ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ସହରର ଗଜମୁଆଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହି ପର୍ବ ପାଳିତ ହେଉଥିବା ବେଳେ ସହରର କଟିକିଆ ସାହିରେ ସବୁ ମଙ୍ଗଳବାରେ ଏହା ପାଳିତ ହୋଇଥାଏ । ଚୈତ୍ର ମାସର ଅନ୍ୟ ମଙ୍ଗଳବାର ଅପେକ୍ଷା ଶେଷ ମଙ୍ଗଳବାରର ଗଜମୁଆଁର ରହିଛି ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁଆଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି ।
ମଙ୍ଗଳବାର ସହର ପରିକ୍ରମା କରିବା ପରେ ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପ୍ରସାଦ ରୂପେ ଗ୍ରହଣ କରନ୍ତି । ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ସେଇଥି ଲାଗି ତ ବାଜା ବାଜିବା ମାତ୍ରେ ଅନେକ ନାଚରେ ଝୁମିଯାଆନ୍ତି । ଏଇ ପରମ୍ପରା ଏତେ ପ୍ରସିଦ୍ଧ ଯେ ଗାଁରେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଗାଁକୁ ପଳାଇ ଆସନ୍ତି । ମଙ୍ଗଳବାର ରାତିସାରା ସମସ୍ତେ ବୁଲିବା ପରେ ବୁଧବାର ସକାଳୁ ଏହାକୁ ବିସର୍ଜନ ପରେ ଘରକୁ ଫେରନ୍ତି । ବିସର୍ଜନ ଶୋଭାଯାତ୍ରାରେ ପିଲାଠୁ ବୁଢା ସମସ୍ତେ ଏକତ୍ରୀତ ହେଉଥିବା ଦେଖାଯାଏ ।
Also Read
ବଡ ମାନଙ୍କ ପାଇଁ ବଡ ଏବଂ ଛୋଟ ପିଲାଙ୍କ ପାଇଁ ସାନ ମୁଆଁ ପ୍ରସ୍ତୁତ କରନ୍ତି ପରିବାର ଲୋକେ । ମିଳିଥିବା ସୂଚନା ଅନୁସାରେ, ବହୁ ବର୍ଷ ତଳେ ପାରଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଫଳରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁଆଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ତେଣୁ ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମାଆଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଲୋକଙ୍କ ଆଶଙ୍କାରେ ପ୍ରତିବର୍ଷ ଏହି ପୂଜା ଯାଉଥିବା କହିଛନ୍ତି ପୂଜକ ।
ଆଧୁନିକତାର ଛାପରେ ଅନେକ ପରମ୍ପରା ଓ ସଂସ୍କୃତି ଲୋକ ପାଇଯାଇଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ହେଲେ ପାରଳାଖେମୁଣ୍ଡି ସହରର ଲୋକେ ହଜାର ହଜାର ବର୍ଷ ଧରି ନିଜ ପରମ୍ପରାକୁ ପ୍ରତିବର୍ଷ ଅଧିକ ଧୁମ ଧାମରେ ପାଳନ କରିବା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ।
(ପାରଳାଖେମୁଣ୍ଡିରୁ ଆଦର୍ଶ ଦାସଙ୍କ ରିପୋର୍ଟ)