Advertisment

ଆଉ ଶୁଣିବାକୁ ମିଳୁନି ଡାକବାଲାର ସାଇକେଲ୍ ଘଣ୍ଟି; ବାଜୁଛି ମୋବାଇଲ୍ ଟ୍ୟୁନ୍

ଡାକ ସେବା ଏମିତି ଏକ ମାଧ୍ୟମ ଥିଲା ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରୁଥିଲା। ଏହାକୁ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରେ ଗଣାଯାଉଥିଲା। ଦିନେ ଡାକବାଲାକୁ ଲୋକେ ଚାତକ ପରି ଚାହିଁ ବସୁଥିଲେ। ଆଜିର ମୋବାଇଲ୍ ଦୁନିଆରେ ସେସବୁ ହଜିଗଲାଣି। ତେବେ ଏହାକୁ ନେଇ ଡାକ ପିଅନ ବାସୁଦେବ ରଥ କ’ଣ କୁହନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
National Postal Day 2022

National Postal Day 2022

Advertisment

ପ୍ରତିବର୍ଷ ଅକ୍ଟୋବର ୧୦ ରେ ଭାରତରେ ଜାତୀୟ ଡାକ ଦିବସ ପାଳନ କରାଯାଏ, ଏହାକୁ ବିଶ୍ୱ ଡାକ ଦିବସ ଭାବରେ ପାଳନ କରାଯାଏ, ଯାହା ଅକ୍ଟୋବର ୯ରେ ସାରା ବିଶ୍ୱରେ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଗତ ୧୫୦ ବର୍ଷ ଧରି ଭାରତୀୟ ଡାକ ବିଭାଗ ଦ୍ୱାରା ୧୮୫୪ ମସିହାରେ ଲର୍ଡ ଡେଲହାଉସଙ୍କ ଦ୍ୱାରା ପ୍ରତିଷ୍ଠିତ ଭୂମିକାକୁ ମନେ ପକେଇବା। ଡାକ ସେବା ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସଂସ୍କୃତି, ପରମ୍ପରା ଏବଂ କଠିନ ଭୌଗୋଳିକ କ୍ଷେତ୍ରର ବିବିଧତା ସତ୍ତ୍ୱେ ଭାରତରେ ଡାକ ସେବା ସର୍ବୋତ୍ତମ ପ୍ରଦର୍ଶନ କରିଛି।

Advertisment

ଡାକ ସେବା ଏମିତି ଏକ ମାଧ୍ୟମ ଥିଲା ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରୁଥିଲା। ଏହାକୁ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରେ ଗଣାଯାଉଥିଲା। ଚିଠି ମାଧ୍ୟମରେ ବିଦେଶରେ ଥିବା ପୁଅ ପାଖକୁ ମା ତା’ର ଦୁଃଖ ଜଣଉଥିଲା, ଭଉଣୀ ତା ଭାଇ ପାଖରେ ଅଳି କରୁଥିଲା, ପତ୍ନୀ ତା ପତିଙ୍କୁ ପ୍ରେମ ବାଢୁଥିଲା।

ଅଧିକ ପଢ଼ନ୍ତୁ: ମୋବାଇଲ୍ ମାଡ଼ରେ ହଜିଯାଉଛି ଡାକ ସେବାର ମାଦକତା

ଘର ସାମ୍ନାରେ ଡାକବାଲାର ସାଇକେଲ୍ ଘଣ୍ଟି ବାଜି ଉଠିଲେ ଚିଇଁକି ଉଠୁଥିଲା ପ୍ରେମିକାର ମନ, ଆନ୍ଦୋଳିତ ହୋଇଉଠୁଥିଲା ମା’ର ହୃଦୟ ଆଉ ଆନନ୍ଦରେ କୁରୁଳି ଯାଉଥିଲା ଭଉଣୀଟିଏ। ଆଜି ଆଉ ସେ ଦିନ ନାହିଁ। ଘର ସାମ୍ନାରେ ଆଉ ବାଜୁ ନାହିଁ ଡାକବାଲାର ସାଇକେଲ୍ ଘଣ୍ଟି।

