ମା’ । ପ୍ରଥମ ଶବ୍ଦ ସେ ଜୀବନ ଶବ୍ଦକୋଷର । ଅଂଶ ସିଏ ନିଶ୍ୱାସର, ଯାହା ବିନା ପିଲାର ଅସ୍ଥିତ୍ୱ ନଥାଏ । ସେ କରୁଣାମୟୀ, ବାତ୍ସଲ୍ୟମୟୀ । କଥା କହୁନଥିବା ଶିଶୁଟିର ଭାଷା ଯେ ବୁଝିପାରେ. . .ହେଲେ ବୟସର ଅପରାହ୍ନରେ କିନ୍ତୁ ତା ମନର ଭାଷା କେହି ବୁଝି ପାରନ୍ତିନି । ଏପରି ଦିନ ଆସେ ସେ ପରିବାର ପାଇଁ ଅଲୋଡା ହୋଇପଡେ । ପରିବାର ଠାରୁ ଅଲଗା ହୋଇ ଏକାକୀ ଆଶ୍ରମରେ ଶେଷ ନିଶ୍ୱାସକୁ ଅପେକ୍ଷା କରେ । ଆଖିରୁ ଲୁହ ଗଡାଏ . .. ହେଲେ ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ । ନିଜେ ପଛେ ଯେତେ କଷ୍ଟ ପାଉ ପିଲାଙ୍କ ପାଇଁ ଠାକୁରଙ୍କୁ ପୂଜେ । ଏପରି ଜଣେ ମମତାମୟୀ ମା’ ଏବେ ସାଲେପୁରର ଜରାଶ୍ରମରେ।
୮୦ ବର୍ଷିୟ ରତନି ଶତପଥୀ । କାନକୁ ଭଲଭାବେ ଶୁଭୁନି । ଭଲଭାବେ ଠିଆ ହେବାର ଜୁ ନାହିଁ ଶରୀରରେ । କିଛି ମନେ ରହୁନି । ତଥାପି ନିଜ ପିଲାମାନଙ୍କୁ ଭୁଲିନାହାନ୍ତି । ୫ ବର୍ଷ ହେଲାଣି ଏହି ଆଶ୍ରମରେ ଅଛନ୍ତି । ଏମିତି ଗୋଟିଏ ଦିନ ନଥିବ, ଯେଉଁ ଦିନ ସେ ନିଜ ପିଲାଙ୍କ କଥା ମନ ନପକାଇ ଆଖିରୁ ଲୁହ ଝରାଇ ନଥିବେ ।
Also Read
ସେହିପରି ଆଉ ଜଣେ ମା’ ହେଲେ ସୁଲୋଚନା ପଣ୍ଡା । ଘର କଥା ପିଲାଙ୍କ କଥା ପଚାରିଲେ ଛାତିରେ କୋହ ଉଠେ ଆଉ ଆଖିରେ ଲୁହ ଆସିଯାଏ । କେମିତି ବା କହିବେ ସେ . . ନିଜ ରକ୍ତ ଯେଉଁଠି ନିଜକୁ ଆଡେଇ ଦେଇଛି । ଆଜି ସେ ଦୁନିଆ ଦାଣ୍ଡରେ ଏକା। ହେଲେ ଚଉରାରେ ଧୂପ ଦେବା ସମୟରେ ଏବେ ବି ପିଲାମାନଙ୍କ ମଙ୍ଗଳ କାମନା କରନ୍ତି । ଏଇତ ମାଆର ହୃଦୟ ।
ସାଲେପୁରର ଜରାଶ୍ରମରେ ୧୭ ଜଣ ମା’ ରୁହନ୍ତି । ସମସ୍ତେ ପରିବାର ପାଇଁ ଅଲୋଡା । ହେଲେ ଏଠି ଅନ୍ତେବାସୀଙ୍କ ଗହଣରେ ସମୟ କୌଣସି ମତେ କଟିଯାଏ । ଆଶ୍ରମ ପକ୍ଷରୁ ସବୁ ଯତ୍ନ ନିଆଯାଏ । ହେଲେ ପରିବାର ଆଉ ପିଲା ଯେଉଁଠି ପର କରିଦେଇଛନ୍ତି ସେଠି ଆଉ ଜୀବନରେ କି ସରାଗ ଅଛି ଯେ । ସେମାନଙ୍କ କଥା ମନେପଡିଲେ ଆଖିରୁ ଲୁହ ସିନା ବାହାରେ ହେଲେ ଏବେବି ସେମାନଙ୍କ ପ୍ରତି ବିଦ୍ରୋହ ଆସେନି ବରଂ ତାଙ୍କର ମମତାବୋଳା ମୁହଁ ଦେଖିଲେ ଜାଣି ହୁଏ ସତରେ ମା’ର ମମତାର ତୁଳନା ନାହିଁ।