Panchu Dola: ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଥାନ୍ତି ପରମାନନ୍ଦ

ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।

ପଞ୍ଚୁ ଦୋଳ ପଛର ପୌରାଣିକ କାହାଣୀ

ଓଡ଼ିଆଙ୍କ ଧର୍ମ ପରମ୍ପରାରେ ଉଭୟ ଠାକୁର ଓ ଭକ୍ତଙ୍କ ସାମାଜିକ ଚଳଣୀ ଗୋଟିଏ । ଭକ୍ତ ଯେମିତି ଚଳେ, ଦିଅଁ ସେମିତି ଚଳନ୍ତି । ଦିଅଁମାନେ ମଣିଷ ଉପଚାରରେ ଚଳନ୍ତି । ହୋଲି ଖେଳନ୍ତି, ମଉଜ କରନ୍ତି, ଭୋଗ ଖାଇବାକୁ ଭକ୍ତଙ୍କ ପାଖକୁ ଆସନ୍ତି । ପଞ୍ଚୁ ଦୋଳ ସେହିଭଳି ଏକ ଧର୍ମୀୟ ପରମ୍ପରା ।

ପଞ୍ଚୁଦୋଳ ମେଲଣ

‘ଫଗୁଣ ମାସରେ ଦୋଳ ଗୋବିନ୍ଦ / ଫଗୁ ଖେଳୁଥାନ୍ତି ପରମାନନ୍ଦ।’

ଫଗୁ ଦଶମୀ ଆସିଲେ ଦୋଳମେଳଣ ପାଇଁ ସଜ ହୁଏ ବିମାନ । ଦୋଳ ବିମାନରେ ବସି ଗାଁକୁ ଗାଁ ବୁଲନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ରୋମାଞ୍ଚକର ଜହ୍ନ ଆଲୁଅରେ ବିଧିମତେ ବିମାନ ଆଗରେ ଜଳାହୁଏ ପୋଲାଙ୍ଗ ତେଲର ମଶାଲ । ପବନରେ ସଞ୍ଚରି ଯାଏ ଅବିରର ରଙ୍ଗ ଓ ଚୁଆଚନ୍ଦନର ବାସ୍ନା । ଘଣ୍ଟଘଣ୍ଟା ଖୋଳ କରତାଳ ଓ ଢୋଲ ମହୁରୀର ମଙ୍ଗଳ ନାଦରେ ଉଛୁଳି ଉଠେ ସମଗ୍ର ପରିବେଶ ।

ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହର୍ଦ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ପୀଠରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ରହିଛି ।

ପଞ୍ଚୁ ଦୋଳ: ନୀତି ଓ ପୁରାଣ

ଓଡ଼ିଶାରେ ମୁଖ୍ୟତ ପାଞ୍ଚଦିନ ଧରି ଦୋଳଯାତ୍ରା ପାଳନ ହେଉଥିବାରୁ ଏହାକୁ କୁହାଯାଏ ପଞ୍ଚୁ ଦୋଳ । ପଞ୍ଚୁ ଦୋଳ ମେଲଣ, ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ । ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏହା ପାଳନ ହୁଏ ସମ୍ପୂର୍ଣ୍ଣ ବୈଷ୍ଣବୀୟ ରୀତିରେ, ଯାହା ଚାଚେରୀ ଲୀଳା ଭାବରେ ଖ୍ୟାତ । ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ଶ୍ରୀମଦ୍‌ଭାଗବତ୍ ବର୍ଣ୍ଣନା ଅନୁଯାୟୀ ଦୋଳଯାତ୍ରା ହେଉଛି ଗୋପୀମାନଙ୍କ ସହ ରାଧା ଦାମୋଦରଙ୍କ ରଙ୍ଗ ପିଚକାରୀ ଖେଳିବା ରାସଲୀଳାର ଏକ ସୁନ୍ଦର ସ୍ମୃତି ଚାରଣ ।

