Ambedkar Jayanti 2024: ଅସ୍ପୃଶ୍ୟତାର ଶିକୁଳି ଭାଙ୍ଗି ପାଠ ପଢିଥିଲେ ଆମ୍ବେଦକର; ସମାଜରେ ଆଣିଥିଲେ ନବଜାଗରଣ

ଆମ୍ବେଦକରଙ୍କ ପୂରା ଜୀବନ ଥିଲା ସଂଘର୍ଷପୂର୍ଣ୍ଣ। ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ତାଙ୍କର ଏକ ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସମାନତା ସମାଜର ନିର୍ମାଣକାରୀ ଥିଲେ।

ଅସ୍ପୃଶ୍ୟତାର ଶିକୁଳି ଭାଙ୍ଗି ପାଠ ପଢିଥିଲେ ଆମ୍ବେଦକର; ସମାଜରେ ଆଣିଥିଲେ ନବଜାଗରଣ

ଆଜି ସାମାଜିକ ନବଜାଗରଣର ଅଗ୍ରଦୂତ ତଥା ଏକ ସମାନ୍ତରାଳ ସମାଜର ନିର୍ମାଣକାରୀ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ। ଡକ୍ଟର ଭୀମରାଓ ଆମ୍ବେଦକର ସମ୍ବିଧାନର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା। ସେ ୧୪ ଏପ୍ରିଲରେ ଜନ୍ମଗ୍ରହଣ କରିଥିଲେ। ଲୋକମାନେ ବାବା ସାହେବଙ୍କ ଜନ୍ମ ବାର୍ଷିକୀକୁ ଉତ୍ସାହର ସହିତ ସାରା ଦେଶରେ ପାଳନ କରନ୍ତି। ଭାରତ ରତ୍ନ ଆମ୍ବେଦକର ତାଙ୍କ ଜୀବନସାରା ସଂଘର୍ଷ ଜାରି ରଖିଥିଲେ।

ଭେଦଭାବର ସମ୍ମୁଖୀନ ହୋଇ ସେ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସ୍ୱାଧୀନ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ପରିଣତ କରିବା ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାରେ ସେ ଏକ ଅଦ୍ଭୁତ ଭୂମିକା ଗ୍ରହଣ କରିଥିଲେ। ପଛୁଆ ଏବଂ ଦୁର୍ବଳ ବର୍ଗର ଅଧିକାର ପାଇଁ ବାବା ସାହେବ ତାଙ୍କର ପୂରା ଜୀବନ ସଂଗ୍ରାମ କରିଥିଲେ। ଏହି କାରଣରି ସେ ହୋଇଯାଇଥିଲେ ଦଳିତଙ୍କ ଭଗବାନ।

ଆମ୍ବେଦକର ଶିକ୍ଷା ମାଧ୍ୟମରେ ସମାଜରେ ଥିବା ଦୁର୍ବଳ, ଶ୍ରମିକ, ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଥିଲେ। ଏହି କାରଣରୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀକୁ ଭାରତରେ ସମାନତା ଦିବସ ଏବଂ ଜ୍ଞାନ ଦିବସ ଭାବରେ ପାଳନ କରାଯାଏ। ବାବା ସାହେବଙ୍କ ଜନ୍ମ ବାର୍ଷିକୀ ଅବସରରେ, ତାଙ୍କ ଜୀବନ ସହିତ ଜଡିତ କେତେକ କୌତୁହଳପୂର୍ଣ୍ଣ କଥା ବିଷୟରେ ଆସନ୍ତୁ ଜାଣିବା।

ଜୀବନ ପରିଚୟ:

ଡକ୍ଟର ଭମରାଓ ଆମ୍ବେଦକର ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ମହୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର କିନ୍ତୁ ମୂଳତଃ ରତ୍ନାଗିରି ଜିଲ୍ଲାର ଥିଲେ। ଆମ୍ବେଦକରଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସାକପାଲ ହୋଇଥିବାବେଳେ ତାଙ୍କ ମା’ ଭୀମାବାଇ ଥିଲେ। ଡକ୍ଟର ଆମ୍ବେଦକର ମହାର ଜାତିର ଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ପିଲାଦିନରୁ ଭେଦଭାବର ସମ୍ମୁଖୀନ ହେବାକୁ ପଡିଥିଲା।

ଶିକ୍ଷା:

