How to Perform Ganesh Puja
ଗଣେଶ ବିଦ୍ୟାଦାତା। ଦେବତା ମାନଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ତାଙ୍କ ନାମ ସ୍ମରଣରେ ସବୁ ଅସୁବିଧା ଦୂର ହୁଏ। ଶୁଭକାମ ଆରମ୍ଭରେ ତାଙ୍କୁ ପୂଜା କରାଯାଏ। ସେ କେବଳ ବିଦ୍ୟାଦାତା ନୁହଁନ୍ତି, ଧର୍ମଦାତା ଓ ସିଦ୍ଧିଦାତା ଭାବରେ ମଧ୍ୟ ଅଗ୍ରପୂଜ୍ୟ ଆସନ ଗ୍ରହଣ କରନ୍ତି। କେବଳ ଓଡିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଗଣେଶଙ୍କୁ ପୂଜା କରାଯାଏ। ଏପରିକି ଦିନ ଥିଲା ସୁଦୂର ନେପାଳ, ତୀବ୍ବତ, କାମ୍ବୋଡ଼ିଆ, ଚୀନ୍, ଜାପାନ, ମଙ୍ଗୋଲିଆ ପ୍ରଭୃତି ଦେଶରେ ମଧ୍ୟ ଗଣେଶଙ୍କ ପୂଜା ପ୍ରଚଳିତ ଥିଲା। ଜୈନ ଓ ବୌଦ୍ଧ ଧର୍ମରେ ମଧ୍ୟ ଗଜପତିଙ୍କୁ ସ୍ୱୀକାର କରାଯାଏ। ସ୍ଵୟଂ ଶ୍ରୀଜଗନ୍ନାଥ ସ୍ନାନପୂର୍ଣ୍ଣିମା ଦିନ ଗଣପତି ବେଶ ଧାରଣ କରନ୍ତି।
ଗଣେଶ ପୂଜା
ଓଡ଼ିଶାରେ ଗଣେଶ ପୂଜା ଶରତ ଋତୁରେ ପାଳିତ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଅନ୍ୟତମ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ବା ବିନାୟକ ଚତୁର୍ଥୀ କହନ୍ତି। ତାଙ୍କର ଗଣେଶ ନାମ ଯଥାର୍ଥ। ସେ ଗଣର ପ୍ରଭୁ। ସେ ବିନାୟକ ଅର୍ଥାତ୍ ବିଶିଷ୍ଟ ନାୟକ ବା ନେତା। ତେଣୁ ସମସ୍ତେ ତାଙ୍କୁ ପୂଜା କରନ୍ତି ଏବଂ ପ୍ରଥମେ ପୂଜା କରନ୍ତି। ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜା ମହାସମାରୋହରେ ପାଳନ କରାଯାଏ। ଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ମିଳିତ ଭାବେ ଏଥିରେ ଅଂଶଗ୍ରହଣ କରନ୍ତି। ସହର, ବଜାର, ସାଂସ୍କୃତିକ ଅନୁଷ୍ଠାନ ଓ ସାଧାରଣ ସ୍ଥାନରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ନିର୍ମିତ ଓ ପୂଜିତ ହୁଅନ୍ତି। ସାଜସଜ୍ଜା, ସଙ୍ଗୀତ ଓ ନୃତ୍ୟର ପ୍ରତିଯୋଗିତା ହୁଏ। ଛାତ୍ର, ଲେଖକ ଓ ବ୍ୟବସାୟୀ ଗୋଷ୍ଠୀ ନିଷ୍ଠାର ସହିତ ବିନାୟକ ବ୍ରତ ପାଳନ କରନ୍ତ।
ପୂଜା ବିଧି
