ମହାମିଳନର ପର୍ବ ମହାକୁମ୍ଭ । ଜାନୁୟାରୀ ୧୩ରୁ ଫେବ୍ରୁଆରି ୨୬ଯାଏ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ୍ ଆଧ୍ୟାତ୍ମିକ ସମାବେଶ ମହାକୁମ୍ଭ ମେଳା । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ୩୦-୪୫ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ହିନ୍ଦୁଙ୍କ ପାଇଁ ଅନେକ ମାନ୍ୟତା ରହିଛି । ପ୍ରତ୍ୟେକ ୧୨ ବର୍ଷ ଅନ୍ତରରେ ହରିଦ୍ୱାରା, ପ୍ରୟାଗରାଜ, ଉଜ୍ଜୟନୀ ଓ ନାସିକରେ ହୁଏ ମହାକୁମ୍ଭ ମେଳାର ଆୟୋଜନ ଏବଂ ଏଥିରୁ ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ସବୁଠାରୁ ଭବ୍ୟ ।
କେବଳ ଭାରତ ନୁହେଁ, ଦୁନିଆର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୁମ୍ଭ ମେଳାରେ ଯୋଗଦେବାକୁ ଆସନ୍ତି । କୁମ୍ଭମେଳା ସମୟରେ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କୁମ୍ଭର ଆକ୍ଷରିକ ଅର୍ଥ ହେଉଛି ପାତ୍ର । ମୁନିଋଷିଙ୍କ କାଳରୁ ଅନୁଷ୍ଠିତ ହେଉଛି ଏହି ପବିତ୍ର ମେଳା । କିଛି ବର୍ଷ ପୂର୍ବେ ହରିଦ୍ୱାରରେ କୁମ୍ଭମେଳା ଆୟୋଜିତ ହୋଇଥିଲା ।
Also Read
ମହାକୁମ୍ଭ ୨୦୨୫ର ତାରିଖ ଓ ତିଥି
୨୦୨୫ ମସିହାର ମହା କୁମ୍ଭମେଳା ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି । ୧୩ ଜାନୁୟାରୀ ପୂର୍ଣ୍ଣିମା ଦିନ ଆରମ୍ଭ ହେବ ଏବଂ ୨୬ ଫେବୃଆରୀରେ ମହାଶିବରାତ୍ରୀରେ ଶେଷ ହେବ ଏହି ମେଳା ।
କେବେ କେବେ ହେବ ମହାକୁମ୍ଭର ମହାସ୍ନାନ
ପ୍ରୟାଗରାଜ ମହାକୁମ୍ଭରେ ୬ ଟି ମହାସ୍ନାନ ଅନୁଷ୍ଠିତ ହେବ । ମହାକୁମ୍ଭ ମେଳାର ପ୍ରଥମ ମହାସ୍ନାନ ୧୩ ଜାନୁୟାରୀ ୨୦୨୫ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ମହାସ୍ନାନ ୧୪ ଜାନୁୟାରୀ ୨୦୨୫ ମକର ସଂକ୍ରାନ୍ତିରେ, ତୃତୀୟ ମହାସ୍ନାନ ୨୯ ଜାନୁୟାରୀ ୨୦୨୫ ମୌନି ଅମାବାସ୍ୟାରେ, ଚତୁର୍ଥ ମହାସ୍ନାନ ୨ ଫେବୃଆରୀ ୨୦୨୫ରେ ବସନ୍ତ ପଞ୍ଚମୀରେ, ପଞ୍ଚମ ମହାସ୍ନାନ ଫେବୃଆରୀ ୨୦୨୫ ମାଘ ପୂର୍ଣ୍ଣିମାରେ ଏବଂ ଶେଷ ମହାସ୍ନାନ ୨୬ ଫେବୃଆରୀ ୨୦୨୫ ରେ ମହାଶିବରାତ୍ରୀରେ ଅନୁଷ୍ଠିତ ହେବ।
ମହାକୁମ୍ଭ ମେଳାରେ ମହାସଂଯୋଗ
ଚଳିତ ମହାକୁମ୍ଭ ମେଳାରେ ରବି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ସକାଳ ୭.୧୫ ରୁ ଆରମ୍ଭ ହୋଇ ସକାଳ ୧୦.୩୮ ରେ ଶେଷ ହେବ । ଏହି ଦିନ ଭଦ୍ରବାସ ଯୋଗ ରହିଛି ଏବଂ ଏହି ଯୋଗରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ମିଳେ ବୋଲି କୁହାଯାଏ ।
ମହାକୁମ୍ଭ ମେଳାର ଐତିହାସିକ ମହତ୍ୱ
ମାନ୍ୟତା ଅନୁସାରେ, ମହାକୁମ୍ଭ ମେଳାର ସମ୍ମନ୍ଧ ସମୁଦ୍ର ମନ୍ଥନ ସହ ରହିଛି । ଋଷି ଦୁର୍ବାସାଙ୍କ ଅପିଶାପ ଯୋଗୁଁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନେ ଦୁର୍ବଳ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ରାକ୍ଷସମାନେ ଦେବତାଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ପରାସ୍ତ କରିଥିଲେ । ରାକ୍ଷସଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ଦେବତାମାନେ ଏକତ୍ର ହୋଇ ଭଗବାନ ବିଷ୍ଣୁଙ୍କ ଶରଣ ପଶିଥିଲେ । ଦେବତାଙ୍କ ଦୁଃଖ ଶୁଣି ସମୁଦ୍ର ମନ୍ଥନ କରି ସେଥିରୁ ଅମୃତ ବାହାର କରିବା ପାଇଁ ବିଷ୍ଣୁ ପରାମର୍ଶ ଦେଇଥିଲେ । ଯେତେବେଳେ ସମୁଦ୍ରରୁ ଅମୃତ କଳସର ଆବିର୍ଭାବ ହୋଇଥିଲା, ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ତାକୁ ନେଇ ଆକାଶରେ ଉଡ଼ି ଯାଇଥିଲେ ।
ଏହା ଦେଖି ଅମୃତ କଳସ ହାସଲ ପାଇଁ ଜୟନ୍ତ ପଛରେ ଧାଇଁଥିଲେ ରାକ୍ଷସକୂଳ । ଅନେକ ପ୍ରୟାସ ପରେ ଦୈତ୍ୟଙ୍କ ହାତକୁ ଆସିଲା ଅମୃତ କଳସ । ଏହାପରେ ଅମୃତ କଳସ ଉପରେ ନିଜର ପ୍ରଭୂତ୍ୱ ଜାହିର କରିବା ପାଇଁ ଦେବତା ଓ ଅସୁରମାନଙ୍କ ମଧ୍ୟରେ ୧୨ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଥିଲା । ସମୁଦ୍ର ମନ୍ଥନ ସମୟରେ ଅମୃତ କଳସରୁ କିଛି ବୁନ୍ଦା ହରିଦ୍ୱାର, ଉଜ୍ଜୟନୀ, ପ୍ରୟାଗରାଜ ଓ ନାସିକରେ ପଡ଼ିଥିଲା, ଏଥିପାଇଁ ଚାରି ସ୍ଥାନରେ ମହାକୁମ୍ଭ ମେଳାର ଆୟୋଜନ କରାଯାଏ ।
ମହାକୁମ୍ଭ ମେଳା ମାଗଣା ବୁକିଂ ପାର୍କିଂ ସୁବିଧା
ସେପଟେ ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି । ୪୦ କୋଟି ଶ୍ରଦ୍ଧାଳୁ ଏହି ମେଳାରେ ଯୋଗଦେବେ ବୋଲି ଆଶା କରାଯାଉଛି, ତେଣୁ ଗାଡି ପାର୍କିଂ ପାଇଁ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି । ମହାକୁମ୍ଭ ଲାଗି ସମୁଦାୟ ୪ ହଜାର ହେକ୍ଟର୍ ଅଞ୍ଚଳ ବିକଶିତ କରାଯାଇଛି। ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇ ୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଏଥିସହ ପ୍ଲାଷ୍ଟିକମୁକ୍ତ ମହାକୁମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ମହାକୁମ୍ଭ ଆୟୋଜନ କରିବାକୁ କେନ୍ଦ୍ର ସରକାର ୨୧ଶହ କୋଟି ଏବଂ ଉତ୍ତର ପ୍ରଦେଶ ସରକାର ୫,୪୩୫ କୋଟି ଟଙ୍କା ବ୍ୟୟ କରୁଛନ୍ତି । ସଡ଼କ, ପାନୀୟ ଜଳ, ସ୍ବଚ୍ଛତା ଲାଗି ୨୦୦୦ରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି ।
ମେଳା ସମୟରେ ୨୫ ଲକ୍ଷ ଯାନ ଆସିବ ବୋଲି ଆଶା କରାଯାଉଛି । ପାର୍କିଂ ବ୍ୟବସ୍ଥାକୁ ସରଳ କରିବା ପାଇଁ ପ୍ରଶାସନ ଫାସଟାଗ ଆଧାରିତ ପାର୍କିଂ ସୁବିଧା ଆରମ୍ଭ କରିଛି । ଫାସଟାଗ ବ୍ୟବସ୍ଥା ଯୋଗୁଁ ପାର୍କିଂ ସ୍ଥାନରୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ କମ୍ ସମୟ ଲାଗିବ ।
ଉନ୍ନତ ପାର୍କିଂ ପ୍ରଣାଳୀ ଅନୁସାରେ ମହାକୁମ୍ଭରେ ୫ ଲକ୍ଷ ଯାନ ପାର୍କିଂ କରାଯାଇପାରିବ । ପାର୍କିଂ ପାଇଁ ଡିଜିଟାଲ ପେମେଣ୍ଟ ବିକଳ୍ପଗୁଡ଼ିକ ଅଧିକ ଉପଲବ୍ଧ ହେବ । ଏହାଦ୍ୱାରା ଭକ୍ତମାନଙ୍କ ପାଇଁ ସେମାନଙ୍କ ଗାଡି ପାର୍କିଂ କରିବା ସହଜ ହେବ । ଭକ୍ତଙ୍କୁ କୌଣସି ଭିଡ଼ରେ ଫସିବାକୁ ପଡ଼ିବନି କି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଫାସଟାଗ ଭିତ୍ତିକ ଏଣ୍ଟ୍ରି ବ୍ୟତୀତ ଭକ୍ତମାନେ ପାର୍କ ପ୍ଲସ୍ ଆପ୍ ବ୍ୟବହାର କରି ସେମାନଙ୍କ ପାର୍କିଂ ସ୍ଥାନ ଗୁଡ଼ିକର ପ୍ରି-ବୁକ୍ କରିପାରିବେ । ପ୍ରି-ବୁକିଂ କରୁଥିବା ଲୋକଙ୍କୁ ପାର୍କିଂ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ ।
କେଉଁ କେଉଁଠାରେ ପାର୍କିଂ ବ୍ୟବସ୍ଥା ?
ନବପ୍ରୟାଗମ, କୃଷି ସଂସ୍ଥାନ, ଟେଣ୍ଟ ସିଟି ଓ ସରସ୍ୱତୀ ହାଇଟେକ ସିଟି ଇଷ୍ଟରେ ପ୍ରମୁଖ୍ ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପରିଚାଳନାରେ ଡିଜିଟାଲ ଏକୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ମହାକୁମ୍ଭକୁ ଆସୁଥିବା ଲୋକଙ୍କୁ ଉତ୍ତମ ଅନୁଭୂତି ଦେବାକୁ ଏସବୁ ବ୍ୟବସ୍ଥା କରାଯାଇଛି ।