Kumara Purnima 2024: କାହିଁକି ପାଳନ କରାଯାଏ କୁମାର ପୂର୍ଣ୍ଣିମା; କ’ଣ ରହିଛି ଏହାର ବୈଜ୍ଞାନିକ ମତ

କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ବୋଲି କୁହାଯାଏ। ଏହି ଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ତେବେ ଏହି ଦିନ କାହିଁକି ହୁଏ ଚନ୍ଦ୍ରପୂଜା ଆସନ୍ତୁ ଜାଣିବା।

କାହିଁକି ପାଳନ କରାଯାଏ କୁମାର ପୂର୍ଣ୍ଣିମା; କ’ଣ ରହିଛି ଏହାର ବୈଜ୍ଞାନିକ ମତ

ବାର ମାସରେ ତେର ପର୍ବରେ ବନ୍ଧା ଓଡ଼ିଶାର ସଂସ୍କୃତି। କୁମାର ପୂର୍ଣ୍ଣିମା ଏଥିରୁ ଅନ୍ୟତମ। ଏହି ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ। ଏଥିପାଇଁ ଏହାକୁ ଗଜଲକ୍ଷ୍ମୀ ପୂଜା ବୋଲି କୁହାଯାଏ।

ସାଧାରଣତଃ ଏହି ପୂଜାକୁ ଗୋଟିଏ ଦିନ ପାଇଁ କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ। ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ।

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବ। ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳିତ ହୁଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ।

ଏହିଦିନ ମା’ ଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟଙ୍କୁ ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି।

ଏହିଦିନ ମା’ ଲକ୍ଷ୍ମୀଙ୍କର ଆରାଧନା କରାଯାଏ

ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ ପାଳନ କରିଥାନ୍ତି। ତେବେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି।

ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଆନ୍ତି ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ ଆଡ଼ମ୍ବର ସ‌ହ ପାଳନ କରାଯାଇଥାଏ।

ଓଡ଼ିଶାରେ କୁମାର ପୂର୍ଣ୍ଣିମା:

ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ବୋଲି କୁହାଯାଏ। ଏହିଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ। ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା।

କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ବୋଲି କୁହାଯାଏ

ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ତୁଳସୀ ଚଉରାକୁ ପୂଜା କରିଥାନ୍ତି।

ପାଳନ ବିଧି:

ଏହିଦିନ କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପିନ୍ଧନ୍ତି। ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି। ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ। ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି। ଏହିଦିନ କୁମାରୀ ବା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି।

ଆଞ୍ଜୁଳା ଟେକା ବିଧି

ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ। ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି। ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପିନ୍ଧି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି।

କିପରି ହୁଏ ପ୍ରସ୍ତୁତି:

କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ। କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ।

ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ। ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ। ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ। ଏହିଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ର ମଧ୍ୟ ଦିଆଯାଇଥାଏ।

ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ, ବରକୋଳି, ଫୁଲ ପତ୍ର ଦେଇ ସଜାଯାଇଥାଏ। ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ସଜାଯାଇଥାଏ।

କ’ଣ ହୁଏ ଭୋଗ:

ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ। ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ। ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାପନା କରାଯାଏ।

ଚାନ୍ଦ ଚକଟା

ଚୁଡ଼ା-କ୍ଷୀର ବୈଜ୍ଞାନିକ ମତ:

ଏହି ଦିନ ରାତିରେ ଚୁଡ଼ା ସ‌ହ କ୍ଷୀର ଖାଇବା ପଛରେ ଏକ ଆୟୁର୍ବେଦିକ କାରଣ ରହିଛି। ଏହି ପର୍ବ ଶରତ ଋତୁରେ ପଡ଼ିଥାଏ। ଗ୍ରୀଷ୍ମ ଋତୁର ଶେଷ ସମୟ ଓ ଶୀତ ଋତୁର ଆରମ୍ଭ ସମୟକୁ ଶରତ ଋତୁ କୁହାଯାଏ। ଏହି ଋତୁ ଦୁଇ ମାସ ଧରି ରହିଥାଏ। ଏହି ଋତୁରେ ଦିନ ଉଷୁମ ରହୁଥିବା ବେଳେ ରାତିରେ ଶୀତ ଅନୁଭୂତ ହୋଇଥାଏ। ଋତୁ ପରିବର୍ତ୍ତନ ଯୋଗୁଁ ବାତ ଦୋଷ, ପିତ୍ତ ଦୋଷ ଓ କଫ ଦୋଷ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ରାତିରେ ଚୁଡ଼ା ସ‌ହ କ୍ଷୀର ଖାଇବା ଦ୍ୱାରା ଏହିସବୁ ଦୋଷ ବାହାରିବାର ସମ୍ଭାବନା କମିଯାଇଥାଏ।