ଜୀବନର ଅନ୍ଧାକାରକୁ ଦୂର କରି ଖୁସିର କିରଣ ବୁଣୁଥିବା ପର୍ବ ଦୀପାବଳି। ଅମାବାସ୍ୟାର ଘନ ଅନ୍ଧାର ରାତିରେ ବି ଧରାପୃଷ୍ଟକୁ ଆଲୋକିତ କରୁଥିବା ପର୍ବ ଦୀପାବଳି। କେଉଁଠି ଧନ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ବିଧି ତ ଆଉ କେଉଁଠି ମା’ କାଳୀଙ୍କୁ ଉପାସନାର ସମୟ ତ ଆଉ କେଉଁଠି ପିତୃପୁରୁଷଙ୍କୁ ମନେପକାଇ ପୂଜାର୍ଚ୍ଚନା କରିବାର ପର୍ବ ହେଉଛି ଦୀପାବଳି।
ଭାରତର ଏକ ପ୍ରମୁଖ ପର୍ବ ଭାବେ ଦୀପାବଳି ପାଳନ କରାଯାଏ। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୌରାଣିକ ମାନ୍ୟତା ଆଧାରରେ ଏହା ପାଳନ କରାଯାଏ। କେବଳ ଯେ ଘରେ ଦୀପ ଜାଳି, ବାଣ ଫୁଟାଇ ଓ ମିଠା ଖାଇ ଏହା ପାଳନ କରାଯାଏନି ବରଂ ଯଦି ଆପଣ ଉତ୍ତର ଭାରତରେ ଦୀପାବଳିକୁ ଦେଖିବେ, ତା’ହେଲେ ସେଠି ଆପଣ ଦୀପାବଳି ମାହୋଲକୁ ୩ ଦିନ ଧରି ପାଳନ କରାଯାଏ। ବଡି ଦୀୱାଲି, ଛୋଟି ଦୀୱାଲି , ଧନତେରସ୍ ଇତ୍ୟାଦି। ଘରକୁ ସଫା ସୁତୁରା କରି ରଙ୍ଗୋଲି ପକାଇ ତିନି ଦିନ ଧରି ଲୋକେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହି ସମୟରେ ସୁନା, ରୁପା କିଣିଲେ ଘରେ ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।
ସେହିପରି ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ତ୍ରିପୁରା ଆଦି ରାଜ୍ୟରେ ଦୀପାବଳିରେ ମା’ କାଳୀଙ୍କ ଆରାଧନା କରାଯାଏ। ତେଣୁ ଏସବୁ ସ୍ଥାନରେ ଦୀପାବଳି କାଳୀପୂଜା ବା ଶ୍ୟାମାକାଳୀ ପୂଜା ନାଁରେ ପାଳନ କରାଯାଏ। ବିଶେଷ କରି ପଶ୍ଚିମବଙ୍ଗରେ କାଳୀପୂଜାର ଆୟୋଜନ ବେଶ୍ ଧୁମ୍ଧାମରେ ହୁଏ। ଏଠି ଶକ୍ତି ଉପାସନାର ପ୍ରଥା ବେଶ୍ ପୁରୁଣା। ଖାସ୍ କରି ପଶ୍ଚିମବଙ୍ଗର ଗାଁ ଗୁଡ଼ିକରେ ଏହି ସମୟରେ କାଳୀ ମା’ଙ୍କ ଆରଧାନା କରାଯାଇ ମାଛ , ଭାତ ଓ ରସଗୋଲା ଭୋଗ ଲାଗେ। ନାଲି ମନ୍ଦାର ଫୁଲରେ ମା’ଙ୍କୁ ସଜାଯାଏ। ପଶ୍ଚିମବଙ୍ଗରେ ଦୀପାବଳିର ଏ ମାହୋଲକୁ ଆଗୁମବାଗିସ୍ କୁହାଯାଏ। ଅମାବାସ୍ୟା ରାତିରୁ ଆରମ୍ଭ ହୋଇ ଏଠି ୮ ରୁ ୧୦ ଦିନ ବ୍ୟାପି ପୂଜାର ମାହୋଲ ଜମେ। ପୂଜାର ଶେଷ ଦିନ ମା’ଙ୍କ ବିରାଟ ପଟୁଆରା ଭସାଣୀ ପାଇଁ ଯେବେ ବାହାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମା’ଙ୍କ ଜୟ ଜୟକାର ପଡେ। ଏ ଦୃଶ୍ୟ ଦେଖି ଲାଗେ ସତେ ଯେମିତି ଅଧର୍ମ ଉପରେ ଧର୍ମର ବିଜୟ କରି ମା’ ଲେଉଟି ଯାଉଛନ୍ତି।
