Bada Osha Brata Katha: ଆଜି ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

ଏଥର ବଡ଼ ଓଷାରେ ଜାଣିବା ଆସନ୍ତୁ ବଡ଼ ଓଷା ପଛରେ କି କି କିମ୍ବଦନ୍ତୀ ରହିଛି, ଏଥିରେ ଶିବଙ୍କୁ କାହିଁକି ପୂଜା କରାଯାଏ ଓ ଧବଳେଶ୍ଵର ଶିବଙ୍କ ସହ ଏହାର ସମ୍ପର୍କ କ'ଣ ?

ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

News Summary

 

 

କାର୍ତ୍ତିକ ମାସ ସାରା ଓଡ଼ିଶାରେ ଢେର୍ ପୁନେଇ ପରବ । ତେବେ ଆଜି ହେଉଛି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ । ଆଜି ସମସ୍ତେ ବଡ଼ ଓଷା ପାଳନ୍ତି । ଧବଳେଶ୍ୱର ଶିବ ଏହି ଓଷାର ଦେବତା । କଟକ ପାଖରେ ମହାନଦୀ ଭିତରେ ଥିବା ଏକ କୁଦ ଉପରେ ଧବଳେଶ୍ୱରଙ୍କ ମନ୍ଦିର ଅଛି । ପିଲାଦିନେ କିଛି ବାଟ ନଦୀ ବାଲିରେ ଚାଲି ଚାଲି ଯାଇ ଡଙ୍ଗାରେ ନଈ ପାର ହୋଇ ପୁଣି ବାଉଁଶ ପୋଲ ଡେଇଁ କଟକର ଧବଳେଶ୍ୱର ଯାଇଥିବାର ମୋର ମନେପଡୁଛି । ଏବେ ତ ଝୁଲା ପୋଲ ହୋଇଗଲାଣି । ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗାଁରେ ବି ଗୋଟିଏ ଧବଳେଶ୍ୱର ମନ୍ଦିର ଅଛି । କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏଠରେ ବଡ଼ ମେଳା ବସେ ଓ ଶିବ ଭକ୍ତଙ୍କ ସମାଗମ ହୁଏ । ମୁଖ୍ୟତଃ ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାରେ ଏ ଓଷା ଅଧିକ ପାଳନ ହୋଇଥାଏ । ଓଷେଇତି ମାନେ ନିର୍ଜଳା ଉପବାସ ରହି ବଡ଼ ନିଷ୍ଠାର ସହ ମନସ୍କାମନା ପୂରଣ ପାଇଁ ଏ ବଡ଼ ଓଷା କରିଥାନ୍ତି । ଓଷାରେ ଗଜ ମଣ୍ଡା ହୁଏ । ରାତିରେ ଗଜ ମଣ୍ଡା ଉତୁରିଲେ ଯାଇଁ ଓଷେଇତି ଫଳ ଆହାର କରେ । ଅଧିକ ନିଷ୍ଠା ଓ କାଷ୍ଠା ପାଇଁ ସବୁ ଓଷା ଠାରୁ ବଡ଼ ବୋଲି ଓଷାର ନାମ ବଡ଼ ଓଷା ରହିଛି ।

ଧବଳେଶ୍ୱର ମନ୍ଦିର ସହ ଅନେକ ଆଞ୍ଚଳିକ କିମ୍ବଦନ୍ତୀ ରହିଛି:

