ଓଡିଆ ପରମ୍ପରାରେ ପଖାଳ; ଦୂର କରିଥାଏ ଅନେକ ରୋଗ

ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।

ଓଡିଆ ପରମ୍ପରାରେ ପଖାଳ; ଦୂର କରିଥାଏ ଅନେକ ରୋଗ

ଓଡ଼ିଆର ପ୍ରିୟ ଖାଦ୍ୟ ପଖାଳ ଜଗନ୍ନାଥ ମନ୍ଦିରରେ ତିଆରି ହେଉଥିବା ଛପନ ଭୋଗ ଭିତରୁ ଏକ। ଖରା ଦିନରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଖିଆଯାଇଥାଏ। ଭାତକୁ ପାଣିରେ ପଖାଳି ବା ଧୋଇ ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ସାଧାରଣତଃ ଖରାବେଳେ ବା ଉପରଓଳି ଏହା ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।

ଆଉ କେଉଁ ରାଜ୍ୟରେ ପଖାଳ ଖିଆଯାଏ:

ପଖାଳ ଖାଳି ଓଡ଼ିଶାରେ ନୁହେଁ, ଏହାକୁ ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ଖିଆଯାଏ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କୁହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ଏଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ପଖାଳ ପରଷା ଯାଏ ।

ପରମ୍ପରା:

ବିଭିନ୍ନ ପ୍ରକାରର ପଖାଳ:

ପଖାଳ ସହ ଆଉ କ’ଣ ଖିଆଯାଏ:

ପଖାଳ ସହ ବଡ଼ିଚୁରା ଓ ଭଜା ସହିତ ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ। ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ। ବିଭିନ୍ନ ପ୍ରକାରର ଶାଗ ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଦେଇ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ। ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆଯାଏ। ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ।

ଓଡ଼ିଶା ଇତିହାସରେ ପଖାଳ:

୧୯୩୪ ମସିହାରେ ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କରିଥିଲେ। ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ। ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାର ଲୋକମାନେ ହିଁ ଠିକ ଜାଣିଛନ୍ତି ଖାଦ୍ୟର ସଦ୍‌ବ୍ୟବହାର”।

ଓଡିଆ ଚଳଣୀରେ ପଖାଳ:

ଶ୍ରୀମନ୍ଦିରରେ-

ମହାପ୍ରଭୁଙ୍କର ଉପାସନାରେ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ଜଗନ୍ନାଥ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିନରେ ପଖାଳ ଭୋଗ ହୁଏ। ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଏ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି। ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ।

ଛପନ ଭୋଗରେ-

ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପରେ ପଖାଳ ଲାଗି ହୋଇଥାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଯଥା ଚିପୁଡ଼ା ପଖାଳ : ୧୪ ଓଳି ଓ ପାଣି ପଖାଳ :୨୩ ଓଳି ଭୋଗ ଭାବରେ ଲାଗି କରାଯାଇଥାଏ।

ପର୍ବପର୍ବାଣିରେ-

ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ରହିଛି ।

ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି।

ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ପଖାଳରୁ ଆରମ୍ଭ ହୋଇଥାଏ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କ ଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ।

ଲିଙ୍ଗରାଜ ମନ୍ଦିରରେ-

ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଦିଆଯାଏ।

ଔଷଧୀୟ ଗୁଣ(କେଉଁମାନେ ଖାଇବେ, କେଉଁମାନେ ନ ଖାଇବେ):

ପଖାଳ ହେଉଛି ଏକ ପିତ୍ତ ନାଶକ ଖାଦ୍ୟ। ଚାଇଁ ପଖାଳ ଖାଇ ତା ତୋରାଣି ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ଦୂର ହୋଇଥାଏ। ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ମଧ୍ୟ ବ୍ୟବହାର କରାଯାଇଥାଏ। ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ। ପିତ୍ତ ରୋଗ ବିସୂଚିକା, ଡାଏରିଆ ପାଇଁ ପଖାଳ ତୋରାଣି ଅତ୍ୟନ୍ତ ଉପକାରୀ। ମୂତ୍ରଯନ୍ତ୍ରଣାରେ ପଖାଳ ଖୁବ ଉପକାରୀ। ଯେଉଁ ବ୍ୟକ୍ତିଙ୍କ କଫ ଦୋଷଥାଏ ସେମାନେ ବାସି ପଖାଳରୁ ଦୂରେଇ ରହିବା ଭଲ। ପିତ୍ତ ଓ ବାତ ଦୋଷ କ୍ଷେତ୍ରରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ।

ଆସାମ କୃଷି ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ପଖାଳ ୧୨ଘଣ୍ଟା ରହିବା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ିଯାଇଥାଏ। ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇଯାଏ।

ଏହା ସହିତ ସାଧା ଭାତରେ ଥିବା ଫାଇଟିକ ଏସିଡ୍‌ ଓ ଓଲିଗୋସାକାରାଇଡ଼ସ୍ ଯୋଗୁଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ।