Astrospeak
  • Live TV
  • Read In English

Durga Puja 2023: ଦୁର୍ଗାପୂଜା ବନ୍ଦ ହେବାରୁ ଏଠି ଅନାବୃଷ୍ଟି ହେଲା, ଚାଷ ଜମି ପଡ଼ିଆ ପଡ଼ିଲା

ଜମିଦାରୀ ଚାଲିଯିବାରୁ ରାୟ ମହାଶୟଙ୍କ ଆୟ କମିଲା। ଫଳରେ ସେ ଦୁର୍ଗାପୂଜା ବନ୍ଦ କରିଦେଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେଲା। ଚାଷ ଜମି ପଡିଆ ପଡ଼ିଲା। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ। ଆଉ ତା’ ପରେ…

Durga Puja in Laxmannath Gada
ପୂଜା ବନ୍ଦ ହେବାରୁ ଏଠି ଅନାବୃଷ୍ଟି ହେଲା, ଚାଷ ଜମି ପଡିଆ ପଡିଲା

ବହୁ ପ୍ରାଚୀନ କାଳରୁ ଶାକ୍ତଧର୍ମର ଉତ୍ପତ୍ତି। ଓଡିଶାରେ ବହୁ ପୂର୍ବରୁ ଶକ୍ତି ଉପାସନା ଓ ଦେବୀପୂଜାର ପ୍ରଚଳନ ହୋଇଆସୁଛି। ପ୍ରକୃତିର ବିଚିତ୍ର ଲୀଳା ଦର୍ଶନ କରି ପ୍ରାଚୀନ କାଳର ସରଳ ମାନବ ଏକ ମହାଶକ୍ତିର ସନ୍ଧାନ କରିଥିMk। ଅତୀତରେ ତନ୍ତ୍ରର ପ୍ରଭାବ ଥିଲା ସର୍ବାଧିକ।

୧୬ଶ ଶତାବ୍ଦୀ ପରଠାରୁ ଦେବୀପୀଠମାନଙ୍କରେ ହେଉଥିବା ଶକ୍ତି ଉପାସନା କ୍ରମଶଃ ଗ୍ରାମରେ, ସହରରେ ପ୍ରଚଳିତ ହେବାକୁ ଲାଗିଲା, ଯଥା ମୃଣ୍ମୟୀ ଚତୁର୍ଭୁଜା, ଅଷ୍ଟଭୁଜା, ଦଶଭୁଜା, ଷୋଡଶ ଭୁଜା ଦୁର୍ଗାପୂଜା ରୂପେ ପ୍ରଚଳିତ ହେଲା। ଏହି ଶକ୍ତିପୂଜାର ପରଂପରା ମଧ୍ୟରେ ଆମର ଦଶଭୁଜା ବିଶିଷ୍ଟ ଦୁର୍ଗାଙ୍କର ମୂର୍ତ୍ତି ପରିକଳ୍ପନା ଏକ ପ୍ରାଚୀନ ପରଂପରା। ଏହା ବଙ୍ଗୀୟମାନଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ପ୍ରଭାବ ବୋଲି ବହୁ ଗବେଷକ ମତ ଦିଅନ୍ତି। ଉତ୍କଳୀୟମାନେ ମତ ଦିଅନ୍ତି ଯେ ଦୁର୍ଗା ହେଉଛନ୍ତି ଚତୁର୍ଭୁଜା। କେତେକ ସ୍ଥାନରେ ମା’ ଦୁର୍ଗାଙ୍କୁ ଅଷ୍ଟଭୁଜା ଓ ଷଡଭୁଜା ବୋଲି ମଧ୍ୟ କୁହାଯାଏ।

ଉତ୍ତର ଓଡ଼ିଶାର ସର୍ବ ପୁରାତନ ଲକ୍ଷ୍ମଣନାଥ ଗଡର ଦୁର୍ଗା ପୂଜା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ଠାରେ ଚଳିତ ବର୍ଷ ୫୧୬ ବର୍ଷରେ ପଦାର୍ପଣ କରିଛି। ପ୍ରାରମ୍ଭରେ ଏହି ଦୁର୍ଗା ପୂଜା ଜଳେଶ୍ୱର ଠାରେ ୧୫୦୮ ମସିହାରେ ତତ୍କାଳିନ ଜଳେଶ୍ୱର ସଦରର କାନୁନଗୋ ରାମଚନ୍ଦ୍ର ଘୋଷଙ୍କ ତତ୍ୱାବଧାନେରେ ଅନୁଷ୍ଠିତ ହୋଇଥିଲା।