ଆଠଗଡ଼ ରଜାଙ୍କର ଦେଉଳ କରଣ ଭବାନୀ ପ୍ରହରାଜ ବଡ଼ ଓଷା ନାମରେ ଗୋଟିଏ ବହି ଲେଖିଥିଲେ । ସେଇ ବହିରେ ବର୍ଣ୍ଣିତ ଆଖ୍ୟାନ ଅନୁସାରେ, ଅନେକ ବର୍ଷ ତଳେ ଆମର ଏହି ଉତ୍କଳ ପ୍ରଦେଶରେ କ୍ରତୁ ନାମରେ ଜଣେ ରାଜା ଶାସନ କରୁଥିଲେ । ଥରେ ମୃଗୟା ଉଦ୍ଦେଶ୍ୟରେ ଜଙ୍ଗଲରେ ବୁଲୁ ବୁଲୁ ସେ ଗୋଟେ ଶିବ ମନ୍ଦିର ନିକଟରେ ପହଞ୍ଚିଗଲେ । ଜଙ୍ଗଲର ନିକାଞ୍ଚନ ସ୍ଥାନରେ ଥିବା ସେଇ ଶିବ ମନ୍ଦିରରେ ନାଗପୁରର ରାଜଜେମା ହରପ୍ରିୟା ଶିବ ଉପାସନା କରୁଥାଆନ୍ତି । ଉତ୍କଳର ରାଜା କ୍ରତୁଙ୍କୁ ସ୍ୱାମୀ ରୂପରେ ପାଇବାକୁ ସେ ଶିବଙ୍କୁ ପୂଜାଅର୍ଚ୍ଚନା କରୁଥାଆନ୍ତି । ଯୋଗକୁ ସେଇ ମନ୍ଦିର ପରିସରରେ ଉଭୟଙ୍କର ସାକ୍ଷାତ ହେଲା । ଦେବ କୃପାରୁ ଉଭୟ ଉଭୟଙ୍କୁ ପସନ୍ଦ କଲେ ଓ ବିବାହ କଲେ ।

ଅଧିକ ପଢନ୍ତୁ: Bada Osa 2024: ବଡ଼ଓଷାର ମହତ୍ତ୍ୱ; ଜାଣନ୍ତୁ ରାଜାଙ୍କୁ କୁଷ୍ଠ ରୋଗରୁ କିପରି ମୁକ୍ତ କଲେ ରାଣୀ

Bada Osa 2024

ନୂଆ ରାଣୀଙ୍କୁ ପାଇ ରାଜା ବିଳାସ ବ୍ୟସନରେ ବୁଡି ରହିଲେ । ଆଗପରି ଆଉ ଦେଶର ଭଲ ମନ୍ଦ ଓ ଶାସନ କଥା ବୁଝିଲେନି । ରାଜାଙ୍କର ଅମନଯୋଗୀ ଶାସନର ଖବର ଶତୃମାନେ ଜାଣିଲେ ଓ ସୁବିଧା ଦେଖି ରାଜ୍ୟ ଆକ୍ରମଣ କଲେ । ଯୁଦ୍ଧରେ ହାରି ରାଜା ନୂଆ ରାଣୀକୁ ଧରି ଜୀବନ ବଞ୍ଚେଇବାକୁ ଜଙ୍ଗଲକୁ ପଳେଇଲେ । ଦୁହେଁ ଜଙ୍ଗଲରେ ବଡ଼ ଦଃୁଖ କଷ୍ଟରେ ସମୟ କାଟୁଥାଆନ୍ତି ।

ଦିନେ ରାଜା ଅରଣ୍ୟ ଭିତରେ ବୁଲୁଥିବା ବେଳେ ଦେଖିଲେ ଜଣେ ସନ୍ୟାସୀ କିଛି କେତକୀ ଫୁଲ ଧରି ଯାଉଛନ୍ତି । ରାଜା ଭାବିଲେ ସେ ଫୁଲତକ ନେଇ ତାଙ୍କ ସହ କଷ୍ଟ ଭୋଗୁଥିବା ରାଣୀକୁ ଦେଲେ ସେ ଖୁସି ହେବେ । କିନ୍ତୁ ସନ୍ୟାସୀଙ୍କୁ ଫୁଲ ମାଗିବାରୁ ସେ ସିଧା ମନା କରିଦେଲେ । ଦେଶ ନଥିଲେ ବି ରାଜା ତ ରାଜା । ରାଜା ତୁରନ୍ତ ସେ ସନ୍ୟାସୀଙ୍କ ପାଖରୁ କେତକୀ ଫୁଲ ତକ ଛଡ଼େଇ ଆଣିଲେ ।

ରାଣୀଙ୍କୁ କେତକୀ ଫୁଲ ତକ ଉପହାର ଦେବାରୁ ରାଣୀ ତ ଖୁସି ହେଲେ କିନ୍ତୁ ରାଜାଙ୍କୁ ଦୁରାରୋଗ୍ୟ କୋଷ୍ଠ ରୋଗ ହେଲା । କାରଣ ସେ ସନ୍ୟାସୀ ଜଣକ କେତକୀ ଫୁଲ ସବୁ ଶିବଙ୍କୁ ଚଢ଼େଇବାକୁ ନେଉଥିଲେ । ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ଫୁଲ ନିଜ ପତ୍ନୀଙ୍କୁ ଦେଇ ରାଜା ଶିବ ରୋଷରେ କୋଷ୍ଠ ଭୋଗିଲେ ।

ଏବେ ଦୁଃଖ ଆହୁରି ବଳିପଡିଲା । ରାଣୀ ହରପ୍ରିୟା ସେଇ ଶିବ ଶଙ୍କରଙ୍କ ଶରଣ ପଶିଲେ । ଦିନେ ଜଣେ ସନ୍ୟାସୀଙ୍କ ସହ ରାଣୀଙ୍କର ସାକ୍ଷାତ ହେଲା ଓ ସେ ରାଜାଙ୍କୁ କାହିଁକି କୋଷ୍ଠ ହେଲା ତା’ର କାରଣ କହିଲେ । ଶାପମୁକ୍ତିର ଉପାୟ ବତାଇ କହିଲେ ରାଣୀ ଧବଳେଶ୍ୱରଙ୍କୁ ପୂଜା କରି ତାଙ୍କ ବଡ଼ ଓଷା କଲେ ରାଜା ବ୍ୟାଧିମୁକ୍ତ ହେବେ । ରାଣୀ ସନ୍ୟାସୀଙ୍କ କଥା ମାନି ଧବଳେଶ୍ୱରଙ୍କ ବଡ଼ ଓଷା କଲେ ଓ ରାଜା ଶାପମୁକ୍ତ ହେଇ ଆପଣା ରାଜ୍ୟ ବି ଫେରିପାଇଲେ ।

ଅନ୍ୟ ଏକ ଆଖ୍ୟାନ ଅନୁସାରେ ଜଙ୍ଗଲ ଭିତରେ ଏକ ସ୍ୱୟମ୍ଭୁ ଲିଙ୍ଗ ଥାଆନ୍ତି । ପ୍ରତିଦିନ ଗାଈଟିଏ ସେ ଲିଙ୍ଗ ପାଖକୁ ଯାଇ ଠିଆ ହୁଏ ଓ ତା ଠାରୁ ଆପେ ଆପେ କ୍ଷୀର ବାହାରି ଶିବ ଲିଙ୍ଗ ଉପରେ ପଡ଼େ । ଏ ଖବର ଥରେ ବିଡ଼ାନାସୀର ରାଜା ପାଇଲେ ଓ ସତ୍ୟାସତ୍ୟ ସନ୍ଧାନ କରିବାକୁ ସେଠି ଯାଇଁ ପହଞ୍ଚିଲେ । ରାଜା ଦେଖିଲେ ଘୋର ଅରଣ୍ୟ ଭିତରେ ସ୍ୱୟମ୍ଭୁ ଲିଙ୍ଗଙ୍କ ପୂଜା ଅର୍ଚ୍ଚନା ଚାଲିଛି । ଧଳା ଗାଈ କ୍ଷୀର ଓ ଧଳା ରଙ୍ଗର ମାଳତୀ ଫୁଲ ରହିଛି । ରାଜା ନାମ ଦେଲେ ଧବଳେଶ୍ୱର । ମହାଦେବଙ୍କ ବିଧିବଦ୍ଧ ପୂଜା ଅର୍ଚ୍ଚନା ପାଇଁ ବିଧି ବି ଖଞ୍ଜି ଦେଲେ । ପରେ ଭକ୍ତମାନେ ମହାଦେବ ଧବଳେଶ୍ୱରଙ୍କୁ ଧଳା ମଣ୍ଡା, ଧଳା ବସ୍ତ୍ର ଓ ଧଳା ରଙ୍ଗର ଫୁଲ ଦେଇ ପୂଜା କଲେ ।

