Advertisment

Lord Alaranath: ତରତର ହୋଇ ଗରମ କ୍ଷୀରି ଖାଉଥିଲେ ପ୍ରଭୁ ଅଲାରନାଥ, ହଠାତ୍ ଖୋଲିଗଲା ମନ୍ଦିର କବାଟ

ଏମିତି କାହାଣୀ ଆପଣ କେବଳ ଭାରତୀୟ ହିନ୍ଦୁ ସଂସ୍କୃତିରେ ହିଁ ଦେଖିବାକୁ ପାଇବେ। ଜଗନ୍ନାଥ ସଂସ୍କୃତିର ବିଶେଷତ୍ୱ ହେଉଛି ଏହା ସାଧାରଣ ମଣିଷର କଥା କୁହେ। ମହାପ୍ରଭୁଙ୍କ ନୀତି ସହିତ ଜଡ଼ିତ ଏହି କାହାଣୀଟି ପଢ଼ନ୍ତୁ, ଜାଣିପାରିବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ।

ଅଦ୍ୟତନ ହୋଇଛି
myth behind worship of lord alaranath of brahmagiri during jagannath anasara

myth behind worship of lord alaranath of brahmagiri during jagannath anasara

Advertisment

ଦେବସ୍ନାନ ପୂର୍ଣ୍ଣିମା ଦିନ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନଙ୍କ ସ୍ନାନଯାତ୍ରା ସମ୍ପୂର୍ଣ ହୁଏ। ଏହା ହେଉଚି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅନନ୍ୟ ମାନବୀୟ ଲୀଳାର ନିଦର୍ଶନ। ଅତ୍ୟଧିକ ଗଧୋଇଲେ ଯେପରି ମଣିଷମାନେ ରୋଗାକ୍ରାନ୍ତ ହୁଅନ୍ତି ସେପରି ଏହି ଚତୁର୍ଦ୍ଧାମୂର୍ତ୍ତି ମଧ୍ୟ ଥଣ୍ଡା ଜ୍ୱରରେ ପୀଡ଼ିତ ହୁଅନ୍ତି। ତେଣୁ ଆଷାଢ଼ ମାସର ପ୍ରଥମ ଦିନରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ କାଳ ସେ କାହାରିକୁ ଦର୍ଶନ ଦିଅନ୍ତି ନାହିଁ। ଲୋକ ମୁଖରେ ଏହାକୁ କୁହାଯାଏ ଅନବସର ବା ଅଣସର। କଥିତ ଅଛି ଯେ, ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ଵମେଧ ଯଜ୍ଞ ପରେ ଦାରୁପ୍ରାପ୍ତ ହେଲା ପରେ ପନ୍ଦର ଦିନ ଗୁପ୍ତ ଭାବରେ ବିଗ୍ରହ ନିର୍ମାଣ କରିଥିଲେ। ଏହି ପକ୍ଷକୁ ଅଣସର କୁହାଯାଏ ବୋଲି ନୀଳାମ୍ବର ଦାସଙ୍କ ‘ଦେଉଳତୋଳା’ପୁସ୍ତକରେ ଉଲ୍ଲେଖ ଅଛି। ଏହି ସମୟ ମଧ୍ୟରେ ପଟ ଦେହରେ ଚିତ୍ରିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି। ଆହୁରି ମଧ୍ୟ ବିଶ୍ଵାସ ରହିଛି ଯେ, ଶ୍ରୀଜଗନ୍ନାଥଙ୍କ ଅନବସର କାଳରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ଵାସ କରାଯାଏ। ସେଥିପାଇଁ ମହାପ୍ରଭୁଙ୍କ ଅନବସର କାଳରେ ବ୍ରହ୍ମଗିରିକୁ ଆସିଥାନ୍ତି ଅଗଣିତ ସାଧୁ ସନ୍ନ୍ୟାସୀ ଓ ଜଗନ୍ନାଥଙ୍କ ଭକ୍ତଗଣ।

Advertisment

ଅଲାରନାଥ କିଏ?

ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅଲାରନାଥ କେଉଁ ପ୍ରାଚୀନ କାଳରୁ ପରମ ବିଷ୍ଣୁ ରୂପେ ପୂଜା ପାଇ ଆସୁଛନ୍ତି। ବିଶେଷ କରି ଜଗନ୍ନାଥଙ୍କ ଅନବସର ସମୟରେ ସେ ହିଁ ଏକମାତ୍ର ଦେବତା, ଯାହାଙ୍କୁ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ପୁଣ୍ୟ ଅର୍ଜନ କରିଥାନ୍ତି। ଭାରତୀୟ ସାଂସ୍କୃତିକ ପରମ୍ପରାରେ ଲୋକମାନଙ୍କ ଦ୍ୱାରା ଉପାସିତ ତେତିଶ କୋଟି ଦେବତାଙ୍କ ମଧ୍ୟରେ ବିଷ୍ଣୁ ହେଉଛନ୍ତି ପରମ ଶକ୍ତିମାନ ଓ ମୋକ୍ଷ ଦାତା। ଦକ୍ଷିଣ ଭାରତରେ ବିଷ୍ଣୁ ଉପାସନା କେବେଠାରୁ ପ୍ରଚଳିତ ହୋଇଆସୁଛି ତାହା କଳନା କରିବା ସମ୍ଭବପର ନୁହେଁ। ତଥାପି ଅଲୱାରମାନଙ୍କ (ଦକ୍ଷିଣ ଭାରତରେ ବିଷ୍ଣୁଭକ୍ତ ଗଣକୁ ତାମିଲ୍ ଭାଷାରେ ‘ଅଲୱାର’ କୁହାଯାଉଥିଲା) ପୂଜିତ ବିଷ୍ଣୁ ହିଁ ଅଲୱାରନାଥ ବା ଅଲାରନାଥ ରୂପେ ବ୍ରହ୍ମଗିରିରେ ଏକାଦଶ/ଦ୍ୱାଦଶ ଶତାବ୍ଦୀରୁ ପୂଜା ପାଇ ଆସୁଛନ୍ତି। ଲୋକମତରେ ଜଗନ୍ନାଥ ଓ ଅଲାରନାଥଙ୍କ ମଧ୍ୟରେ ସାଦୃଶ୍ୟଗତ ଭିନ୍ନତା ଥିଲେ ମଧ୍ୟ ଉଭୟ ହେଉଛନ୍ତି ବିଷ୍ଣୁ।

ଅଲାରନାଥଙ୍କ ଅନନ୍ୟ ରୂପ

ଅଲାରନାଥଙ୍କ କମନୀୟ ରୂପକାନ୍ତି ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଏକ ବଡ଼ ପଥର ଦେହରୁ ହିଁ ସିଂହାସନ ସହ ଅଲାରନାଥଙ୍କ ମୂର୍ତ୍ତି ଖୋଦନ କରାଯାଇଛି। ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ୬ ଫୁଟ ଏବଂ ସିଂହାସନର ଉଚ୍ଚତା ପ୍ରାୟ ୭ ଫୁଟ। ପୂଜକମାନଙ୍କ କହିବା ଅନୁସାରେ ମାଟି ତଳେ ମଧ୍ୟ ପ୍ରାୟ ୭ ଫୁଟ୍ ପୋତା ହୋଇ ରହିଛି। କଳା ମୁଗୁନି ପଥରରେ ନିର୍ମିତ ଏହି ଦେବମୂର୍ତ୍ତି ହିଁ ଚତୁର୍ଭୂଜ ନାରାୟଣ ବା ମହାପ୍ରଭୁ ଅଲାରନାଥ ରୂପେ ବିରାଜମାନ। ତାଙ୍କ ମସ୍ତକରେ କିରିଟୀ, କଣ୍ଠରେ ହାର, କାନରେ କୁଣ୍ଡଳ, ବାହୁରେ ବାଜୁବନ୍ଧ, ହାତରେ କଙ୍କଣ, କଟିରେ କଟି ମେଖଳା, ପାଦରେ ନୂପୁର ଓ ପାଉଞ୍ଜି, ସର୍ବୋପରି କଣ୍ଠଠାରୁ ଆଣ୍ଠୁମଧ୍ୟରେ ଚମ୍ପାକଢ଼ ମାଳା (ପଥରନିର୍ମିତ) ଲମ୍ବମାନ ହୋଇ ରହିଛି। ତାଙ୍କ ମସ୍ତକର ପଛ ଭାଗରେ ତୈଲଙ୍ଗୀୟ ଚୂଡ଼ା ଶୋଭା ପାଉଛି। ସାଧାରଣତଃ ଓଡ଼ିଶାର ଅନ୍ୟାନ୍ୟ ବିଷ୍ଣୁ ମୂର୍ତିଙ୍କ ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭା ପାଉଥାଏ। ମାତ୍ର ଏଠାରେ ଏହାର ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ।

