Advertisment

Holi Celebration: ଦୋଳ ପାଇଁ ରଙ୍ଗବେରଙ୍ଗ ଚାନ୍ଦୁଆରେ ଝଲସୁଛି ଓଡ଼ିଶାର ପିପିଲି ବଜାର

ପିପିଲିର କାରିଗରୀ ବିଶ୍ୱ ପ୍ରସିଦ୍ଧ। ୨୦୦୮ରେ ପିପିଲିର ଚାନ୍ଦୁଆକୁ ତା'ର ସ୍ୱତନ୍ତ୍ରତା ପାଇଁ ମିଳିଛ ଜି.ଆଇ ଟ୍ୟାଗ୍ । ତେବେ ରଙ୍ଗର ପର୍ବରେ ଜାଣିବା ଆସନ୍ତୁ ଓଡ଼ିଶାର ଏହି ରଙ୍ଗ ବେରଙ୍ଗର କାରିଗରୀ ବିଷୟରେ ।

ଅଦ୍ୟତନ ହୋଇଛି
ରଙ୍ଗରେ ଝଲସୁଛି ପିପିଲି

ରଙ୍ଗରେ ଝଲସୁଛି ପିପିଲି

Advertisment

ଦୋଳ ଆସିଲେ ରଙ୍ଗ ଖେଳ ଠାରୁ ବେଶୀ ମନେପଡେ ଦୋଳ ବିମାନ । କୁଟିକାମ ହୋଇଥିବା କାଠର ବିମାନ ବର୍ଷ ସାରା ଘର ବାରଣ୍ଡାରେ ଥୁଆ ହେଇଥିବାର ଦେଖିବାକୁ ମିଳେ । ହେଲେ ରଙ୍ଗୀନ ବିମାନ ବର୍ଷକୁ ଥରେ ବାହାରେ । ରଙ୍ଗବେରଙ୍ଗ କପଡାରେ ସଜେଇ ହେଇ ଦୋଳ ବିମାନ ଯେତେବେଳେ ଲୋକଙ୍କ କାନ୍ଧରେ ଦୋହଲି ଦୋହଲି ଯାଏ, ରଙ୍ଗ କପଡା ସବୁ ପବନରେ ଦୋହଲୁଥାନ୍ତି । ସେ ଦୃଶ୍ୟ ସତରେ ଭୁଲିବାର ନୁହେଁ । 

Advertisment

ଆମ ଗାଁ ପାଖରେ ହେଉଥିବା ଦୋଳ ମେଳଣ ପୁଣି ବେଶ ପ୍ରସିଦ୍ଧ। ହଁ, ଭଦ୍ରକର ବ୍ରାହ୍ମଣୀ ଗାଁ ମେଳଣ ଆମ ଘର ପାଖାପାଖି । ପିଲାଦିନେ ଥରେ ସେଇ ମେଳଣ ଦେଖିବାକୁ ଯାଇଥିଲି । ଓଃ, କେତେ ଯେ ରଙ୍ଗବେରଙ୍ଗର ବିମାନ... ଆକାର ପ୍ରକାର, ସାଜସଜ୍ଜାରେ ଏକୁ ଆରେକ ବଳି । ପିପିଲିର ଚାନ୍ଦୁଆ ଦେଖିଲେ ମୋ ଆଖି ଆଗରେ ସେଇ ସବୁ ଚିତ୍ର ଭାସିଉଠେ । ସେସବୁ ଯଦି ଦେଖିନଥିବେ ତେବେ ରଥଯାତ୍ରାରେ ବିଭିନ୍ନ କପଡାରେ ସୂଚୀ କାମ ହୋଇ ସଜା ଯାଇଥିବା ରଥ ତ ନିଶ୍ଚୟ ଦେଖିଥିବେ । ନହେଲେ ଦେଖଥିବେ ଠାକୁର ଘରେ କି ଚଉରା ଉପରେ ଟଙ୍ଗା ଯାଇଥିବା ଚାନ୍ଦୁଆ । ଅବା ଦେଖିଥିବେ ବାହାଘର ପ୍ରୋସେସନରେ ବ୍ୟବହାର ହେଉଥିବା ରଙ୍ଗବେରଙ୍ଗ କପଡାରେ ତିଆରି ଛତା । ଏ ଯେତେସବୁ ଉଦାହରଣ ଦେଲି ସେସବୁ ଗୁଡା ଆମ ପିପିଲିର କାରିଗର ତିଆରି କରୁଥିବା ଜିନିଷ । ପିପିଲିର ଚାନ୍ଦୁଆକୁ ୨୦୦୮ରେ ତାର ସ୍ୱତନ୍ତ୍ରତା ପାଇଁ ମିଳିଛ ପୁଣି ଜି.ଆଇ ଟ୍ୟାଗ୍ । 