ଅନ୍ୟ ଏକ ପୌରାଣିକ ଆଖ୍ୟାନ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ରାକ୍ଷସୀ ପୁତନାକୁ ବଧ କଲା ପରେ, ଖୁସି ପାଳନ କରିବାକୁ ଯାଇ ପରସ୍ପର ମଧ୍ୟରେ ରଙ୍ଗଖେଳରେ ମାତି ଉଠିଥିଲେ ବ୍ରଜବାସୀ । ତେବେ ପୁତନା ବଧ ହେଉ, କିମ୍ବା ହୋଲିକା ଦହନ ହେଉ, ପ୍ରତ୍ୟେକଟି ପୌରାଣିକ ଆଖ୍ୟାନ ଅନ୍ତରାଳରେ ରହିଛି, ଅସତ୍ୟ ଉପରେ ସତ୍ୟର ପ୍ରତୀକାତ୍ମକ ବିଜୟର ସଂକେତ । ମାତ୍ର ଜନମାନସକୁ ଯେଉଁ କଥାଟି ଅଧିକ ଆହ୍ଲାଦିତ କରେ, ତାହା ହେଉଛି ପ୍ରେମମୟ କୃଷ୍ଣ ଓ ପ୍ରେମମୟୀ ରାଧାଙ୍କ ମନରେ ଆଧ୍ୟାତ୍ମିକ ପ୍ରୀତିର ମହକ ।

ବିଭିନ୍ନ ସ୍ଥାନରେ ପଞ୍ଚୁଦୋଳ

ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଞ୍ଚ ଦିନ ଧରି ଦୋଳ ପର୍ବ ପାଳନ ହୁଏ । ହରିରାଜପୁରର ଆରାଧ୍ୟ ମହାଦେବ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ବାବା ସୋମନାଥ ଦେବଙ୍କ ପ୍ରସିଦ୍ଧ ହରିରାଜପୁର ପଞ୍ଚୁ ଦୋଳ ମେଳଣ, ଖୋର୍ଦ୍ଧା ଜିଲ୍ଲା ବାଣପୁର, ପଲଟଣ ପଡିଆର ପଞ୍ଚୁ ଦୋଳ ତଥା ବେଗୁନିଆର ପଞ୍ଚୁ ଦୋଳ, ଆଠଗଡ ଗଡ଼ଜାତ ପଞ୍ଚୁ ଦୋଳ, କେନ୍ଦ୍ରାପଡ଼ା ବାଲିପାଟଣା ପଞ୍ଚୁ ଦୋଳ, ଚିଲିକା କୂଳର ମାଲୁଦ ପଞ୍ଚୁ ଦୋଳ ଆଦି ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ

ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିରାଜପୁରଠାରେ ଆରାଧ୍ୟ ଦେବତା ମହାଦେବ ଶ୍ରୀ ପଶ୍ଚିମାଶମ୍ଭୁ ବାବା ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଲଣର ସ୍ଥାନ ରାଜ୍ୟରେ ସ୍ୱତନ୍ତ୍ର । ଏହି ମେଳଣର ମୁଖ୍ୟ ଆକର୍ଷଣ ହେଉଛି, ଠାକୁରମାନଙ୍କ ଜମାଣ ରାତ୍ରରେ ରାତି ତମାମ ଆକର୍ଷଣୀୟ ମନଲୋଭା ଆତସବାଜି ପ୍ରଦର୍ଶନ । ଏହି ଆତସବାଜୀ ପ୍ରଦର୍ଶନର ବିଶେଷତ୍ୱ ହେଉଛି ଏହି ମେଳଣର ସ୍ଥାନାଧୂପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ବୁ ସୋମନାଥ ଦେବଙ୍କ ନିକଟରେ ମାନସିକ ରଖୁଥିବା ମାନସିକଧାରୀଙ୍କ ପକ୍ଷରୁ ଆତସବାଜୀ ରାତ୍ରି ତମାମ ଫୁଟା ଯାଇଥାଏ । ଏଭଳି ପରମ୍ପରା ଓଡ଼ିଶାରେ ଅନନ୍ୟ ।

