ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଦିନ ଲୋକମାନେ ଉପବାସ ରଖିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀ ପାଳନ କରନ୍ତି। ଶ୍ରୀମଦ୍ ଭଗବତ ପୁରାଣଙ୍କ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ। ଆଜି ଏହି ପବିତ୍ର ଦିନ ଥିବାରୁ ଆସନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟ ବିଷୟରେ ଜାଣିନେବା।
ଆମର ପ୍ରାଚୀନ କାହାଣୀର ସୌନ୍ଦର୍ଯ୍ୟ ହେଉଛି ଯେ ସେସବୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ କି କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ସୃଷ୍ଟି ହୋଇ ନଥିଲେ। ରାମାୟଣ କି ମହାଭାରତ କେବଳ ପ୍ରାଚୀନ କାଳରେ ଘଟିଥିବା ଘଟଣା ନୁହେଁ। ଏସବୁ ଆମ ଜୀବନରେ ପ୍ରତିଦିନ ଘଟେ। ଏହି କାହାଣୀଗୁଡ଼ିକର ସାର ଅନନ୍ତ ଯାହାର ଶେଷ ନାହିଁ।
ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ ପଛରେ ମଧ୍ୟ ଏକ ଗଭୀର ଅର୍ଥ ରହିଛି। ଏହି କାହାଣୀରେ ଦେବକୀ ଶରୀରର ପ୍ରତୀକ ହୋଇଥିବା ବେଳେ ବସୁଦେବ ଜୀବନ ଶକ୍ତି ଅର୍ଥାତ୍ ପ୍ରାଣର ପ୍ରତୀକ। ଯେତେବେଳେ ଶରୀର ପ୍ରାଣ ଧାରଣ କରେ, ଆନନ୍ଦ ଅର୍ଥାତ୍ ଶ୍ରୀକୃଷ୍ଣ ଜନ୍ମ ହୁଅନ୍ତି। କିନ୍ତୁ ଅହଂକାର (କଂସ) ସେହି ଆନନ୍ଦକୁ ନଷ୍ଟ କରିବାକୁ ଚେଷ୍ଟା କରେ।
Also Read
ତେବେ ଜଣେ ଖୁସି ଏବଂ ଆନନ୍ଦିତ ବ୍ୟକ୍ତି(ଶ୍ରୀକୃଷ୍ଣ) କେବେହେଲେ କାହା ପାଇଁ ସମସ୍ୟା ସୃଷ୍ଟି କରେ ନାହିଁ, କିନ୍ତୁ ଭାବନାତ୍ମକ ରୂପରେ ଅସନ୍ତୁଷ୍ଟ ଲୋକମାନେ ପ୍ରାୟତଃ ଅନ୍ୟମାନଙ୍କୁ ଦୁଃଖ ଦେଇଥାନ୍ତି, କିମ୍ବା ସେମାନଙ୍କ ବାଟରେ ବାଧା ସୃଷ୍ଟି କରିଥାନ୍ତି। ଯେଉଁ ବ୍ୟକ୍ତିଙ୍କୁ ଲାଗେ ଯେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି, ସେ ନିଜ ଅହଂକାର ଯୋଗୁଁ ଅନ୍ୟମାନଙ୍କ ସହିତ ଅନ୍ୟାୟପୂର୍ବକ ଆଚରଣ କରନ୍ତି।
ଆନନ୍ଦ ଏବଂ ପ୍ରେମ ଆଗରେ ଅହଂକାର ବଞ୍ଚିପାରିବ ନାହିଁ:
