ଆଜି ‘ବିଶ୍ୱ ବାସହୀନ ଦିବସ’ l ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଚାଲିଗଲାଣି। ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ବାସହୀନ ଲୋକଙ୍କ ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି। କିନ୍ତୁ ଘଟଣା ‘ଯୋଉ ତିମିରେକୁ ସେହି ତିମିରେ’। କେଉଁଠି ରେଳଷ୍ଟେସନରେ ଜୀବନ କଟୁଛି ତ ପୁଣି କେଉଁଠି ଏଟିଏମ୍ କେବିନ୍ ସାଜିଛି ସାହାରା। ଏମାନଙ୍କ ପାଖରେ ନା ଅଛି ଜମିବାଡି ନା ଅଛି ଘରଦ୍ୱାର।
ଏମିତି ଏକ ଦୃଶ୍ୟ ସୋର ରେଳଷ୍ଟେସନ୍ରେ ଦେଖିବାକୁ ମିଳିଛି। ବାସହୀନଙ୍କ ପାଇଁ ଏହା ସାଜିଛି ଘର। ଏଇଠି ଶୋଇବା, ଏଇଠି ଗାଧେଇବା ଆଉ ଖାଇବା ସବୁ ଏଇଠି ହିଁ ହୁଏ। ଏମାନଙ୍କର ଜାଗା ବାଡ଼ି ନ ଥିବା ବେଳେ ଏମାନେ ରାତିରେ ରେଳ ଷ୍ଟେସନରେ ହିଁ ମୁଣ୍ଡ ଗୁଞ୍ଜୁଛନ୍ତି। ଏଠାକୁ ଆସୁଥିବା ଲୋକମାନେ ଯାହା ଦେଉଛନ୍ତି ସେହିଥିରେ ପେଟ ଚାଖଣ୍ଡକ ପାଇଁ ଆହାର ମିଳେ। ହେଲେ ସନ୍ଧ୍ୟା ଆସିଲେ ସେମାନଙ୍କ ଜୀବନ ପାଇଁ ମାଡିଆସେ ଅନ୍ଧାର। ଖରା, ବର୍ଷା, ଶୀତ, କାକରରେ ଏମାନେ ଏଇଠି ଏମିତି ପଡି ରୁହନ୍ତି।
ଏମାନଙ୍କ ଦୁଃଖ କହିଲେ ନ ସରେ। ଯାହା ଯେତେବେଳେ ମିଳେ ଖାଆନ୍ତି ନ ହେଲେ ଉପାସେ। ଏମାନଙ୍କ ମଧ୍ୟରୁ କିଛି ଅସହାୟ ଅଛନ୍ତି ଯେଉଁମାନଙ୍କ ପୁଅ ବୋହୂ ମଧ୍ୟ ଅଛନ୍ତି। କିନ୍ତୁ ସେମାନେ ଏମାନଙ୍କୁ ପାଖରେ ରଖିବାକୁ ଚାହୁଁ ନଥିବାରୁ ରେଳ ଷ୍ଟେସନ ହିଁ ଏମାନଙ୍କ ଘର ପାଲଟିଛି। ଭିକ ମାଗି ଯାହା ମିଳେ ସେଇଥିରେ ପୋଷାହୁଏ ପେଟ।
Also Read
ଏମାନଙ୍କ ଜୀବନ ଏତେ କଷ୍ଟ ଯେ ନ ଦେଖିଲେ ଜାଣି ହେବନି। ଏହି ଦୁଃଖକୁ ଯିଏ ଦେଖିବ ତା ଅନ୍ତରଆତ୍ମା କାନ୍ଦି ଉଠିବ। ଏନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ ଆଉ ସ୍ଥାନୀୟ ଲୋକ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏମାନେ ଖାଦ୍ୟ ଦେଉଥିବାରୁ ସେମାନଙ୍କ ଜୀବନ ବଞ୍ଚିଛି।
ବିହାର ଅଞ୍ଚଳର ଜଣେ ମହିଳା ଦୀର୍ଘ ୭ ବର୍ଷ ହେବ ରାସ୍ତା କଡରେ ରହୁଥିବା ବେଳେ ରାତି ହେଲେ ଏଟିଏମ ଘର ତାଙ୍କର ଆଶ୍ରୟସ୍ଥଳୀ ପାଲଟିଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ପ୍ରତ୍ୟେକ ରାତିରେ ଏମାନଙ୍କୁ ଖାଦ୍ୟ ଯୋଗାଉଥିବା ଥିବା ସଂଗଠନର କର୍ମକର୍ତ୍ତାଙ୍କ କହିବା କଥା ଦୁନିଆରେ ଏମାନଙ୍କର ମଧ୍ୟ ଜୀବନ ଜିଇଁବାର ଅଧିକାର ଅଛି ତେଣୁ ସରକାର ଏମାନଙ୍କ କଥା ତୁରନ୍ତ ବୁଝିବା ଦରକାର।
ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଅନେକଙ୍କ ପାଖରେ ଏହି ଯୋଜନା ଅପହଞ୍ଚ ହୋଇଛି। ଯାହା ଫଳରେ ଆଜି ଏମାନଙ୍କ ଦଶା ଏଭଳି ହୋଇଛି। ସରକାର ଓ ପ୍ରଶାସନ ଏମାନଙ୍କ ପ୍ରତି ଦୃଷ୍ଟି ଦେବେ ବୋଲି ଦେଖଣାହାରୀ ଦାବି କରନ୍ତି
(ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ)