Astrospeak
  • Live TV
  • Read In English

Kartika Purnima 2023: କାର୍ତ୍ତିକ ମାହାତ୍ମ୍ୟ: ସାଧାରଣ ଜନଜୀବନକୁ ପ୍ରଭାବିତ କରେ ‘ଆ କା ମା ବୈ’

ଧାର୍ମିକ ଭାବନା ଦୃଷ୍ଟିରୁ କାର୍ତ୍ତିକର ଶେଷ ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ। କ’ଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା।

Importance of Boating in Kartik Purnima
ସାଧାରଣ ଜନଜୀବନକୁ ପ୍ରଭାବିତ କରେ ‘ଆ କା ମା ବୈ’

ବାର ମାସ ଭିତରେ କାର୍ତ୍ତିକ ମାସକୁ ଧାର୍ମିକ ମାସ ବୋଲି କୁହାଯାଏ। ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଅନ୍ୟ ପଟରେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ।

ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି। ଓଡ଼ିଶାର ସୁଦୃଢ ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡ଼ିତ। ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଯେ ଏଭଳି ଏକ ପବିତ୍ର ଧାର୍ମିକ ଦିବସର ଗୁରୁତ୍ୱକୁ ଯଦି ବାଦ ଦିଆଯାଏ ତେବେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଅଣୁ ମାତ୍ର ଚିନ୍ତା ବି କରାଯାଇ ପାରିବ ନାହିଁ।

ଓଡ଼ିଶାର ପ୍ରାତଃ ସ୍ମରଣୀୟ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ କାର୍ତ୍ତିକ ମାସର ମାହାତ୍ମ୍ୟ ସଂପର୍କରେ କୁହାଯାଇଛି।

ଆଧ୍ୟାତ୍ମିକ ଦୃଷ୍ଟିରୁ କାର୍ତ୍ତିକ ଏକ ଧର୍ମ ମାସ ରୂପେ ଜନସାଧାରଣଙ୍କ ମନରେ ଦୃଢ ବିଶ୍ୱାସ ରହିଛି। ଯାହା ଫଳରେ ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳବୃଦ୍ଧବନିତା ପ୍ରତ୍ୟହ ପ୍ରାତଃ ସ୍ନାନ ସହିତ ଦେବ ଦର୍ଶନ ଓ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ।

ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ। ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଯାଏ।

ତେବେ ଏହି ଉତ୍ସବର ସବୁଠାରୁ ବଡ ଓ ଆକର୍ଷଣୀୟ ମୁହୂର୍ତ୍ତ ହେଉଛି ବୋଇତବନ୍ଦାଣ ବା ଡଙ୍ଗା ଭସା। କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ରହିଛି। ସେହିଦିନ ଭୋର୍‌ରୁ ଆବାଳବୃଦ୍ଧାବନିତା ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ପାଟୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଓ ସେଥିରେ ପାନଗୁଆ ଥୋଇ ଭସାଇ ଥାନ୍ତି। ଏହି ସମୟରେ ସମସ୍ତେ ମନ ଖୁସିରେ ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ବୋଲି ଡଙ୍ଗା ଭସାଇ ଥାଆନ୍ତି।

ଏହି ଆନନ୍ଦ ଉଲ୍ଲାସ ଅବସରରେ ଗଭୀର ଭକ୍ତି ସହକାରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ନେଇ ମାନସିକ ମଧ୍ୟ କରିଥାନ୍ତି। ସାଧାରଣତଃ ଦୃଢ ବିଶ୍ୱାସ ରହିଛି ଯେ ଏହିଦିନ ଭୋର୍‌ରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ। ଅପରପକ୍ଷରେ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ(ଆ କା ମା ବୈ)- ଏହି ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ। ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯିବା ବିଧି ବ୍ୟବସ୍ଥା ରହିଛି।

ପୌରାଣିକ ଅନୁଧ୍ୟାନରୁ ସ୍ପଷ୍ଟ ହୁଏ ଯେ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ପାଇଁ ଅତ୍ୟନ୍ତ ଅନୁକୂଳ। ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ଆ କା ମା ବୈ’ ସାଧାରଣ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନ ପାରେ।