ଆଉ ଏକ କିମ୍ବଦନ୍ତୀ ଅନୁସାରେ ଗୋଟିଏ ଗାଁରେ ଜଣେ ଚାଷୀର ଗୋଟିଏ ଗାଈ ଥିଲା । ଚାଷୀ ତା’ର ମନେ ମନେ ମାନସିକ କରିଥାଏ ତା’ ଗାଈ ଅଣ୍ଡିରା ବାଛୁରୀ ଜନ୍ମ କଲେ ପ୍ରଥମକୁ ସେ ମହାଦେବଙ୍କ ଷଣ୍ଢ କରିବ ଓ ପର ବାଛୁରିକୁ ବଳଦ କରି ତା’ ଚାଷ କାମରେ ଲଗେଇବ । ଶିବ କୃପାରୁ ତା’ ଗାଈ କଳା ରଙ୍ଗର ସୁନ୍ଦର ବଳୁଆ ବାଛୁରି ଗୋଟେ ଜନ୍ମ କଲା । ଚାଷୀ ମନ ଖୁସିରେ ସେ ବାଛୁରୀକୁ ଲାଳନ ପାଳନ କରିବାରେ ଲାଗିଲା । ଶିବ କୃପାରୁ ବାଛୁରୀ ହୋଇଥିବାରୁ ଚାଷୀ ସବୁଦିନ ସକାଳ କ୍ଷୀର ମହାଦେବଙ୍କୁ ଦିଏ ଓ ସଞ୍ଜ କ୍ଷୀର ବାଛୁରୀ ପିଏ । ବାଛୁରୀ ବଡ଼ ହେଲାରୁ ଚାଷୀର ମନରେ ଲୋଭ ବସା ବନ୍ଧିଲା । ସେ ଭାବିଲା ଏଇଟିକୁ ବଳଦ କରିବ ଓ ପରେ ମାନସିକ କଥା ଦେଖିବ ।

ଦିନେ ସେ ଡଉଲ ଡାଉଲ ବାଛୁରୀକୁ ଜଣେ ବାଟୋଇ ଲୋଭରେ ପଡି ଚୋରୀ କରିନେଲା । ଖବର ପାଇ ଚାଷୀ ଜଣକ ତା’ ପଛେ ପଛେ ବାଛୁରୀ ଖୋଜିବାକୁ ବାହାରିଲା । ସେ ବାଟୋଇଟି ଯେତେବେଳେ ଜାଣିଲା ତାକୁ ଖୋଜି ଖୋଜି ଚାଷୀ ବି ପଛରେ ଚାଲିଛି ସେ ଲୁଚିବାକୁ ଗୋଟେ ଶିବ ମନ୍ଦିର ଭିତରକୁ ପଶିଗଲା ଓ ଶିବଙ୍କ ଆଗରେ ଲମ୍ବ ହୋଇ ପଡି କହିଲା, ହେ ମହାଦେବ ରକ୍ଷା କର । ମୁଁ ଲୋଭରେ ପଡି ଏ ଭୁଲ କରିଛି । ମୋତେ କ୍ଷମା କର । ପ୍ରତିବଦଳରେ ଏ ବାଛୁରିକୁ ବି ନିଅ ।

ବାଛୁରୀ ଓ ଚୋରକୁ ଖୋଜି ଖୋଜି ଚାଷୀ ଆସି ସେଇ ମନ୍ଦିରରେ ପହଞ୍ଚିଲା । ଦୁହିଁଙ୍କ ଭିତରେ ବେଶ କଳି ଗୋଳ ଲାଗିଲା । ସେତିକିବେଳେ ସ୍ୱୟଂ ମହାଦେବ ଜଣେ ସାଧୁ ବେଶରେ ଦୁହିଁଙ୍କ ପାଖରେ ପହଞ୍ଚିଲେ ଓ କଳିର କାରଣ ପଚାରିଲେ । ଦୁହେଁ ନିଜ ନିଜ କଥା କହିଲେ । ସେଉଠୁ ସାଧୁ ବେଶୀ ମହାଦେବ ଚାଷୀକୁ ପଚାରିଲେ ଯେ ତା’ ବାଛୁରୀ କୋଉ ରଙ୍ଗର । ଚାଷୀ କହିଲା କଳା । ତାପରେ ତିନିହେଁ ମନ୍ଦିର ବାହାରକୁ ଆସିଲେ ଓ ଆସି ଦେଖିଲା ବେଳକୁ ସେଠି ଧଳା ରଙ୍ଗର ବାଛୁରି ଗୋଟେ ଚରୁଛି । ବାଟୋଇ ଜାଣିଲା ସ୍ୱୟଂ ମହାଦେବ ତାକୁ ରକ୍ଷା କଲେ । ଚାଷୀ ବୁଝିଲା ଲୋଭରେ ପଡ଼ି ସେ ବାଛୁରିକୁ ଷଣ୍ଢ ନକରି ବଳଦ କରିବାକୁ ଭାବି ଭୁଲ୍ କରିଛି । ଦୁହେଁ ମହାଦେବଙ୍କୁ ପୂଜା କରି କ୍ଷମା ପାର୍ଥନା କରି ଯେଝା ବାଟରେ ବାହାରି ଗଲେ ।

