ଆସ୍ଥା ଓ ବିଶ୍ୱାସର ଭିନ୍ନ ପରମ୍ପରା, ବିରିପାଣିଙ୍କୁ ଆରାଧନା କରି ବୃଷ୍ଟିପାତର ଆକଳନ

ବିଶ୍ୱାସ ବଳରେ ବାରିହୁଏ ପାଣିପାଗର ସ୍ଥିତି । ଚାଷ ଅନୁକୂଳ ପାଇଁ ଧାର୍ଯ୍ୟ ହେଉଛି ସମୟ ।

rituals at Maa Biripani temple

ବଣ ପାହାଡ଼ରେ ମନ୍ତ୍ରମୁଗ୍ଧ କରୁଛି ବିଶ୍ୱାସର ମହୁରୀ...ଆଦିବାସୀଙ୍କୁ ଆହ୍ୱାନ କରୁଛି ତାଳ ଦେଇ ବାଜୁଥିବା ନାଗରା ଯୋଡ଼ି...କାହା ହାତରେ କୁକୁଡ଼ା ଆଉ ବୋଦା ତ ଆଉ କାହା ହାତରେ ଫୁଲ ପ୍ରସାଦର ଚାଙ୍ଗୁଡ଼ି...ଡହ ଡହ ଖରା ଆଉ ଆକ୍ତାମାକ୍ତା ଗୁଳୁଗୁଳି ଭିତରେ ଆସ୍ଥା କହୁଛି ବଣପାହାଡ଼ ଘେରା ଆଦିବାସୀ ବହୁଳ କୋରାପୁଟ ଅଞ୍ଚଳର ପ୍ରାଚୀନ କାହାଣୀ...କାହାଣୀ ତ ନୁହେଁ, ଏହା ଆଦ୍ୟ ପରମ୍ପରାର ଏକ ଭିନ୍ନ ସାମାଜିକ ଚଳଣୀ...ଯେଉଁଠି ଚାଷ ସାଜିଛି ମୁଖ୍ୟ ଜୀବିକା । ଆଉ ସେହି ଚାଷବାସର ଭଲମନ୍ଦ ଜାଣିବା ପାଇଁ ଜୟପୁର ବ୍ଲକ ଗଡ଼ପଦର ଗାଁରେ ହୋଇଛି ଆସର, ଜମିଛି ମା’ ବିରିପାଣିଙ୍କ ଯାତ୍ରା।

ଆଧ୍ୟାତ୍ମିକତାର ଏହି ଯାତ୍ରାରେ ବିଜ୍ଞାନ ନୁହେଁ, ବିଶ୍ୱାସ ବଳରେ ବାରିହୁଏ ପାଣିପାଗର ସ୍ଥିତି। ଆସ୍ଥା ଜରିଆରେ ଆକଳନ କରିହୁଏ ବୃଷ୍ଟିପାତର

ଅବସ୍ଥିତି। ମା’ ବିରିପାଣିଙ୍କ ଅଦୃଶ୍ୟ ଶକ୍ତିବଳରେ ମୌସୁମୀ ବାୟୁର ଗତିବିଧିଠୁ ଆରମ୍ଭ କରି ବୃଷ୍ଟିପାତର ପରିମାଣ ଯାଏଁ ଆକଳନ କରିଥାନ୍ତି ପୂଜକ। ଆଉ ସେହି ଅନୁଯାୟୀ, ଚାଷକାର୍ଯ୍ୟ ଅନୂକୁଳ କରେ ଚଷାପୁଅ। କେବଳ ଚାଷବାସ ନୁହେଁ, ବିରିପାଣି ମା’ଙ୍କ ପୂଜାର୍ଚ୍ଚନା କଲେ ରୋଗଦୁଃଖ ମଧ୍ୟ ଦୂରେଇ ଯାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ପ୍ରତିବର୍ଷ ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ସପ୍ତମୀରୁ ଦଶମୀ ଭିତରେ ପଡୁଥିବା ଶନିବାର ହୁଏ ମା’ ବିରିପାଣିଙ୍କ ଯାତ୍ରା। ପ୍ରଥମେ ପୀଠରେ ପୂଜାର୍ଚ୍ଚନା ହୁଏ, ପରେ ଦେବୀ ଖୁଣ୍ଟକୁ ଧରି କଣ୍ଡାମାଳି ପାହାଡ ଉପରକୁ ଯାଆନ୍ତି ପୂଜକ। ଆଉ ସେହି ପାହାଡ଼ର ପଥରରେ ଥିବା ୩ଟି ଗାତ୍ରରେ ପୂଜାର୍ଚ୍ଚନା କରିଥାଆନ୍ତି। ତା’ସହ ଜିଅନ୍ତା କୁକୁଡ଼ାକୁ ଭିତରକୁ ଛାଡ଼ିଥାଆନ୍ତି। ଏହି ପ୍ରକ୍ରିୟା ପରେ ପଥର ଗାତରେ ଥିବା ପାଣିକୁ ଛୁଇଁ ପୂଜକ ବୃଷ୍ଟିପାତର ଆକଳନ କରିଥାଆନ୍ତି।

ମା’ଙ୍କ ଯାତ୍ରାବେଳେ ବନବାସୀ, ଆଦିବାସୀ, ଗିରିଜନ ସମସ୍ତେ ମାନସିକ ରଖି ମା ବିରିପାଣିଙ୍କୁ ପୂଜା କରିବା ସହ ପାଣିକୁ ନେଇଥାନ୍ତି। ବିଶ୍ୱାସ ରହିଛି ଏହି ପାଣି ସେବନ ଦ୍ୱାରା ରୋଗ ବୈରାଗ ଭଲ ହୋଇଥାଏ। ବିଜ୍ଞାନ ଯୁଗରେ ବି ଜୟପୁର ଗଡ଼ପଦର ଏବଂ ଆଖପାଖ ଅଞ୍ଚଳବାସୀଙ୍କ ଏଭଳି ଆସ୍ଥା ଆଉ ବିଶ୍ୱାସ, ଏବେ ଚର୍ଚ୍ଚାର ବିଷୟ ପାଲଟିଛି।...