ଗଣେଶ ଚତୁର୍ଥୀଦିନ ପିଲାମାନେ ଓ ବ୍ରତ ପାଳନ କରୁଥିବା ପୁରୁଷ ଓ ନାରୀମାନେ ନୂଆଲୁଗା ପିନ୍ଧନ୍ତି। ସେଦିନ ପିଲାମାନଙ୍କର ବିଦ୍ୟାରମ୍ଭ ଆଦି କାର୍ଯ୍ୟ କରାଯାଏ। ଗୁରୁ ବା ବ୍ରାହ୍ମଣ, ଘଟ ସ୍ଥାପନ କରି ସେହି ଘଟରେ ଗଣେଶ ଆଦି ପଞ୍ଚଦେବତାଙ୍କୁ ଆବାହନ ଓ ପୂଜା କରନ୍ତି। ପୂଜା ପରେ ସେଇଠି ପିଲା ହାତରେ ଖଡ଼ି ଧରାଇ ପ୍ରଥମେ ‘ସିଦ୍ଧିରସ୍ତୁ’ ଲେଖାଯାଇ ଅକ୍ଷର ଶିକ୍ଷା ଆରମ୍ଭ ହୁଏ। ତେଣୁ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଗଣେଶ ଚତୁର୍ଥୀ ଦିନଟି ବିଶେଷ ମହତ୍ତ୍ୱପୂର୍ଣ୍ଣ।
ଗଣେଶ ପୂଜାରେ ଏକୋଇଶଟି କରି ଦୁବ ଓ ଲଡ଼ୁ, ଏକୋଇଶ ପ୍ରକାର ପତ୍ର, ପୁଷ୍ପ ଓ ଫଳ ଆବଶ୍ୟକ ହୁଏ। ଗଣେଶଙ୍କୁ ବିଶେଷ କରି ରାଶିଲଡ଼ୁ, ମୋଦକ, ନଡ଼ିଆ, କଦଳୀ ପ୍ରଭୃତି ଭୋଗ ଦିଆଯାଏ। ଏଗୁଡ଼ିକରେ, ବିଶେଷ କରି ରାଶିରେ ମସ୍ତିଷ୍କର ସ୍ନାୟୁ ସବଳ ହୁଏ। ଗଣେଶଙ୍କ ନୈବଦ୍ୟ ହେଉଥିବା ମୋଦକର ସମସ୍ତ ଉପାଦାନରୁ ଜଣାଯାଏ, ସେ ସବୁ ମେଧା ଶକ୍ତି ବଢ଼ାଇବାରେ ସାହାଯ୍ୟ କରନ୍ତି। ଏହାକୁ ସେବନ କରି, ମେଧା ବଢ଼ାଇବା ପାଇଁ ଏହି ପୂଜାରେ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି। ସେଦିନ ଗଣେଶଙ୍କ ଆଗରେ ନଡ଼ିଆ ଭଙ୍ଗା ଏକ ବିଶେଷ କାର୍ଯ୍ୟ। ବିଦ୍ୟା ଓ ବୁଦ୍ଧିର ବିକାଶ ଏବଂ ଅଶୁଭ ଦୂର କରିବା ପାଇଁ ଗଣେଶଙ୍କୁ ପ୍ରାର୍ଥନା କରଯାଏ।
ମୂଷା କିପରି ହେଲା ଗଣେଶଙ୍କ ବାହନ
ପୌରାଣିକ କାହାଣୀ କୁହେ ଯେ, ପ୍ରତ୍ୟେକ ଦେବାଦେବୀ ନିଜ ନିଜର ବାହନ ଠିକ୍ କଲେ। କାର୍ତ୍ତିକେୟ ପକ୍ଷୀମାନଙ୍କ ଭିତରେ ସବୁଠୁ ସୁନ୍ଦର ପକ୍ଷୀ ମୟୂରକୁ ନିଜର ବାହନ ରୂପେ ବାଛିଲେ। ଦୁର୍ଗା ପଶୁରାଜ ‘ସିଂହ’କୁ, ନାରାୟଣ ପକ୍ଷୀରଜ ‘ଗରୁଡ’କୁ ଗ୍ରହଣ କଲେ। ଶେଷକୁ ସବୁ ଦେବତା ନିଜ ନିଜର ଇଚ୍ଛା ମୁତାବକ ବାହନ ବାଛିଲେ। ଗଣେଶ ଶାନ୍ତ ଭାବରେ ଠିଆ ହୋଇଥାନ୍ତି। ଯେତେବେଳେ ସବୁ ସରିଗଲେ, ରହିଗଲା କେବଳ 'ମୂଷା'। ଗଣେଶ କହିଲେ, ମୁଁ ୟାକୁ ମୋର ବାହନ କରିବି। ଅନ୍ୟ ଦେବତାମାନେ, ଗୋଟିଏ ହାତୀ, ମୂଷା ଉପରେ ଚଢ଼ିଥିବାର ଦେଖି ହସରେ ଫାଟି ପଡ଼ିଲେ। ମାତ୍ର ଗଣେଶ, ମୂଷାକୁ ନିଜର ବାହନ ରୂପେ ଗ୍ରହଣ କଲେ। କାରଣ ରୂପର କୌଣସି ଗୁରୁତ୍ୱ ନାହିଁ ଏବଂ ବଶ୍ଵାସରେ ମୂଷା ପରି ଏକ କ୍ଷୁଦ୍ର ପ୍ରାଣୀ ମଧ୍ୟ ହାତୀ ପରି ଏକ ବିରାଟ ଜନ୍ତୁକୁ ବହନ କରିପାରେ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1756216217.jpg)