ଏବେ ଦୋଳ ପାଇଁ ସବୁ ସାନ ବଡ ଦୋକାନରେ ରଙ୍ଗବେରଙ୍ଗର ପିଚକାରୀ ଓ ଅନ୍ୟାନ୍ୟ ରଙ୍ଗ ଜିନିଷ । ମୋତେ କିନ୍ତୁ ପିପିଲି ବଜାର ବେଶୀ ରଙ୍ଗୀନ ଲାଗେ । ବେଶ୍ ଗାଢା ରଙ୍ଗ । ରଙ୍ଗର ଛାପ ବୁଲିବା ପାଇଁ ଯାଇଥିବା ଲୋକର ଫଟୋରେ ତ ରହିଯାଏ, ମନରେ ବି ଛପିଯାଏ । ଏଇ କିଛି ଦିନ ତଳେ ଗବେଷଣା କାମରେ ପିପିଲିର ଚାନ୍ଦୁଆ କାରିଗରଙ୍କୁ ଭେଟିବାକୁ ଯାଇଥିଲା ବେଳେ ଗୋଟେ ଶହେ ବର୍ଷର ପୁରୁଣା ଚାନ୍ଦୁଆ ଦେଖିଥିଲି । ମନେହେଲା ମୁଁ ଯେମିତି ଅତୀତର ଜଣେ କାରିଗର ବସି ଚାନ୍ଦୁଆ ବୁଣୁଥିବାର ଦେଖୁଛି । ସେଥିରେ ପିପିଲି ପ୍ରସିଦ୍ଧ ଚିକ୍କଣ ସିଲେଇ ସବୁ ପଡିଥିଲା ଯାହା ଖୁବ୍ ସ୍ୱତନ୍ତ୍ର ।

Advertisment
ଝଲସୁଛି ପିପିଲି ବଜାରଝଲସୁଛି ପିପିଲି ବଜାର

ପିପିଲି ଚାନ୍ଦୁଆ କେବେ ଆରମ୍ଭ ହୋଇଥିଲା ତାର ଗୋଟେ ସଠିକ୍ ସମୟ କହିନହେଲେ ବି ଏହା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ସହ ସମ୍ପୃକ୍ତ ହୋଇଥିବାରୁ ଅତି କମରେ ଆଠ ଶହ ବର୍ଷ ପୁରୁଣା ହୋଇଥିବ ବୋଲି ଅନୁମାନ କରାଯାଇପାରେ । ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ପରେ ପ୍ରଥମେ ହୁଏତ ମନ୍ଦିର ଚୁଡାରେ ଉଡାଇବା ପାଇଁ ପତାକା ଦରକାର ହୋଇଥିବ । ଏହି ପତାକାକୁ ଆମେ ପତିତପାବନ ବାନା ବୋଲି ଜାଣୁ । ଏହାକୁ ଆଗରୁ କପିକେତନ ବାନା ବୋଲି କୁହାଯାଉଥିଲା । ସେହି ସମୟରେ ମାନେ ଦ୍ୱାଦଶ ଶତାବ୍ଦୀରେ ହୁଏତ ରାଜା ଦ୍ୱିତୀୟ ଅନଙ୍ଗଭୀମ ଦେବ ଖବର ପଠେଇଥିବେ ପିପିଲିର କାରିଗରଙ୍କ ପାଖକୁ ବାନା ଓ ଚାନ୍ଦୁଆ ଯୋଗାଇବା ପାଇଁ ।