ତେବେ ବଙ୍ଗରୁ ଓଡ଼ିଶା ଆସିଲେ କାଳୀପୂଜା ସହ ଯୋଡ଼ି ହୋଇଯାଏ ପିତୃପୁରୁଷଙ୍କୁ ମନେପକାଇ ପ୍ରୟାଶ୍ରାଦ୍ଧ ବା ପିଣ୍ଡଦାନର କରିବାର ପରମ୍ପରା। କାଉଁରିଆ କାଠି ଧରି ଅନ୍ଧାର ଭିତରେ ବଡବଡୁଆଙ୍କୁ ମୋକ୍ଷର ଦ୍ୱାର ଦେଖାଇବା ପାଇଁ ଅତି ବିନମ୍ରତାର ସହ ଠିଆ ହେଇଥାନ୍ତି ଘରର ପୁରୁଷମାନେ। ତେବେ ଓଡ଼ିଶାରୁ ଆନ୍ଧ୍ର ଓ ତାମିଲନାଡୁ, କର୍ଣ୍ଣାଟକରେ ପହଞ୍ଚିବା ଭିତରେ ଦୀପାବଳି ନରକାସୁର ବଧ ଅମାବାସ୍ୟା ଭାବେ ପାଳିତ ହୁଏ। ଶ୍ରୀକୃଷ୍ଣଙ୍କ ନରକାସୁର ବଧକୁ ଓ ଏହାସହ ଅଧର୍ମ ଉପରେ ଧର୍ମର ବିଜୟକୁ ମନେ ପକାଇ ଦକ୍ଷିଣ ଭାରତୀୟ ଲୋକେ ଏହି ସମୟରେ ଏକ ନିଆରା ପ୍ରଥା ପାଳନ କରନ୍ତି। ଏଠି ଭୋର ସମୟରେ ଘରର ପୁରୁଷମାନେ ଶରୀରରେ ତେଲ ଲେପ କରି ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ବିଧି ପ୍ରଚଳିତ। ଏହା ଦ୍ୱାରା ପାପ ମୁକ୍ତ ହୁଏ ବୋଲି ବିଶ୍ୱାସ ରହିଛି। ସେମାନଙ୍କ ବିଶ୍ୱାସ, ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧ କରିବା ପରେ ଦେହରେ ତୈଳ ମର୍ଦନ କରି ସ୍ନାନ କରି ପାପ ମୁକ୍ତି ହୋଇଥିଲେ।
Also Read
ଦକ୍ଷିଣ ଭାରତ ବ୍ୟତୀତ ସମୂଦ୍ରକୂଳିଆ ରାଜ୍ୟ ଗୋଆରେ ମଧ୍ୟ ଦୀପାବଳିରେ ନରକାରସୁର ବଧର ବିଜୟ ଖୁସି ମନାଯାଏ। ଏହି ଦିନ ଗୋଆରେ ଥିବା ହିନ୍ଦୁ ସଂପ୍ରଦାୟର ଲୋକେ ଏକ ବିରାଟ ନରକାସୁରର ପ୍ରତିମା କରି ନଗର ପରିକ୍ରମା କରନ୍ତି ଓ ଶେଷରେ ଏହାକୁ ଜାଳି ଦିଅନ୍ତି। ଅର୍ଧମର ଅନ୍ତ ଯେ କେତେ ଭୟଙ୍କର ତାହା ଜଣାଇବା ପାଇଁ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ପାଳନ କରଯାଏ। ମହାରାଷ୍ଟ୍ରରେ ଦୀପାବଳି ଅବସରରେ ମରାଠୀ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଯମରାଜଙ୍କୁ ଅଟାରେ ତିଆରି ଦୀପ ଦାନ କରିଥାନ୍ତି। ଯାହାକୁ ସେଠାରେ ଯମଦୀପ ଦାନ ଉତ୍ସବ କୁହାଯାଏ।