ବାବାସାହେବ ପିଲାଦିନରୁ ବୁଦ୍ଧିମାନ ଥିଲେ ଆଉ ଭଲ ପାଠ ମଧ୍ୟ ପଢୁଥିଲେ। ଅବଶ୍ୟ, ସେହି ସମୟରେ ଅସ୍ପୃଶ୍ୟତା ଭଳି ସମସ୍ୟା କାରଣରୁ ତାଙ୍କର ପ୍ରାଥମିକ ଶିକ୍ଷାରେ ଅନେକ ଅସୁବିଧା ହୋଇଥିଲା। କିନ୍ତୁ ସେ ଜାତିର ଶିକୁଳି ଭାଙ୍ଗି ଅଧ୍ୟୟନ ସମାପ୍ତ କରିଥିଲେ।

ସେ ମୁମ୍ବାଇର ଏଲ୍‌ଫିନ୍‌ଷ୍ଟନ୍ ରୋଡ୍‌ରେ ଥିବା ସରକାରୀ ବିଦ୍ୟାଳୟରେ ପ୍ରଥମ ଅସ୍ପୃଶ୍ୟ ଛାତ୍ର ଥିଲେ। ପରେ ୧୯୧୩ ମସିହାରେ ଆମ୍ବେଦକର ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଅଧିକ ଶିକ୍ଷା ଗ୍ରହଣ କରିଥିଲେ। ଏହା ଏକ ବଡ ସଫଳତା ଥିଲା ଯେ ୧୯୧୬ ମସିହାରେ ବାବାସାହେବଙ୍କୁ ତାଙ୍କ ଗବେଷଣା ପାଇଁ ସମ୍ମାନିତ କରାଯାଇଥିଲା।

ଡିଗ୍ରୀ:

ଲଣ୍ଡନରେ ପଢିବା ସମୟରେ ଛାତ୍ରବୃତ୍ତି ଶେଷ ହେବା ପରେ ସେ ଘରକୁ ଫେରି ମୁମ୍ବାଇର ସିଡ୍‌ନମ୍ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ୧୯୨୩ ମସିହାରେ ସେ ଏକ ଗବେଷଣାକୁ ଶେଷ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟର ଅଫ୍ ସାଇନ୍ସ ଡିଗ୍ରୀ ପ୍ରଦାନ କରାଯାଇଥିଲା। ପରେ ୧୯୨୭ ମସିହାରେ ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ସମାପ୍ତ କରିଥିଲେ।

କ୍ୟାରିୟର୍:

ବାବା ସାହେବ ତାଙ୍କ ଜୀବନରେ ଜାତିଭେଦ ଏବଂ ଅସମାନତାର ସମ୍ମୁଖୀନ ହୋଇଥିଲେ। ଏହି କାରଣରୁ ସେ ଦଳିତ ସମ୍ପ୍ରଦାୟର ସମାନ ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ। ଦଳିତ ସମ୍ପ୍ରଦାୟ ପାଇଁ ଆମ୍ବେଦକର ବ୍ରିଟିଶ ସରକାରଙ୍କଠାରୁ ଅଲଗା ନିର୍ବାଚନ ମଣ୍ଡଳୀ ପାଇଁ ଦାବି କରିଥିଲେ, ଯାହାକୁ ମଧ୍ୟ ଅନୁମୋଦନ କରାଯାଇଥିଲା। କିନ୍ତୁ ମହାତ୍ମା ଗାନ୍ଧୀ ଏହା ଚାହୁଁ ନଥିଲେ। ଯେତେବେଳେ ଗାନ୍ଧୀ ଏହାର ପ୍ରତିବାଦରେ ଆମରଣ ଅନଶନ କଲେ, ସେତେବେଳେ ଆମ୍ବେଦକର ତାଙ୍କ ଦାବି ପ୍ରତ୍ୟାହାର କରିନେଲେ।

ସଫଳତା:

ଆମ୍ବେଦକରଙ୍କ ରାଜନୈତିକ ଜୀବନର କଥା କହିଲେ ସେ ଲେବର ପାର୍ଟି ଗଠନ କରିଥିଲେ। ସମ୍ବିଧାନ କମିଟିର ସଭାପତି ଥିଲେ। ସ୍ୱାଧୀନତା ପରେ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରେ ବମ୍ବେ ଉତ୍ତର ଆସନରୁ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ବାବା ସାହେବ ଦୁଇଥର ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

୬ ଡିସେମ୍ବର ୧୯୫୬ ରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ, ୧୯୯୦ ମସିହାରେ ବାବା ସାହେବଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।