achievements of India in the field of science
ଭାରତ ପ୍ରତିବର୍ଷ ୧୧ ମେ’ରେ “ଜାତୀୟ ଟେକ୍ନୋଲୋଜୀ ଦିବସ” ପାଳନ କରିଥାଏ। ଏହି ଦିନ ଦେଶର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ଉପରେ ଦୃଷ୍ଟିପାତ କରାଯାଏ। ଏହି ଦିନ ଆମେ ସେହି ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଇନୋଭେଟର୍ସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ, ଯେଉଁମାନେ ଦେଶର ବିକାଶ ପାଇଁ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।
ଇତିହାସ:
ମେ ୧୧, ୧୯୯୮ରେ, ଭାରତ ପୋଖରାନରେ ଏକ ସଫଳ ଆଣବିକ ପରୀକ୍ଷଣ କରିଥିଲା। ଏହି ପରୀକ୍ଷଣ ଭାରତକୁ ଆଣବିକ ସକ୍ଷମ ରାଷ୍ଟ୍ରରେ ପରିଣତ କଲା ଏବଂ ଦେଶର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କଲା। ଏହି ପରୀକ୍ଷାର ମହତ୍ତ୍ୱକୁ ବୁଝିବା ପାଇଁ ସରକାର ମେ ୧୧କୁ ଜାତୀୟ ଟେକ୍ନୋଲୋଜୀ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହି ପରମାଣୁ ପରୀକ୍ଷଣର କୋଡ୍ ନାମ ଥିଲା ଶକ୍ତି - ଆଣବିକ କ୍ଷେପଣାସ୍ତ୍ର। ଦେଶର ତତ୍କାଳୀନ ରାଷ୍ଟ୍ରପତି ତଥା ଏରୋସ୍ପେସ୍ ଇଞ୍ଜିନିୟର ଡକ୍ଟର ଏପିଜେ ଅବଦୁଲ କଲାମ ଏହାର ନେତୃତ୍ୱ ନେଇଥିଲେ। ଏହା ପରେ ଭାରତ ଦୁଇଟି ପରମାଣୁ ଅସ୍ତ୍ର ପରୀକ୍ଷା କରିଥିଲା ​​ଯାହାକୁ ପୋଖରାନ୍-୨ କୁହାଯାଉଥିଲା।
କିପରି ହେଲା ଆରମ୍ଭ:
ପାଶ୍ଚାତ୍ୟ ଦେଶ ବିଶେଷ କରି ଆମେରିକା ଭାରତକୁ ସମର୍ଥନ ନ କରିବାରୁ ୧୯୬୨ ମସିହାରେ ଡକ୍ଟର ଭାବାଙ୍କୁ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ପାଇଁ ପ୍ରଯୁକ୍ତିବିଦ୍ୟା ବିକାଶ କରିବାକୁ କୁହାଯାଇଥିଲା। କିନ୍ତୁ ଭାବାଙ୍କ ମୃତ୍ୟୁ ପରେ ରାଜା ରାମନ୍ନା ଏହି ଦାୟିତ୍ୱ ଗ୍ରହଣ କଲେ। ୧୯୬୭ ରୁ ୧୯୬୯ ମଧ୍ୟରେ ଭାରତ ପ୍ଲୁଟୋନିୟମ୍ ରିଆକ୍ଟରରେ କାମ କରିବା ଆରମ୍ଭ କଲା। ପ୍ରାୟ ୭୫ ଜଣ ବୈଜ୍ଞାନିକଙ୍କ ସହାୟତାରେ ଆଣବିକ ପରୀକ୍ଷା ଆରମ୍ଭ ହେଲା, ଯେଉଁଥିରେ ବିକ୍ରମ ସାରାଭାଇ, ରାଜା ରମନ୍ନାଙ୍କ ପରି ବହୁ ବଡ ବଡ ବୈଜ୍ଞାନିକ ସାମିଲ ହୋଇଥିଲେ।
ପରମାଣୁ କ୍ଲବ୍ରେ ଭାରତର ପ୍ରବେଶ:
ଭାରତର ପ୍ରଥମ ପରମାଣୁ ପରୀକ୍ଷଣ ପୋଖରାନ୍-୧ର ଏକ ଅଂଶ ଥିଲା। ପ୍ରଥମ ପରୀକ୍ଷା ୧୯୭୪ରେ କରାଯାଇଥିଲା, ଯାହାକୁ ସ୍ମାଇଲିଂ ବୁଦ୍ଧ କୁହାଯାଏ। ପୋଖରାନ୍-୨ର ସଫଳତା ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତ ପାଇଁ ଆଣବିକ ପରୀକ୍ଷା ଘୋଷଣା କଲେ। ଭାରତ ପ୍ରଥମ ଦେଶ ଥିଲା ଯିଏ ଆଣବିକ କ୍ଲବ୍ରେ ଯୋଗ ଦେଲା।
ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତର ସଫଳତା-
ପ୍ରତିରକ୍ଷା କ୍ଷେତ୍ରରେ ସଫଳତା:
ଆଧୁନିକ ଯୁଗର ସବୁଠାରୁ ଶକ୍ତିଶାଳୀ ଦେଶ ହେଉଛି ସିଏ, ଯିଏ ନିଜର ପ୍ରତିରକ୍ଷା କ୍ଷେତ୍ରରେ ମଜବୁତ। ସ୍ୱିଡେନ୍ସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ‘ଷ୍ଟକ୍ହୋମ୍ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ’ (SIPRI) ଅନୁଯାୟୀ ବିଶ୍ୱର ନଅଟି ଦେଶରେ ଆଣବିକ ଅସ୍ତ୍ର ରହିଛି, ଯେଉଁଥିରେ ଭାରତ ମଧ୍ୟ ଅଛି। SIPRIର ବାର୍ଷିକ ରିପୋର୍ଟ ଅନୁଯାୟୀ ସାମରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା ଆମେରିକା ଏବଂ ଚୀନ୍ ପରେ ଭାରତ ହେଉଛି ତୃତୀୟ ବୃହତ୍ତମ ଦେଶ।
ଚିକିତ୍ସା କ୍ଷେତ୍ରରେ ସଫଳତା:
ପ୍ରାଚୀନ କାଳରୁ ଭାରତରେ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛନ୍ତି। ବୈଜ୍ଞାନିକ ପଦ୍ଧତି ଆଧାରରେ ଏଠାରେ ଅସ୍ତ୍ରୋପଚାର କରାଯାଉଥିଲା। ଭାରତୀୟ ଚିକିତ୍ସା ବୈଜ୍ଞାନିକମାନେ ଶାରୀରିକ ଚିକିତ୍ସା ସହିତ ମସ୍ତିଷ୍କ ଚିକିତ୍ସାର ପ୍ରଯୁକ୍ତିବିଦ୍ୟା ବିକଶିତ କରିଥିଲେ। ମସ୍ତିଷ୍କ ଚିକିତ୍ସା ବିନା ଶାରୀରିକ ଚିକିତ୍ସା ସଂପୂର୍ଣ୍ଣ ସମ୍ଭବ ନୁହେଁ। କାରଣ ଶରୀର ସହିତ ମସ୍ତିଷ୍କର ନିବିଡ ସଂପର୍କ ରହିଛି। ଆଜି ଦୁନିଆର ଅନେକ ଦେଶ ସାଇକୋସୋମାଟିକ୍ ଥେରାପି ବିକାଶ କରୁଛନ୍ତି, ଯେତେବେଳେ କି ଭାରତରେ ଏହି ପ୍ରକାର ଚିକିତ୍ସା ପ୍ରାଚୀନ କାଳରୁ ବିକଶିତ ହୋଇସାରିଛି।
କୃଷି କ୍ଷେତ୍ରରେ ସଫଳତା:
ଭାରତ ଏକ କୃଷିପ୍ରଧାନ ଦେଶ। ଏଠାରେ ଅଧିକାଂଶ ଜନସଂଖ୍ୟା ଗ୍ରାମରେ ରୁହନ୍ତି। ଭାରତରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି। ଆଜି ଭାରତ କୃଷି କ୍ଷେତ୍ରରେ ବିଶ୍ୱ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିଛି। ବର୍ତ୍ତମାନ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳତା ସହିତ ଭାରତ ହେଉଛି ଶସ୍ୟ ରପ୍ତାନୀକାରୀ ଦେଶ ମଧ୍ୟରୁ ଅନ୍ୟତମ।
ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ୱରେ ପ୍ରଥମ ରହିଥିବା ବେଳେ ଡାଲି ଚାଷ ପାଇଁ ଯୋଗ୍ୟ ଜମିରେ ପ୍ରଥମ ଏବଂ ହାଇବ୍ରିଡ୍ କିସମର କପା ବିକାଶରେ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱରେ ସମୁଦାୟ ସାର ବ୍ୟବହାରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715412380.jpg)