ପରେ ପରେ ହୁଏତ ରଥଯାତ୍ରା ପାଇଁ ଦରକାର ହୋଇଥିବ ଛତି, ତ୍ରାସ, ଆଲଟ, ଆଢେଣୀ । ଦରକାର ହେଉଥିବ ବି ଅନ୍ୟ ଯାନୀଯାତ୍ରା ସମୟର କିଛି ଜିନିଷ । କାରଣ ମନ୍ଦିର ଭିତରେ ଛତି, ତ୍ରାସ, ଆଲଟ, ଆଢେଣୀ ଆଦି ପ୍ରବେଶ ନିଷେଧ । ଏନେଇ ଗୋଟିଏ ବିବାଦ ମଧ୍ୟ ହୋଇଥିଲା । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ଡପଡାର ରାଜା ଯେତେବେଳେ ନିଜର ଛତି, ତ୍ରାସ, ଆଲଟ ଆଦି ଧରି ମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟାକଲେ ସେତେବେଳେ ପୁରୀ ରାଜା ବିରୋଧ କରିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଥିଲା ଯେ ଶେଷରେ ଇଂରେଜ ପ୍ରଶାସକଙ୍କୁ ହସ୍ତକ୍ଷେପ କରି ତାର ସମାଧାନ କରିବାକୁ ହୋଇଥିଲା ।

Advertisment

ତେବେ ପିପିଲିରେ କାହିଁକି ତିଆରି ହେଲା ଚାନ୍ଦୁଆ? କିଏ ସବୁ ରହୁଥିଲେ ପିପିଲିରେ? ଏ ସମ୍ପର୍କରେ ମଧ୍ୟ ଭିନ୍ନ ଭିନ୍ନ ମତ ଅଛି । କେହି କେହି କୁହନ୍ତି ପିପିଲିର ଜନବସତି ସେଠି ଆଖପାଖରେ ରହି ଆସୁଥିବା ଲୋକଙ୍କର ନୁହେଁ । ଖଣ୍ଡପଡା, ନୟାଗଡ ଆଦି ଜାଗାରୁ ଗୋଟିଏ ଦୁଇଟି ଦରଜୀ ପରିବାର ଆସି ଏଠି ରହିଥିବେ ହୁଏତ ଏହାର ଭୌଗଳିକ ଅବସ୍ଥିତି ପାଇଁ । ପିପିଲି ମୁଖ୍ୟ ରାସ୍ତାର ବାଁ ପାଖରେ ଏବେବି ଅଛି ଗୋଟେ ବଡ ଦରଜୀ ସାହି । ସେମାନଙ୍କ ସାଙ୍ଗିଆ ପ୍ରାୟ ମହାପାତ୍ର, ମହାରଣା ଆଦି । ସେତେବେଳେ ପେଟପାଟଣା ପାଇଁ ଗାଁ ଗାଁ ବୁଲି ତାଙ୍କୁ ସିଲେଇ କାମ କରିବାକୁ ହେଉଥିଲା ।

ରଥଯାତ୍ରା କି ଜଗନ୍ନାଥଙ୍କର ଅନ୍ୟାନ୍ୟ ପର୍ବପର୍ବାଣୀ ଆସିଲେ ଆବଶ୍ୟକ ଛତି, ତ୍ରାସ ଆଦି ତିଆରି ହେଉଥିଲା । କିନ୍ତୁ ଏତିକିରେ କଣ ପରିବାର ଚଳେ ନା ଗୋଟେ ସାହିର କାରିଗର ପୁରା ନିର୍ଭର କରି ବଞ୍ଚିପାରେ । ଯେପର୍ଯ୍ୟନ୍ତ ଗୋଟିଏ କ୍ରାଫ୍ଟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସାମିଲ୍ ହୁଏନି ସେପର୍ଯ୍ୟନ୍ତ ତାହା ବହୁଳ ପ୍ରସାରିତ ହୋଇପାରେନି । କାହିଁକି ନା ସାଧାରଣ ଲୋକ କିଣିଲେ ଗୋଟିଏ ଜିନିଷ ଯେତିକି ବିକ୍ରି ହୋଇପାରିବ ଖାଲି ପର୍ଯ୍ୟଟକ କିଣିଲେ ସେତିକି ହେବନି କି ପର୍ବପର୍ବାଣୀ ପାଇଁ ସେତିକି ହେବନି । ଏମିତି ହୋଇ ବୋଧହୁଏ ପିପିଲିରେ ପ୍ରଥମେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଟେ ତିଆରି ହୋଇଥିବ । 