କିମ୍ବଦନ୍ତୀ

ଗଜପତି ମହାରାଜା ନରସିଂହ ଦେବଙ୍କ ରାଜସ୍ୱର ପ୍ରଥମ ପନ୍ଦର ବର୍ଷ ସୁଖ ଶାନ୍ତିରେ କଟିଥିବାରୁ ୧୬୩୬ ଖ୍ରୀଷ୍ଟାବ୍ଦ ଚୈତ୍ରମାସ କୃଷ୍ଣ ପକ୍ଷରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବସନ୍ତରାସ (ନୂତନ ରଥଯାତ୍ରା) ଅନୁଷ୍ଠିତ ହାଇଥିଲା । ଏହି ରଥଯାତ୍ରା ଦେଖିସାରି ହରିରାଜପୁର ଗ୍ରାମର ବାବାଜି ଗୋବର୍ଦ୍ଧନ ଦାସ ଓ ନିତେଇ ସାହୁ (ଖରୁଡ଼ା) ଗ୍ରାମକୁ ଫେରିବା ବାଟରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁ ଦୋଳ ମେଳଣ କରିବାକୁ ଆଲୋଚନା କ୍ରମେ ମନସ୍ଥ କଲେ ।

ତଦନୁଯାୟୀ ଗୋବର୍ଦ୍ଧନ ଓ ନିତେଇ ତାଙ୍କ ପାଖରେ ଥିବା ଏକଟଙ୍କା ଚାରିଅଣାରେ ଛୋଟ ଛୋଟ ଆଟିକାମାନ କିଣି ଗ୍ରାମକୁ ଫେରିଥିଲେ । ଗ୍ରାମକୁ ଫେରି ଗୋବର୍ଦ୍ଧନ ଓ ନିତେଇ ସଙ୍ଗରେ ଆଣିଥିବା ଛୋଟ ଛୋଟ ଆଟିକାଗୁଡ଼ିକୁ ହରିରାଜପୁର ଗ୍ରାମର ସମସ୍ତଙ୍କ ଘରେ ବାଣ୍ଟି ଦେଇଥିଲେ ଓ ପ୍ରତିଦିନ ରୋଷେଇ କରିବା ପୂର୍ବରୁ ଭକ୍ତ ଆଟିକାରେ ଦୁଇଓଳି ମୁଠାଏ ଲେଖାଏଁ ଚାଉଳ ପକାଇବାକୁ ଘରେ ଘରେ ଲୋକମାନଙ୍କୁ ଅନୁରୋଧ କରିଥିଲେ । ଗ୍ରାମବାସୀଙ୍କଠାରୁ ସଂଗୃହୀତ ଏହି ମୁଠି ଚାଉଳର ବିକ୍ରିଲବ୍ଧ ଅର୍ଥରେ ପରବର୍ଷ ଅର୍ଥାତ୍ ୧୬୩୭ ଖ୍ରୀଷ୍ଟାବ୍ଦ ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଥିବା ଜନଶ୍ରୁତିରୁ ଜଣାଯାଏ ।

ଯାହାକି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବସନ୍ତରାସ (ନୂତନ ରଥଯାତ୍ରା)ର ଠିକ୍ ବର୍ଷକ ପରେ ଅନୁଷ୍ଠିତ ହୋଇଥିଲା । ହରିରାଜପୁରର ଚତୁଃପାର୍ଶ୍ଵରେ ଥିବା ୫ଟି ପ୍ରତିଷ୍ଠିତ ଠାକୁର ଯଥା- ହରିରାଜପୁର ଗ୍ରାମର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ, ବୁଢ଼ାପଡ଼ା ଗ୍ରାମର ଶ୍ରୀ ଶ୍ରୀ ସୋମନାଥ ଦେବ, ଉଁସର ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, କନ୍ତିଆ ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବ ଓ ଛଣଘର ଗ୍ରାମର ଶ୍ରୀ ଶ୍ରୀ ଗତିଶ୍ୱର ଦେବଙ୍କୁ ନେଇ ଏହି ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଥିଲା । କାଳକ୍ରମେ ହରିରାଜପୁର ନିକଟବର୍ତ୍ତୀ ଅଞ୍ଚଳର ୭୭ ଠାକୁରଙ୍କୁ ଏହି ପଞ୍ଚୁଦୋଳ ମେଳଣରେ ସାମିଲ୍ କରାଗଲା ।