Advertisment

ଚତୁର୍ଭୁଜରେ ଯଥାକ୍ରମେ ପଦ୍ମ, ଚକ୍ର, ଶଙ୍ଖ ଓ ଗଦା ଶୋଭା ପାଉଛି। ପଦ୍ମ ଧାରଣ କରିଥିବା ହସ୍ତ ଆଶୀର୍ବାଦାତ୍ମକ। ପ୍ରଭୁ ଅଲାରନାଥଙ୍କ ଦକ୍ଷିଣ ପାର୍ଶ୍ୱରେ ଶିବ ଓ ବାମରେ ବ୍ରହ୍ମାଙ୍କ ମୂର୍ତି ଖୋଦିତ ହୋଇଛି। ସିଂହାସନ ମଧ୍ୟରେ ଓ ନିମ୍ନଦେଶରେ ଚାରିଗୋଟି ନାରୀ ମୂର୍ତ୍ତି ରହିଛି। ସେଗୁଡ଼ିକ ଯଥାକ୍ରମେ ରୁକ୍ମିଣୀ, ସତ୍ୟଭାମା, ଲଲିତା ଓ ବିଶାଖା ରୂପେ ଚିହ୍ନିତ। ଲକ୍ଷ୍ମୀ ଓ ସରସ୍ୱତୀଙ୍କ ବିଜେ ପ୍ରତିମା ସିଂହାସନରୁ ପୃଥକ ହୋଇ ରହିଛି। ସିଂହାସନର ନିମ୍ନରେ ଗରୁଡ଼ ରହିଛନ୍ତି। ସମଗ୍ର ମୂର୍ତ୍ତିଟି ଏକ ପଦ୍ମ ଉପରେ ଦଣ୍ଡାୟମାନ। ଏହାବ୍ୟତୀତ ଅଲାରନାଥଙ୍କ ଅନ୍ୟ ଏକ ବିଶେଷତ୍ଵ ହେଉଛି, ତାଙ୍କ ଶରୀରର ବିଭିନ୍ନ ଅଂଶରେ ପୋଡ଼ା ଚିହ୍ନ ରହିଛି। ମୁହଁ ଓ ବକ୍ଷ ଦେଶରେ ଗୋଟିଏ ଗୋଟିଏ ଫୋଟକା ମଧ୍ୟ ପରିଦୃଷ୍ଟ ହୁଏ। ଡ଼ାହାଣ ହାତରେ ମଧ୍ୟ କିଛି ଅଂଶ ପୋଡ଼ିଗଲା ଭଳି ଦୃଶ୍ୟମାନ ହୁଏ।

ଅଲାରନାଥଙ୍କ ଦେହରେ ପୋଡ଼ା ଚିହ୍ନ କାହିଁକି

ବହୁ ପୁରାତନ କାଳରେ, ଶ୍ରୀକେତନ ନାମକ ଜଣେ ବ୍ରାହ୍ମଣ ପୂଜା କରୁଥିଲେ। ସେ ପୂଜକ କୌଣସି ଜରୁରୀ କାମରେ କେତେଦିନ ପାଇଁ ବାହାରକୁ ଚାଲି ଯାଇଥିଲେ। ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ର ମଧୁସୂଦନକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ। ଅଜ୍ଞାନ ବାଳକ ମଧୁସୂଦନ, ପୂଜା ପଦ୍ଧତି ସମ୍ୱନ୍ଧରେ କିଛି ଜାଣିନଥିଲେ ସୁଦ୍ଧା କ୍ଷୀରିହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତା’ର ପିଲାବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କଲା। କହିଲା– ‘ଆସ ଅଲାର ଖାଅ ଖିରି, ବାପା ଯାଇଛନ୍ତି ତୀର୍ଥ କରି।‘

Advertisment

କିଛି ସମୟ ପରେ ଆଖି ଖୋଲି ଦେଖିଲା, ହାଣ୍ଡିରେ କିଛି କ୍ଷୀରି ନାହିଁ l ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମାଆ ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ। ବିଲେଇ ବୋଧହୁଏ କ୍ଷୀରି ଖାଇ ଦେଇଥିବ, କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ ଭାବି ସେ ପୁଅକୁ ଅବିଶ୍ୱାସ କଲେ। ଭାବିଲେ, ପୂଜକ ଏତେ ନିଷ୍ଠାରେ ଉପଯୁକ୍ତ ପୂଜାପଦ୍ଧତି ସହିତ ପୂଜା କରି ମଧ୍ୟ ପ୍ରଭୁ ଦିନେବି ତାଙ୍କ ଭୋଗ ଖାଇନଥିଲେ କାହିଁକି। ତା ପରଦିନ ପୁଅକୁ କ୍ଷୀରିହାଣ୍ଡି ସହ ପଠାଇ ବାଳକଟିର ମାଆ କବାଟ ପାଖରେ ଲୁଚି ରହି ଦେଖିଲେ

ଦେଖିଲେ, କ୍ଷୀରି ଖାଇବା ପାଇଁ ମଧୁସୂଦନ ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ସିଂହାସନରୁ ଓହ୍ଲାଇ ନଇଁ ପଡ଼ି କ୍ଷୀରି ଖାଇବା ଆରମ୍ଭ କରିଥିଲେ। ଏହା ଦେଖି ବାଳକଟିର ମାଆ ଆଶ୍ଚର୍ଯ୍ୟ ଓ ଭୟରେ କବାଟ ଖୋଲି ଦେଇଥିଲେ। ଫଳରେ ତରତର ହୋଇ ଗରମ କ୍ଷୀରି ଖାଇ ଫେରି ଯାଉଥିବା ପ୍ରଭୁ ଅଲାରନାଥଙ୍କ ହାତ ଓ ମୁହଁରେ ପଡ଼ି କ୍ଷୀରି ପଡ଼ି ଫୋଟକା ହୋଇଯାଇଥିଲା। ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କ ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି। ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରିଥାନ୍ତି, ଯାହାଫଳରେ ଏହି କ୍ଷୀରିଭୋଗ ଅତ୍ୟନ୍ତ ସୁସ୍ୱାଦୁ ପ୍ରସାଦ ପାଲଟି ଯାଇଥାଏ।

ଶ୍ରୀଚୈତନଙ୍କ ଅଲାରାନାଥ ଦର୍ଶନ

କୁହାଯାଏ ଯେ, ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟ, ଶ୍ରୀକ୍ଷେତ୍ରକୁ ଆସିବା ସମୟରେ ଅଲାରନାଥଙ୍କ ମହିମା ପୁଣିଥରେ ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ। ଶ୍ରୀ ଚୈତନ୍ୟ ପ୍ରତ୍ୟେକ ଦିନ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ। ଥରେ ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନପାଇ ବିରହ ଜ୍ୱାଳାରେ ସେ ମ୍ରିୟମ୍ରାଣ ହୋଇପଡ଼ିଥିଲେ। ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ।

ସେଠାରେ ପଡ଼ିଥିବା ଏକ ପଥର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ। ଶ୍ରୀବିଗ୍ରହଙ୍କ ଦର୍ଶନ ନପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ, ସେ ପଥର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା। ଏବେ ବି ସେହି ପଥର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି। ଶ୍ରୀଚୈତନ୍ୟ ପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଏହି ପୀଠକୁ ଆସି ପ୍ରଭୁ ଅଲରନାଥଙ୍କୁ ଦର୍ଶନ କରିବା ସହିତ ସେହି ସର୍ବାଙ୍ଗ ଶିଳାକୁ ପ୍ରଣିପାତ କରିଥାନ୍ତି।

ଯୁଗେ ଯୁଗେ ଭାରତୀୟମାନେ ବିଷ୍ଣୁ ଉପାସନାକୁ ପ୍ରାଧାନ୍ୟ ଦେଇଆସିଛନ୍ତି। ସେହିପରି ଭାରତର ଦକ୍ଷିଣାଞ୍ଚଳରେ ବାସ କରୁଥିବା ଅଲୱାରମାନଙ୍କର ମୁଖ୍ୟ ଦେବତା ହେଉଛନ୍ତି ବିଷ୍ଣୁ। ଓଡ଼ିଶାରେ ସେମାନେ ବିଷ୍ଣୁଙ୍କର ଉପାସନାକୁ ପ୍ରସାରିତ କରିବା ପାଇଁ ବ୍ରହ୍ମଗିରିରେ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ଦକ୍ଷିଣ ଭାରତୀୟ ପୂଜାପଦ୍ଧତି ହିଁ ଏଠାରେ ପ୍ରଚଳିତ। କମ୍ମା ଜାତୀୟ ଭକ୍ତମାନେ ତାଙ୍କର ପୂଜକ। ଦକ୍ଷିଣ ଭାରତରୁ ଆସିଥିବା ଗଙ୍ଗବଂଶୀ ରାଜାମାନଙ୍କ ପ୍ରଧାନ କୀର୍ତ୍ତିସ୍ତମ୍ଭ ରୂପେ ବିରାଜମାନ ଜଗନ୍ନାଥ ମନ୍ଦିର ସହ କେଉଁ ପ୍ରାଚୀନ କାଳରୁ ଏହାର ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା ହୋଇଆସିଛି।

Jagannath Culture Of Odisha Bramhagiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