୍ରକାଶିତ ‘ପହିଲି ରଜ ’ ଓ ୧୯୫୨ ମସିହାରେ ପ୍ରକାଶିତ ମାଗୁଣୀ ମହାପାତ୍ରଙ୍କ ‘ରେକର୍ଡ଼ ରଜଦୋଳି ଗୀତ’ ଅନ୍ୟତମ।

ଅଧିକ ପଢ଼ନ୍ତୁ: Raja Parba 2024: ପିଠାର ପର୍ବ ରଜ; ଜାଣନ୍ତୁ କିପରି ତିଆରି କରିବେ ସ୍ୱାଦିଷ୍ଟ ପୋଡ଼ପିଠା

ଆଜିକାଲି ପ୍ରାୟ ଆଧୁନିକ ପିଲାମାନେ ଏହି ପୂରା ଗୀତକୁ ଜାଣନ୍ତି ନାହିଁ। ଆପଣ ଯଦି ଏହି ପୂରା ଗୀତ ଜାଣିବାକୁ ଚାହାନ୍ତି ତେବେ ଦେଖନ୍ତୁ।

ରଜଦୋଳି ଗୀତ:

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜାରେ, ସେ ସିନା ମୋମନ ରଜା।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ।
ଥୋଡ଼ମଞ୍ଜା କଲି ରାଇ, କ’ଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ।
ଅଦିନେ ପଣସ ସିଠା, ବଚନରେ ଯାର ନଥାଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା।
ମଇଁଷି ଶିଙ୍ଗରେ ଖସା, ମଉସା ପୁଅଟା ଏଡ଼େ ସହସା ଲୋ, ମତେ କଲା ଲୋକହସା।
ଜାରା ମାରିଦେଲା ବାଣ, ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତା’ର ଗୁଣ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ।
କାଳୀଗାଇ ଦୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି।