Maa Mangala Peetha's atmosphere in Festive session
ପାର୍ବଣ ଆରମ୍ଭରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ପୀଠ ବେଶ ଉତ୍ସବମୁଖର ହୋଇପଡେ। ପାର୍ବଣ ପାଇଁ ସାରା ରାଜ୍ୟ ଏବେ ଉତ୍ସବ ମୁଖର ଥିବା ବେଳେ ଆମ ରାଜ୍ୟର ଅଷ୍ଟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପ୍ରାଚୀ ନଦୀ ତଟ ବାସିନୀ ମା’ ମଙ୍ଗଳାଙ୍କ ପୀଠ ଏବେ ଚଳଚଞ୍ଚଳ । ଆଶ୍ଵିନ ମାସ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ପାର୍ବଣ ପୂଜାରେ ମା’ଙ୍କର ସ୍ଵତନ୍ତ୍ର ରୀତିନୀତି ଆରମ୍ଭ ହୁଏ।
ମା’ଙ୍କ ବିଗ୍ରହ, ମା’ଙ୍କ ଚଳନ୍ତି ପ୍ରତିମା ଓ ମା’ଙ୍କ ନିକଟରେ ଥିବା ଦୂର୍ଗାପ୍ରତିମାକୁ ୧୦୮ କୁମ୍ଭ ଜଳରେ ସ୍ନାନ କରାଇବା ପରେ ଏକ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୁଏ ଷୋଡଶ ଉପଚାର ପୂଜାବିଧି। ଷୋଡଶ ଉପଚାର ପୂଜାପଣ୍ଡା ଓ ପଞ୍ଚଉପଚାର ପୂଜା ପଣ୍ଡାଙ୍କ ଦ୍ଵାରା ପ୍ରତ୍ୟହ ଭୋର ୪ ଟାରୁ ମଙ୍ଗଳ ଆଳତୀ, ସ୍ନାନ ମାଜଣା ପରେ ପ୍ରାଚୀ ନଦୀରୁ ଆସିଥିବା ପାଣିରେ ସୂର୍ଯ୍ୟ ନାରାୟଣ ପୂଜା, ଦ୍ଵାରପାଳ ପୂଜା, କଳସ ପୂଜା, ବଲ୍ଲଭ, ସକାଳ ଧୂପ, ଦ୍ୱୀପ୍ରହର ଭୋଗ, ଭଅଣ୍ଡ ପରେ ପହଡ ଓ ପରେ ସନ୍ଧ୍ୟା ଆଳତି, ରାତ୍ରୀ ଭୋଗରେ ମା’ଙ୍କ ପ୍ରତିମା ତଳେ ଥିବା ଦୁର୍ଗା ପ୍ରତିମାଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯାଇଥାଏ।
ପ୍ରତ୍ୟହ ଚଣ୍ଡୀ ପାଠ ଓ ରାତ୍ରିରେ ଗୀତ ଗୋବିନ୍ଦ ପାଠ କରାଯାଇଥାଏ। ମା’ଙ୍କ ବଡ ସିଂହାର ବେଶ ପରେ ଅଧର ପଣା ଲାଗି କରା ଯାଇଥାଏ। ସନ୍ଧ୍ୟାରେ ଜଗତି ପୂଜା ପରେ ମା’ ମହିଷାକୁ ଖୋଜିବାକୁ ମନ୍ଦିର ବାହାରକୁ ଯାଇଥାନ୍ତି। ନବ ପତ୍ରିକା ବା ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ମା’ ୧୦ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।
ସପ୍ତମୀରେ ମା’ ମହିଷାକୁ ଖୋଜିବା ପାଇଁ ସିଂହ ବାହିନୀ ବେଶ ଧାରଣ କରିଥାନ୍ତି। ମା’ଙ୍କର ଏହି ଆକର୍ଷଣୀୟ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥାଏ। ପାର୍ବଣର ଏହି ମହାର୍ଘ୍ୟ ସମୟରେ ମା’ଙ୍କୁ ଦର୍ଶନ କରି କରୁଣା ଲାଭ କରିବା ପାଇଁ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳେ।
ପାର୍ବଣରେ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ।
(କୋଣାର୍କରୁ ଅଞ୍ଜୟ ପତିଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697207407.jpg)