ଗାଁ ଗାଁ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟେ ଦୋଳଯାତ୍ରା

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।

ଗ୍ରାମ ଗ୍ରାମ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟେ ଦୋଳଯାତ୍ରା

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।

କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ। ଆଉ କେତେକ ସ୍ଥାନରେ ୭ଦିନ ଓ ୧୦ଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି।

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଏ। ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ।

ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ। ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ଏକ ମଣ୍ଡପ ଉପରକୁ ନିଆଯାଇଥାଏ। ସେହି ମଣ୍ଡପର ନାମ ଦୋଳ ମଣ୍ଡପ। ସେଠାରେ ପୂଜାର୍ଚ୍ଚନା କରାଯିବା ସହ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ।

ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହରେ ଝୁମି ଉଠେ। ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ ହେଉ କି ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ।

ବର୍ତ୍ତମାନ ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କ ଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କ ଦୁଆରେ ମଧ୍ୟ ଠାକୁର ଭୋଗ ଖାଇଥାନ୍ତି।

ପୌରାଣିକ କଥା:

ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ଜଡିତ। ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ କାହାଣୀ ରହିଥିବା ବେଳେ ଅନ୍ୟପଟେ ହୋଲିକା ଦହନ କଥା ମଧ୍ୟ ରହିଛି। ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା।

ଦୋଳମଣ୍ଡପ:

ଓଡ଼ିଶାର ଦୋଳମଣ୍ଡପ କହିଲେ ତୋରଣାକୃତି ଏକ ଉଚ୍ଚ ସଭାମଣ୍ଡପକୁ ବୁଝାଇଥାଏ। ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣକୁ ଓଡ଼ିଶାର ସମସ୍ତ ଗ୍ରାମ ଆଦିରୂପ ଭାବରେ ସ୍ୱୀକାର କରିଛନ୍ତି।

ତେବେ ଏହି ଭବ୍ୟ ତୋରଣଟିର ପ୍ରତିରୂପ ଦୋଳ ମଣ୍ଡପରେ ନିର୍ମିତ ହେବା ନେଇ ଅବଶ୍ୟ କୌଣସି ଧାର୍ମିକ ବିଧି ବା ନିୟମ ନାହିଁ, ମାତ୍ର ଓଡ଼ିଶା ସ୍ଥାପତ୍ୟର ଏହି ଅନନ୍ୟ ନିଦର୍ଶନ ଗ୍ରାମେ ଗ୍ରାମେ ଲୋକପ୍ରିୟ ହୋଇପାରିଛି।