ସେ ସମୟରେ ଓଡିଶାର ଗାଁ ଗହଳିରେ ପାନର ବ୍ୟବହାର ବହୁତ ଥିଲା । ଘରେ ଘରେ ତ ପାନ ଥାଳିଆ ଥିଲା କିନ୍ତୁ ବନ୍ଧୁଘରକୁ କି ହାଟବଜାର ଗଲାବେଳକୁ ତାକୁ ପୁଣି କେଉଁଠି ଗୋଟେ ରଖି ନେଇକି ଯିବାକୁ ତ ହେବ । ଏହି କଥା ଭାବି ପିପିଲିର କାରିଗରମାନେ ଗୋଟେ କପଡାର ଥଳି ତିଆରି କଲେ, ଯାହାର ନାଁ ଥିଲା ବଟୁଆ । ଲୋକ ତାକୁ ହାତରେ ଧରୁଥିଲେ ଆଉ କମରରେ ବାନ୍ଧି ପାରୁଥିଲେ ବି । ପାନ ସାଙ୍ଗକୁ ଆଗକାଳର କଉଡି ରଖିବାକୁ ବି ଲୋକେ ବଟୁଆ କିଣିଲେ । ଆଜିକାଲି ପରି ତ ସେତେବେଳେ କାଗଜ ଟଙ୍କାର ବ୍ୟବହାର ନଥିଲା । ଛୋଟିଆ ଜିନିଷଟେ କିଣିବାକୁ ବି ପଣପଣ କଉଡି ନେବାକୁ ହେଉଥିଲା । ତେଣୁ କାରିଗରଙ୍କର ବିକ୍ରିବଟା କିଛି ହେଲା ।

ରଙ୍ଗର ପର୍ବରେ ପିପିଲି କାରିଗରୀରଙ୍ଗର ପର୍ବରେ ପିପିଲି କାରିଗରୀ

ଜଗନ୍ନାଥ ମନ୍ଦିରକୁ ଯାଉଥିବା ତୀର୍ଥ ଯାତ୍ରୀମାନେ ହୁଏତ ତାଙ୍କଠାରୁ ଏ ଜିନିଷ ସେତେବେଳେ କିଣୁଥିଲେ । ତା ପରେ ପରେ ଗୋଟେ ଗୋଟେ ହୋଇ ଆହୁରି ବହୁତ ଜିନିଷ ଯୋଡିହେଲା । ଏଇ ଯେମିତି ଜିନିଷପତ୍ର ନେବା ଆଣିବା ପାଇଁ କୋଥଳୀ । କୋଥଳୀକୁ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ କପଡା ଯୋଡି ତିଆରି କରାଗଲା । ଏହା ସୁନ୍ଦର ତ ଦେଖାଗଲା ଲୋକପ୍ରିୟ ବି ହେଲା । ପରେ ପରେ ବିଭିନ୍ନ ରାଜାମାନେ ପିପିଲିର ଦରଜୀମାନଙ୍କ କାମକୁ ପ୍ରୋତ୍ସାହିତ କଲେ । ସେହି ସମୟରେ ପୁରୀ ମନ୍ଦିରରେ ଦରଜୀଙ୍କୁ ମଧ୍ୟ ସେବାୟତ ଭାବେ ସ୍ୱୀକୃତି ମିଳିଲା । 