୧୭୨୦ ମସିହାରେ ଲକ୍ଷ୍ମୀନାରାୟଣ ମହାଶୟ ଜମିଦାର ଥିଲେ, ସେତେବେଳେ ଜଳେଶ୍ୱର ଠାରୁ ଉଠିଯାଇ ଲକ୍ଷ୍ମଣନାଥ ଠାରେ ମନୋରମ ପ୍ରାସାଦ ତିଆରି କରି ବସବାସ କଲେ। ଫଳରେ ସେହିଦିନ ଠାରୁ ଅଦ୍ୟାବଧି ସଂପୃକ୍ତ ଦୁର୍ଗାପୂଜା ଲକ୍ଷ୍ମଣନାଥ ରୋଡ ପାର୍ଶ୍ୱବର୍ତ୍ତୀ ପଡ଼ିଆରେ ହୋଇଆସୁଛି।

୧୯୫୨ ମସିହାରେ ଜମିଦାରି ଉଚ୍ଛେଦ ହେଲା। ୧୯୫୩ ମସିହାରେ ରାୟମହାଶୟଙ୍କ ଆୟ କମିବା ହେତୁ ସୁରେନ୍ଦ୍ର ନାରାୟଣ ରାୟ ପୂଜା ବନ୍ଦ କରିଦେଇଥିଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେଲା। ଚାଷ ଜମି ପଡିଆ ପଡ଼ିଲା। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ। ଲୋକମାନଙ୍କର ଧାରଣା ହେଲା ଯେ ପୂଜା ବନ୍ଦ ହେବାରୁ ମା’ଙ୍କର କୋପ ଦୃଷ୍ଟି ପଡିଲା। ଲୋକମାନେ ଏକତ୍ରିତ ହୋଇ ରାୟ ମହାଶୟକୁ ଜଣାଇଲେ। ରାୟ ମହାଶୟ ପ୍ରକାଶ କଲେ ଯେ ଜମିଦାରି ଉଚ୍ଛେଦ ହେବା ପରେ ମାହଲ(କର) ଆଦାୟ ବନ୍ଦ ହୋଇଛି, ମୁଁ ସେଭଳି ଆଡମ୍ବରେ ପୂଜା କରିପାରିବି ନାହିଁ। ରାୟ ମହାଶୟଙ୍କ କଥା ଶୁଣି ଲୋକମାନେ କହିଲେ ଯେଭଳି ଆଡ଼ମ୍ବରରେ ପୂଜା ହୋଇଆସୁଥିଲା ଆମେ ସେଭଳି ନ କରି ନିରାଡ଼ମ୍ବର ଭାବେ କରିବା। ଲୋକମାନେ ସାହାଯ୍ୟ କରିବା ଫଳରେ ରାୟମହାଶୟ ସହମତି ପ୍ରକାଶ କଲେ। ସେହି ଦିନଠାରୁ  ଏଠାରେ ଦୁର୍ଗାପୂଜା ରୀତିନୀତି ଅନୁସାରେ ହୋଇଆସୁଛି।

ମା’ଙ୍କ ପୂଜା ବଙ୍ଗୀୟ ତାନ୍ତ୍ରିକ ରୀତିନୀତି ଅନୁସାରେ ହୋଇଥାଏ। ମା’ଙ୍କ ପୂଜା ଦେଖିବା ପାଇଁ ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗରୁ ଭକ୍ତ ଏଠାକୁ ଧାଇଁ ଆସିଥାନ୍ତି। ଲକ୍ଷ୍ମଣନାଥ ଗଡ଼ରେ ପ୍ରତ୍ୟେକ ଦିନ ମା’ ଶୀତଳା ଦେବୀ ପୂଜା ପାଇଥାନ୍ତି। ଏହି ଗଡ଼ର ସମ୍ମୁଖରେ ୧୨ଟି ମନ୍ଦିର ଅଛି, ଯାହାକୁ ୧୨ ଦେଉଳି କୁହାଯାଏ। ଏହି ଗଡ଼ ଏବେ ମଧ୍ୟ ସୁରକ୍ଷିତ ଅଛି। ମନ୍ଦିର ନିକଟରେ ଶୀତଳା ମା’ଙ୍କ ପୁରୁଣା ଦିନର ମୂର୍ତ୍ତି ମଧ୍ୟ ଅଛି। ଦୁର୍ଗାପୂଜା ଉପଲକ୍ଷେ ଗଡ଼ ଆଗରେ ଥିବା ପଡିଆରେ ଶତାଧିକ ଉଠା ଦୋକାନୀ ସେମାନଙ୍କ ପସରା ମେଲାଇ ଭଲ ରୋଜଗାର କରିଥାନ୍ତି।

(ରିପୋର୍ଟ- ଅଜିତ କୁମାର ଦାସ, ଜଳେଶ୍ୱର)