ଅହଂକାରର ସବୁଠାରୁ ବଡ ଶତ୍ରୁ ହେଉଛି ଆନନ୍ଦ। ଯେଉଁଠାରେ ଆନନ୍ଦ ଏବଂ ପ୍ରେମ ଅଛି, ସେଠାରେ ଅହଂକାର ଠିଆ ହୋଇପାରିବ ନାହିଁ, ଏହାକୁ ନଇଁବାକୁ ହିଁ ପଡିବ। ସମାଜରେ ବହୁ ଉଚ୍ଚ ପଦରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଛୋଟ ପିଲାଙ୍କ ଆଗରେ ନତମସ୍ତକ ହେବାକୁ ପଡେ।
ଯେତେବେଳେ ପିଲା ଅସୁସ୍ଥ ହୋଇଯାଏ, ଜଣେ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ବି ସେ ଅସହାୟ ଅନୁଭବ କରିବାକୁ ବାଧ୍ୟ ହୁଏ। ଯେତେବେଳେ ପ୍ରେମ, ସୁଖ ଓ ଶାନ୍ତି ଆସେ ଅହଂକାର ଆପେ ଆପେ ଚାଲିଯାଏ। ଶ୍ରୀକୃଷ୍ଣ ହେଉଛନ୍ତି ଆନନ୍ଦର ପ୍ରତୀକ, ଶାନ୍ତିର ମୂଳ ଏବଂ ପ୍ରେମର ଉତ୍ସ।
ଅହଂକାର ବଢିଲେ ଶରୀର ଜେଲ ପରି ହୋଇଯାଏ:
ମଥୁରା ନରେସ କଂସ ଦ୍ୱାରା ଦେବକୀ ଓ ବସୁଦେବଙ୍କ କାରାବାସ ଏହା ସୂଚିତ କରେ ଯେ ଯେତେବେଳେ ଅହଂକାର ବଢିଯାଏ ଶରୀର ଏକ ଜେଲ୍ ପରି ହୋଇଯାଏ। ଯେତେବେଳେ ଜେଲ୍ର ରକ୍ଷୀମାନେ ଶୋଇଥିଲେ ସେତେବେଳେ ଶ୍ରୀକୃଷ୍ଣ ଜନ୍ମ ହେଲେ। ଏଠାରେ ଥିବା ରକ୍ଷୀମାନେ ହେଉଛନ୍ତି ଇନ୍ଦ୍ରିୟ, ଯେଉଁମାନେ ଅହଂକାରକୁ ସୁରକ୍ଷା ଦେଉଥିଲେ। ସେମାନେ ଜାଗ୍ରତ ଥିବାବେଳେ ବହିର୍ମୁଖି ହୁଅନ୍ତି। ଏହି ଇନ୍ଦ୍ରିୟଗୁଡିକ ଅନ୍ତର୍ମୁଖି(ଶୋଇଗଲେ) ହେଲେ, ଆମ ଭିତରେ ଆନ୍ତରିକ ଆନନ୍ଦର ସୃଷ୍ଟି ହୁଏ(ଶ୍ରୀକୃଷ୍ଣ ଜନ୍ମ ହୁଅନ୍ତି)।
ଶ୍ରୀକୃଷ୍ଣଙ୍କୁ କାହିଁକି ଲବଣୀ ଚୋର କୁହାଯାଏ:
ଶ୍ରୀକୃଷ୍ଣ ଲବଣୀ ଚୋର ଭାବେ ମଧ୍ୟ ଜଣାଶୁଣା। କ୍ଷୀର ହେଉଛି ପୁଷ୍ଟିର ପ୍ରତୀକ ଏବଂ ଦହି ହେଉଛି କ୍ଷୀରର ଏକ ବିଶୋଧିତ ରୂପ। ଯେତେବେଳେ ଦହିକୁ ମନ୍ଥନ କରାଯାଏ, ଲହୁଣୀ ସୃଷ୍ଟି ହୋଇ ଉପରେ ଭାସେ। ଏହା ଭାରୀ ନୁହେଁ ବରଂ ହାଲୁକା ଏବଂ ପୁଷ୍ଟିକର ମଧ୍ୟ।
ସେହିପରି ଯେତେବେଳେ ଆମର ବୁଦ୍ଧିକୁ ମନ୍ଥନ କରାଯାଏ, ସେତେବେଳେ ଏହା ଲହୁଣୀ ପରି ହୋଇଯାଏ। ତା’ପରେ ମନରେ ଜ୍ଞାନର ଉଦୟ ହୁଏ, ଏବଂ ଜଣେ ବ୍ୟକ୍ତି ନିଜ ଭିତରେ ପ୍ରତିଷ୍ଠିତ ହୁଏ। ଏ ଜଞ୍ଜାଳମୟ ଦୁନିଆରେ ରହି ମଧ୍ୟ ସେ ଭିନ୍ନ ହୋଇଯାଏ। ତାଙ୍କ ମନ ଏ ଦୁନିଆର କୌଣସି କଥାରେ ବା ଆଚରଣରେ ନିରାଶ ହୁଏ ନାହିଁ।
ଏନେଇ ଲହୁଣୀଚୋରି ଶ୍ରୀକୃଷ୍ଣଙ୍କ ପ୍ରେମର ଗୌରବକୁ ଚିତ୍ରଣ କରେ। ଶ୍ରୀକୃଷ୍ଣଙ୍କ ଆକର୍ଷଣ ଏବଂ କୌଶଳ ଏପରି ଯେ ସେ ସବୁଠାରୁ ସଂଯମୀ ବ୍ୟକ୍ତିଙ୍କ ହୃଦୟକୁ ମଧ୍ୟ ଚୋରି କରି ନିଅନ୍ତି।