ବିନାୟକ ବ୍ରତ
ଏହି ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ମଧ୍ୟ ପାଳନ କରାଯାଏ। ସ୍କନ୍ଦ ପୁରାଣରେ ଏହି ବ୍ରତ ବିଷୟରେ ଉଲ୍ଳେଖ ରହିଛି। ଥରେ ଗୋମତୀ ନଦୀ କୂଳରେ ଋଷିମାନେ ଆଲୋଚନା କରୁଥିଲେ। ସେଠାରେ ସେମାନେ ସୂତ ମୁନିଙ୍କୁ ପଚାରିଲେ– ହେ ମୁନିଶ୍ରେଷ୍ଠ ସୂତ ! ମଣିଷମାନେ କିପରି ଧନ ଜନ ଗୋପ ଲକ୍ଷ୍ମୀ ସୁଖ ଐଶୂର୍ଯ୍ୟ ଭୋଗ କରିବେ କୁହନ୍ତୁ। କେଉଁ ଦେବତାଙ୍କର କେଉଁ ବ୍ରତ କଲେ ବିଦ୍ୟା, ବୁଦ୍ଧି, ବାଣିଜ୍ୟ ଓ କୃଷି କାର୍ଯ୍ୟରେ ସିଦ୍ଧି ଲାଭ ହେବ? ଦାମ୍ପତ୍ୟ କଳହ, ବନ୍ଧୁଭେଦ ଆଦି ହେବନାହିଁ। ସୂତ ଏହି ପ୍ରଶ୍ନର ଉତ୍ତର ଦେଇ ଗଣପତି ପୂଜାର ମହିମା ବୁଝାଇଥିଲେ। ପୂର୍ବରୁ କୁରୁ-ପାଣ୍ଡବଙ୍କ ଯୁଦ୍ଧ ସମୟରେ ଯୁଧୁଷ୍ଠିର ମଧ୍ୟ ଶ୍ରୀକୃଷ୍ଣଙ୍କୁ ଏହିପରି ପ୍ରଶ୍ନ ପଚାରିଥିଲେ। ସେତେବେଳେ ଶ୍ରୀକୃଷ୍ଣ ମଧ୍ୟ ପାଣ୍ଡବମାନଙ୍କୁ ଗଣପତି ପୂଜା ଲାଗି ପରାମର୍ଶ ଦେଇଥିଲେ। ଏହି ପୂଜା କରିବା ଫଳରେ ପାର୍ବତୀଙ୍କ ହଳଦୀ ମଳୁକୁଟୀରୁ ଗଣେଶଙ୍କର ଜନ୍ମ। ଜନ୍ମପରେ ଗଣେଶ ପାର୍ବତୀଙ୍କର ଦ୍ୱାରପାଳ ହେବା ଏବଂ ଶିବଙ୍କ ସହିତ ଯୁଦ୍ଧରେ ଛିନ୍ନ-ଶିର ହେବା, ହାତୀ ମୁଣ୍ଡ ଧାରଣ କରିବା, ଅମର ଲଡୁ ଖାଇବା, ଚନ୍ଦ୍ରଙ୍କୁ ଗଣେଶଙ୍କର ଅଭିଶାପ ଆଦି କଥା ଦ୍ୱାରା ଗଣପତିଙ୍କର ମହିମା ପ୍ରକାଶ ପାଇଆସୁଚି। ଏହି ବ୍ରତର ବିଧିବିଧାନ ସ୍ଵୟଂ ଶ୍ରୀକୃଷ୍ଣ ଯୁଧୁଷ୍ଠିରଙ୍କୁ କହିଛନ୍ତି।
ସେହିପରି ପୂର୍ବକାଳରେ ମହାଦେବ ଗଣେଶଙ୍କୁ ପୂଜାକରି ତ୍ରିପୁରାସୁରକୁ ବଧ କରିଥିଲେ। ଇନ୍ଦ୍ର ଏହି ପୂଜା ବଳରେ ବୃତ୍ତାସୁରକୁ ବଧ କରିଥିଲେ। ଅହଲ୍ୟା ନିଜର ସ୍ୱାମୀଙ୍କୁ ପାଇଥିଲେ, ଦମୟନ୍ତୀ ନଳଙ୍କୁ ପାଇଥିଲେ, ରାମଚନ୍ଦ୍ର ସୀତାଙ୍କୁ ପାଇଥିଲେ, ହନୁମାନ ସୀତାଙ୍କୁ ଠାବ କରି ପାରିଥିଲେ, ଭଗୀରଥ ଗଙ୍ଗାଙ୍କୁ ଆଣିଥିଲେ, ଗରୁଡ଼ ଅମୃତ ହରଣ କରିଥିଲେ, ଶ୍ରୀକୃଷ୍ଣ ରକ୍ମିଣୀଙ୍କୁ ପାଇଥିଲେ ଏବଂ ଶାମ୍ବ କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ ବୋଲି କୁହାଯାଇଛି। ଏହିଭଳି କିଏ କିପରି ଗଣନାଥଙ୍କର ପୂଜା କରି, କେଉଁ ଫଳ ପାଇଥିଲେ, ତାହା ବର୍ଣ୍ଣନା କରି ଶ୍ରୀକୃଷ୍ଣ ଯୁଧୁଷ୍ଠିରଙ୍କୁ ବିନାୟକ ବ୍ରତ କରିବା ପାଇଁ ପରାମର୍ଶ ଦେଇଥିଲେ। ସୂତ ଋଷିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ତାହା କହିବା ସହିତ ଏହା ମଧ୍ୟ କହିଥିଲେ ଯେ, ଯୁଧୁଷ୍ଠିର ଏହି ବିଧିରେ ଗଣନାଥଙ୍କୁ ପୂଜା କରି ରାଜ୍ୟ ପାଇଥିଲେ। ଗଣନାଥଙ୍କୁ ପୂଜା କଲେ ନିଶ୍ଚୟ କାର୍ଯ୍ୟସିଦ୍ଧି ହୁଏ। ଏଥିପାଇଁ ସଂସାରରେ ତାଙ୍କୁ ସିଦ୍ଧି ବିନାୟକ କହନ୍ତି।
ଓଡିଶାରେ ଗଣେଶ ପୀଠ
ଓଡିଶାରେ ବିନାୟକ ଉପାସନାର ଇତିହାସ ଅତି ପ୍ରାଚୀନ। ସେଥିପାଇଁ ଓଡ଼ିଶାରେ ଗଣେଶ ପୂଜା ବିଶେଷ ମହତ୍ତ୍ୱ ବହନ କରେ। ଓଡ଼ିଶାର ପ୍ରାୟ ସବୁ ତୀର୍ଥ ସ୍ଥଳରେ, ମନ୍ଦିରମାନଙ୍କରେ ଗଣେଶ ମୂର୍ତ୍ତି ବିରାଜମାନ, ଏପରିକି ସବୁ ମନ୍ଦିରରେ ଗଣେଶ ପାର୍ଶ୍ୱ ଦେବତା ଭାବରେ ରହିଛନ୍ତି। ଶ୍ରୀମନ୍ଦିରରେ ବିରାଟ ଗଣେଶ ମୂର୍ତ୍ତି ସ୍ଥାପିତ। ଇତିହାସ କହେ, କାଞ୍ଚି ବିଜୟ କରି ଗଜପତି ପୁରୁଷୋତ୍ତମ ଦେବ, କାଞ୍ଚି ରାଜାଙ୍କ ଇଷ୍ଟଦେବତା, ଏହି ଗଣେଶ ମୂର୍ତ୍ତି ଅଣାଇ ଶ୍ରୀମନ୍ଦିରରେ ଅଧିଷ୍ଠିତ କରାଇଥିଲେ। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସମେତ ବହୁ ସ୍ଥାନରେ ଗଣେଶ ବିଗ୍ରହମାନ ବିରାଜମାନ ଅଛନ୍ତି। ପଞ୍ଚୋପାସନା ଦୃଷ୍ଟିରୁ ଚଣ୍ଡିଖୋଲ ନିକଟବର୍ତ୍ତୀ ମହାବିନାୟକ ପୀଠକୁ ଗାଣପତ୍ୟ କ୍ଷେତ୍ର, କୋଣାର୍କକୁ ସୌରକ୍ଷେତ୍ର, ପୁରୀକୁ ବୈଷ୍ଣବ କ୍ଷେତ୍ର, ଭୁବନେଶ୍ୱରକୁ ଶୈବକ୍ଷେତ୍ର ଓ ଯାଜପୁରକୁ ଶାକ୍ତ କ୍ଷେତ୍ର କୁହାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗଣେଶ ଭିନ୍ନ ଭିନ୍ନ ଭାବରେ ପୂଜା ପାଉଥିବାର ଦେଖାଯାଏ। ଓଡ଼ିଶାର ପୁରାଣ ସଂହିତା, କାବ୍ୟକବିତା, ମୂର୍ତ୍ତିକଳା, ଚିତ୍ରକଳା ପ୍ରଭୃତି ଅନୁଶୀଳନ କଲେ ଗଣେଶ ପୂଜା କିପରି ଲେକପ୍ରିୟତା ଅର୍ଜନ କରିଛି ତାହାର ସୂଚନା ମିଳେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756215550.jpg)