ଜଗନ୍ନାଥଙ୍କର ବିଭିନ୍ନ ଯାନୀଯାତ୍ରାରେ ଭିନ୍ନ ଭିନ୍ନ ପ୍ରକାରର ଚାନ୍ଦୁଆ ତିଆରି କରିବାର ନିୟମ ଅଛି । ରଥଯାତ୍ରା ଚାନ୍ଦୁଆରେ ରାହୁ ଓ କଳସ ଥିବା ବେଳେ ସ୍ନାନଯାତ୍ରାରେ ହୁଏ ତ୍ରିମୁଣ୍ଡିଆ ଚାନ୍ଦୁଆ । ଜଗନ୍ନଥଙ୍କ ପାଇଁ ତ୍ରାସ ବି ଦୁଇ ପ୍ରକାର ତିଆରି ହୁଏ । ହଳଦିଆ ରଙ୍ଗରେ ତିଆରି ହୁଏ ଗରୁଡ ତ୍ରାସ । କଳା କନାରେ ତିଆରି ହୁଏ ଗୋବିନ୍ଦ ତ୍ରାସ । ଶ୍ରୀମନ୍ଦିର ପୂଜାଅର୍ଚ୍ଚନା ପାଇଁ ବି ଆହୁରି ଅନେକ ଜିନିଷ ତିଆରି କରନ୍ତି ଦରଜିମାନେ । ଯଥା; ତାଟ ସିଲାଇ, ଡମ୍ବରୁ ସିଲାଇ, ଚକା, ଅପସର, କନାଟି ଛତି ସିଲାଇ, ଟୋକାଇ ସିଲେଇ, ହଡପମୁଣା ଦଶ ଅବତାର ସିଲାଇ, ଛୁରୀଖଣ୍ଡ ସିଲାଇ, ସେନାପଟା ସିଲାଇ, ଶୁଆଥଣ୍ଟିଆ ସିଲାଇ, ରସିକ ସିଲାଇ ଇତ୍ୟାଦି । 

ଅନେକ ଦିନ ତଳେ ପିପିଲିର ଦରଜୀମାନଙ୍କ ସୂଚୀକାମରେ ସନ୍ତୁଷ୍ଟ ହୋଇ ରାଜା ଖଣ୍ଡିଏ ଜଗନ୍ନାଥ ଦାରୁ ଓ ପତିତପାବନ ମୂର୍ତ୍ତି ଉପହାର ଦେଇଥିଲେ । ଆଜି ବି ତାହା ସେଇଠି ମନ୍ଦିରରେ ପୂଜା ପାଉଛି । ଏତଦ୍ ବ୍ୟତୀତ ବିଭିନ୍ନ ଭକ୍ତ ଭିନ୍ନ ଭିନ୍ନ ସମୟରେ ମାନସିକ ରଖି ପୂର୍ଣ୍ଣ ହେଲେ ପତିତପାବନ ବାନା ଦିଅନ୍ତି ।

ଚାନ୍ଦୁଆ କେବଳ ପୂଜା ଘରେ ନୁହେଁ କେତେକ ଗଡଜାତ ରାଜା ନିଜ ଦରବାର, ବୈଠକଖାନା ଆଦିରେ ଲଗାଉଥିଲେ । ତା ସହ ସାଜସଜ୍ଜା ପାଇଁ ତ୍ରାସ, ଆଲଟ ବି ନେଉଥିଲେ । ତେବେ ପୁରୀର କାରିଗର ତିଆରି କରୁଥିବା ଚାନ୍ଦୁଆ ଓ ପିପିଲିର କାରିଗର ତିଆରି କରୁଥିବା ଚାନ୍ଦୁଆ ଭିତରେ ରଙ୍ଗ, ଫୁଲ ଓ ଡିଜାଇନର କିଛିଟା ଫରକ ରହିଛି । 

ପିପିଲିର ୨୦ କି.ମି ଭିତରେ ଅନେକ ହିନ୍ଦୁ ଓ ମୁସଲିମ୍ କାରିଗର ବସବାସ କରନ୍ତି ଯେଉଁମାନେ ପିପିଲି ଚାନ୍ଦୁଆ ତିଆରି କରନ୍ତି । କେହି କେହି କୁହନ୍ତି ବିଭିନ୍ନ ସମୟରେ ମୋଗଲ ରାଜାମାନେ ଓଡିଶା ଆସିଥିବା ବେଳେ ତାଙ୍କ ସାଙ୍ଗରେ ଆସିଥିବା କିଛି ଚାନ୍ଦୁଆ କାରିଗର ପିପିଲିରେ ରହିଯାଇଥିଲେ । ଆଜି ବି ପିପିଲିରେ ଉଭୟ ବେଶ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବରେ ରୁହନ୍ତି ।

ପିପିଲିର କାରିଗରୀକୁ ଆମେ ଆପ୍ଲିକ୍ ବୋଲି କହୁ । ଏହାର ଅର୍ଥ ସୁକ୍ଷ୍ମ ସୂଚୀ କାର୍ଯ୍ୟ । ଏହା ବହୁତ ସମୟ ସାପେକ୍ଷ କାମ । ଗୋଟିଏ କପଡା ଉପରେ ପ୍ରଥମରୁ ଧଳା ରଙ୍ଗରେ ଚିତ୍ର କରିଦେଇ କେଉଁଠି କଣ ରହିବ ଚିହ୍ନ ଦିଆ ହୋଇଯାଏ । ତାପରେ ଅନ୍ୟ କପଡାରେ ଶୁଆ, ହାତୀ, ପଦ୍ମ, ଆଦି ବିଭିନ୍ନ ଚିତ୍ର ଅଙ୍କା ଯାଇ ମୂଳ କପଡା ଉପରେ ରଖି ସିଲେଇ କରାଯାଏ । ଏଇ ସିଲେଇ ପୁଣି ବିଭିନ୍ନ ପ୍ରକାରର । ଯଥା; ଚିକ୍କଣ ସିଲେଇ, ଗଣ୍ଠି ସିଲେଇ, ଗାଜ ସିଲେଇ, ତୋରପା ସିଲେଇ, ବଖିଆ ସିଲେଇ । ଏଥିରେ ପୁଣି ଗୋଟି ଗୋଟି ଧାଡି ଡିଜାଇନ୍ ହୁଏ, ଯେମିତି; ହଂସ ପଟି, ହାତୀ ପଟି, ନହର ପଟି, କଳସ ପଟି, ସାଧା ପଟି ଇତ୍ୟାଦି ।

ଏବେ ସମୟ ବଦଳିଛି । ହାତ ବଦଳରେ ମେସିନ୍ ବୁଣା ଓ ସିଲେଇର ବେଶୀ ବ୍ୟବହାର ହେଉଛି । କପଡାର ମାନ କମିଛି । ନୂଆ ଲ୍ୟାମ୍ପସେଡ ପରି ଜିନିଷ ବେଶୀ ବେଶୀ ତିଆରି ହେଉଛି । ସଜାସଜିରେ ତାର ବ୍ୟବହାର ବଢିଛି । ଆଜିକାଲି ଚାନ୍ଦୁଆରେ ସିଲେଇ ପରିବର୍ତ୍ତେ ଆଇନାର ବ୍ୟବହାର ବେଶୀ ବଢିଛି । ତେବେ ଏସବୁ ଲୋକମାନଙ୍କର ପସନ୍ଦ ଓ କମ୍ ଅର୍ଥରେ ଜିନିଷ କିଣିବା ପାଇଁ ହୋଇଛି ବୋଲି ହିଁ ଜଣାପଡେ । ତେବେ ପିପିଲି ଚାନ୍ଦୁଆ କାମ ଖରାପ ହୋଇଗଲାଣି କହିବା ଆଗରୁ ଆମକୁ ଭାବିବାକୁ ହେବ ଯେ ଆମ ପସନ୍ଦର ମାନ କମିଯାଇନି ତ? ନିଜକୁ ପ୍ରଶ୍ନ କଲେ ସଠିକ ଉତ୍ତର ମିଳିଯିବ ହୁଏତ ।

Holi Celebration Pipili Odisha Art And Culture Colours
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