ମଧ୍ୟପ୍ରଦେଶରେ ଦୀପାବଳିରେ ଗୋବର୍ଦ୍ଧନ ପୂଜା କରାଯାଏ। ବିଶେଷ କରି କାର୍ତ୍ତିକ ଏକ ପବିତ୍ର ମାସରେ ହୋଇଥିବାରୁ ଘରେ ଗୋବର ପାଣି ଛିଞ୍ଚିଲେ ପରିବେଶ ପବିତ୍ର ହୋଇଥାଏ। କାହିଁ କେଉଁ କାଳରୁ ଏଠି ଏହି ପ୍ରଥା ଚାଲି ଆସୁଛି। କିନ୍ତୁ ହିମାଚଳ ପ୍ରଦେଶରେ ପରସ୍ପର ଉପରକୁ ଟେକା ଫିଙ୍ଗାଫିଙ୍ଗି କାର୍ଯ୍ୟକ୍ରମ ହୋଇଥାଏ। ହେଲା ଏସବୁ କ’ଣ ପାଇଁ କରାଯାଏ ତାହା ଜଣାପଡ଼ିନି। କିନ୍ତୁ ଅନେକ ସମୟରେ ଏହାଦ୍ୱାରା ଅନେକ ଲୋକ ଆହତ ହୋଇଥାନ୍ତି। ପଞ୍ଜାବରେ ଦୀପାବଳି ଖୁସି ସହ ଆଉ ଏକ ଖୁସିକୁ ମିଳିତ ଭାବେ ପାଳିଥାନ୍ତି ଶିଖ୍ ସମ୍ପ୍ରଦାୟ। ଏହି ଦିନକୁ ସେମାନେ ବଦ୍ଧି ଛୋର୍ ଦିବସ ଭାବେ ପାଳିଥାନ୍ତି।
ଗୁଜୁରାଟ ଓ ରାମ ନଗରୀ ଅଯୋଧ୍ୟା କଥା କିନ୍ତୁ ସବୁଠୁ ଅଲଗା। ଏଠାକାର ଦୀପାବଳି ସମଗ୍ର ଦେଶ ପାଇଁ ମୁଖ୍ୟ ଆକର୍ଷଣ ହୋଇଥାଏ। କିମ୍ବଦନ୍ତୀ କହେ, ଏହି ଦିନ ପ୍ରଭୂ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ ପୂର୍ବକ ୧୪ ବର୍ଷର ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଗମନକୁ ସ୍ମରଣୀୟ କରିବା ପାଇଁ ଅଯୋଧ୍ୟାବାସୀ ସମଗ୍ର ଅଯୋଧ୍ୟା ନଗରୀକୁ ଦୀପର ଆଲୋକରେ ସଜେଇ ପ୍ରଭୁଙ୍କୁ ସ୍ୱାଗତ କରିଥିଲେ।
ରାଜସ୍ଥାନର ଉଦୟପୁର ଆଉ ଜୟପୁର ସହରରେ ଦୀପାବଳିର ଚମକ କିନ୍ତୁ ବେଶ୍ ନିଆରା। ଧନଲକ୍ଷ୍ମୀଙ୍କୁ ପୂଜା କରୁଥିବା ଜୟପୁର ଓ ଉଦୟପୁରବାସୀଙ୍କ ପାଇଁ ଦୀପାବଳି ହେଉଛି ସବୁଠୁ ବଡ ପର୍ବ। ସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗକୁ ଲୋକେ ଦୀପ ଜାଳି ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳି ପାଳନ କରିଥାନ୍ତି। ଦେଶର ବିଭିନ୍ନ ସ୍ଥାନରେ ଦୀପାବଳିର ପୌରାଣିକ ମାନ୍ୟତା ଓ ପୂଜା ବିଧି ଭିନ୍ନ ଭିନ୍ନ ହୋଇଥାଇପାରେ। କିନ୍ତୁ ଏସବୁ ଭିତରେ ଗୋଟିଏ ସତ ହେଉଛି ଭକ୍ତିମୟ ପରିବେଶ ଭିତରେ ପରିବାରକୁ ଯୋଡ଼ିବା ଓ ଅନ୍ଧାର ହଟାଇ ଜଗତକୁ ଆଲୋକିତ କରିବାର ପର୍ବର ନାମ ଦୀପାବଳି।