ସେଇ ଦିନରୁ କଳା ବାଛୁରୀ ସେଇଠି ଧଳା ହେଲା ବୋଲି ସେଠାର ମହାଦେବ ଧବଳେଶ୍ୱର ନାମରେ ଖ୍ୟାତ ହେଲେ ।

ଆଉ ଏକ କିମ୍ବଦନ୍ତୀ ଅନୁସାରେ ନମୁଚି ନାମକ ଏକ ପରାକ୍ରମୀ ଅସୁର ରାଜା ସ୍ୱର୍ଗର ଇନ୍ଦ୍ରପଦ ପାଇଁ ଇନ୍ଦ୍ରଙ୍କ ସହ ଯୁଦ୍ଧ କଲା । ଦେବରାଜ ଇନ୍ଦ୍ର କୌଶଳ କରି ସମୁଦ୍ରର ଫେଣ ସାହାଯ୍ୟରେ ନମୁଚିକୁ ହତ୍ୟା କଲେ । ନମୁଚି ବ୍ରାହ୍ମଣ ଥିଲା । ତେଣୁ ନମୁଚିକୁ ମାରିଥିବାରୁ ଇନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଲା । ଦେବ ଗୁରୁ ବୃହଷ୍ପତି ତାପରେ ଇନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଁ ଏକ ଉପାୟ ବତାଇଲେ । ବୃହଷ୍ପତ୍ତି କହିଲେ, ଇନ୍ଦ୍ର ଯଦି ମହାନଦୀର ଉତ୍ତର ତୀରରେ ଥିବା ଧବଳେଶ୍ୱର କୁଦ ନିକଟରେ ସ୍ନାନ କରିବେ ତେବେ ସେ ଶାପମୁକ୍ତ ହେବେ ତାଙ୍କ ଶରୀରର ପୁର୍ବ କାନ୍ତି ଫେରିଆସିବ ।

ଇନ୍ଦ୍ର ଶାପମୁକ୍ତ ହେଲା ପରେ ସେଇ ସ୍ଥାନର ବାଲି କୁଦ ଉପରେ ଏକ ଶିବ ଲିଙ୍ଗ ସ୍ଥାପନ କଲେ ଓ କାଳ କ୍ରମେ ତାହା ଅରଣ୍ୟ ଭିତରେ ଲୁଚି ଗଲା । ପ୍ରତିଦିନ କାମଦୁଗ୍ଧା ଦେବୀ ସେଠାକୁ ଆସି ଶିବ ଲିଙ୍ଗକୁ ଦୁଗ୍ଧ ଅଭିଷେକ କରାନ୍ତି । ସେଥିପାଇଁ ଶିବ ଲିଙ୍ଗଟି ଧବଳ ରଙ୍ଗ ଧାରଣ କରିଥାଏ । ନଦୀର ଅପର ପାଶ୍ୱର୍ର ଏକ ଗ୍ରାମର ନନ୍ଦୀ ନାମରେ ଜଣେ ବ୍ୟକ୍ତି ଦିନେ ସେ ଶିବ ଲିଙ୍ଗର ସନ୍ଧାନ ପାଇଲେ ଓ ସବୁଦିନ ପୂଜା ଅର୍ଚ୍ଚନା କରିବାକୁ ଲାଗିଲେ । ଦିନେ ଶିକାର ଉଦ୍ଦେଶ୍ୟରେ ଜଣେ ଶବର ସେ ଜଂଗଲକୁ ଆସିଥାଏ । ବୁଲୁ ବୁଲୁ ସେ ବି ସେଇ ଶିବ ଲିଙ୍ଗକୁ ଭେଟିଲା । ଭକ୍ତିରେ ମହାନଦୀରେ ସ୍ନାନ କରି ଶବର ମୃଗ ମାଂସ ଓ ବେଲପତ୍ର ଦେଇ ମହାଦେବଙ୍କୁ ପୂଜା କଲା । ପରଦିନ ପାଖ ଗାଁର ନନ୍ଦୀ ନାମକ ବ୍ୟକ୍ତି ଜଣକ ସେ ସ୍ଥାନରେ ପହଞ୍ଚି ଦେଖିଲେ ମହାଦେବଙ୍କ ଆଗରେ ମୃଗ ମାଂସ ପଡିଛି । ସେ ପ୍ରଥମେ ବ୍ୟସ୍ତ ହେଇପଡିଲେ ଓ ଭାବିଲେ କେହି ଦୁଷ୍ଟ ଲୋକ ଏମିତି ହୁଏତ କରିଛି । ପରଦିନ ମଧ୍ୟ ସେଇ ଏକା ଘଟଣା ଦେଖିଲା ପରେ ସେ ଲୁଚି ରହି ସେ ପ୍ରକୃତ ଘଟଣା ଜାଣିବେ ବୋଲି ଭାବିଲେ ।