Advertisment

ଆଧୁନିକତାର ଏକ ଦୁନିଆରେ ମୋବାଇଲ୍ ସାଜିଛି ସବୁ ସମ୍ପର୍କର କେନ୍ଦ୍ର। ୪ଜି ଓ ୫ଜିର ମାଡରେ ଡାକବାଲାର ସ୍ୱର ମଳିନ ପଡିଯାଉଛି। ସାଇକେଲ୍ ଘଣ୍ଟି ବଦଳରେ ଏବେ ବାଜୁଛି ମୋବାଇଲ୍‌ର ଟ୍ୟୁନ୍। ସବୁ ବାର୍ତ୍ତା ପହଞ୍ଚିବାର ମାଧ୍ୟମ ଏବେ ମୋବାଇଲ ।

ତଥାପି ବି ସେବା ମନବୃତ୍ତି ନେଇ ସେବା ଯୋଗାଇ ଚାଲିଛନ୍ତି ଡାକ ପିଅନମାନେ। କେବେ କାହା ମୃତ୍ୟୁ ଖବର ଦେଇ ମୃତକଙ୍କ ପରିବାରର ଲୁହରେ ଲୁହ ଗଡାଇଛନ୍ତି ତ କେବେ କାହା ପୁଅର ଚାକିରି ଖବର ଦେଇ ମିଠା ଖାଇଛନ୍ତି। ସେମିତି ଜଣେ ଡାକ ପିଅନ ହେଲେ ବାଲେଶ୍ଵର ଜିଲ୍ଲାର ପଦାଗାଁ ଡାକ ଅଫିସର ଆସିଷ୍ଟାଣ୍ଡ ବ୍ରାଞ୍ଚ୍‌ ପୋଷ୍ଟ ମାଷ୍ଟର ବାସୁଦେବ ରଥ। ସାଇକେଲରେ ଦୀର୍ଘ ବର୍ଷ ଧରି ଡାକସେବା ଯୋଗାଇ ଆସିଛନ୍ତି ଗାଁ ଗଣ୍ଡାରେ। ପୂର୍ବରୁ କାଦୁଅ ରାସ୍ତାରେ ଚାଲିଚାଲି ବି ସେ ଚିଠି ଦେଇଛନ୍ତି ଲୋକଙ୍କୁ।

Advertisment

ଦୀର୍ଘ ୨୬ ବର୍ଷ ଧରି ନିରନ୍ତର ଡାକ ସେବା ଯୋଗାଇ ଆସିଥିବା କୁହନ୍ତି ବାସୁଦେବ ରଥ। ତାଙ୍କ ଚାକିରି ଜୀବନ ସରି ସରି ଆସୁଥିବା ବେଳେ ଆଉ ମାତ୍ର ରହିଛି ୧ ବର୍ଷ। ତଥାପି ସେ ତାଙ୍କର ଏହି ସେବାକୁ ଜାରି ରଖିଥିବା କୁହନ୍ତି। ହେଲେ ପୂର୍ବରୁ ସେ କିପରି ନଈ ନାଳ ପାରି ହୋଇ, କାଦୁଅ ରାସ୍ତା ଦେଇ, ବଣ ବିଲ ଅତିକ୍ରମ କରି ଡାକ ସେବା ଯୋଗାଇ ଦେଉଥିଲେ, ଲୋକେ କିପରି ତାଙ୍କ ଆସିବା ବାଟକୁ ଚାତକ କରି ଚାହିଁ ରହୁଥିଲେ, ସେ କଥାକୁ ବଖାଣିବା ବେଳେ ଭାବପ୍ରବଣ ହୋଇଯାଉଥିଲେ ବାସୁଦେବ। ତେବେ ଆଜି ଭାରତୀୟ ଡାକ ଦିବସରେ ସେଦିନର ସେଇ ଡାକମଣିଷ ମାନଙ୍କୁ ଯେତେ କୃତଜ୍ଞତା ଜଣେଇଲେ ମଧ୍ୟ କମ୍ ହେବ।

(ରିପୋର୍ଟ : ବିଶ୍ୱମ୍ବର ଦାସ, ନୀଳଗିରି)

National Postal Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