ତାପରେ ଲୁଚି ରହି ସେ ଦେଖିଲେ ଭୀମକାନ୍ତ ରୂପର ଜଣେ ବ୍ୟାଧ ମୃଗ ମାଂସ ଦେଇ ମହାଦେବଙ୍କୁ ପୂଜା କରୁଛି । ଶବର ଚାଲିଗଲା ପରେ ନନ୍ଦୀ ଶିବ ଲିଙ୍ଗକୁ ଧରି ନିଜ ଗାଁକୁ ଚାଲି ଆସିଲେ । ପରଦିନ ଶବର ଆସି ଯେତେବେଳେ ଶିବ ମହାଦେବଙ୍କୁ ପାଇଲାନି ସେତେବେଳେ ବ୍ୟସ୍ତ ବିବ୍ରତ ହେଇ ନିଜ ପେଟ ଚିରି ଅନ୍ତବୁଜୁଳା ବାହାର କରି ଶିବ ଲିଙ୍ଗ ତିଆରି କଲା ଓ ତପସ୍ୟା କରିବାକୁ ଆରମ୍ଭ କଲା । ଶବରର ଏକନିଷ୍ଠ ଭକ୍ତି ଦେଖି ସ୍ୱୟଂ ମହାଦେବ ପ୍ରକଟ ହେଲେ ଓ ଡମ୍ବରୁ ବଜାଇବାକୁ ଆରମ୍ଭ କଲେ । ଡମ୍ବରୁ ନାଦର ଶବ୍ଦ ଶୁଣି ପାଖ ଗାଁର ନନ୍ଦୀ ନାମକ ଲୋକଟି ବି ଆସି ଘଟଣା ସ୍ଥାନରେ ପହଞ୍ଚିଲା । ଆସି ଦେଖିଲା ଯେ ସେ ଶବର ଧ୍ୟାନରେ ବସିଛି ଓ ମହାଦେବ ଡମ୍ବରୁ ବାଦନ କରୁଛନ୍ତି । ଶବର ସହ ନନ୍ଦୀ ମଧ୍ୟ ସ୍ୱୟଂ ମହାଦେବଙ୍କ ଦର୍ଶନ ପାଇ କୃତାର୍ଥ ହେଲା । ତାପରେ ମହାଦେବ ତାଙ୍କର ଦୁଇ ଭକ୍ତଙ୍କୁ ତାଙ୍କର ଦୁଇ ଦ୍ୱାରପାଳ ଭାବରେ ନିଯୁକ୍ତି ଦେଲେ ।

ଏଇମିତି ଅନେକ କିମ୍ବଦନ୍ତୀ ରହିଛି ଆମର ଆଜିର ଏଇ ବଡ଼ ଓଷା ଓ ଧବଳେଶ୍ୱର ପୀଠକୁ ନେଇ ।