Shah Rukh Khan’s thoughts on India and the idea of citizenship
ମୁମ୍ବାଇ: ନିକଟରେ ବଲିଉଡ୍ ବାଦଶାହା ଶାହରୁଖ ଖାନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାରରେ ପ୍ରାର୍ଥନା କରି ମୃତଦେହକୁ ଫୁଙ୍କିବାକୁ ନେଇ ବେଶ ଚର୍ଚ୍ଚା ଧରିଛି। ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାବେଳେ ସେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ, ଯାହାକୁ ଇସଲାମ୍ରେ ଫାତିହା ପଢିବା କୁହାଯାଏ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ବେଶ୍ ଭାଇରାଲ୍ ହୋଇଥିଲା। ଏହି ଭିଡିଓ ଦେଖି କିଛି ଲୋକ ଶାହରୁଖ ଖାନଙ୍କୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ଜବରଦସ୍ତ ଭାବେ ତାଙ୍କୁ ଟ୍ରୋଲ୍ କରିବାକୁ ଚେଷ୍ଟା କରିଥିଲେ।
ତେବେ ଏଭଳି ଟ୍ରୋଲିଂ ଅଭିନେତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। ତେବେ ଏହାରି ଭିତରେ ଶାହରୁଖ ଖାନଙ୍କ ଆଉ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଆସିଛି ଯେଉଁଥିରେ ସେ ଦେଶ ବିଷୟରେ ଅନେକ କଥା କହୁଥିବା ନଜର ଆସନ୍ତି। ଏହି ଭିଡିଓରେ ସେ ଦେଶ ବିଷୟରେ ଯାହା କହିଛନ୍ତି ତାହା ଦେଖିବା ପରେ ନିଶ୍ଚିତ ଭାବରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ ନାହିଁ। ଜଣାଶୁଣା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ରାଘବ ଜୁୟାଲ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶାହରୁଖ ଖାନ ଦେଇଥିବା ଏକ ସାକ୍ଷାତକାରର କ୍ଲିପ୍ ଶେୟାର କରିଛନ୍ତି।
ଏହି ଭିଡିଓରେ ଶାହରୁଖ ଖାନ କହିଛନ୍ତି ଯେ “ମୋର ମନେ ଅଛି ଯେତେବେଳେ ଆମେ ପିଲା ଥିଲୁ ସେତେବେଳେ ଆମେ ‘ମୋ ଦେଶ ଭାରତ’ ବୋଲି ଏକ ପ୍ରବନ୍ଧ ଲେଖୁଥିଲୁ ଓ ପଢୁଥିଲୁ। ମୁଁ ଭାବୁଛି ଏହା ବଦଳିବା ଉଚିତ, ଏହା 'ଭାରତ ଏକ ଦେଶ ଓ ଆମେ ଏହାର ବାସିନ୍ଦା' ଭଳି ହେବା ଉଚିତ। କାରଣ ଆମେ ଏହି ଦେଶର ମାଲିକ ନୁହଁ । ମାଲିକାନାର ଅର୍ଥ ନୁହେଁ ଯେ ଏହା କେବଳ ଆମର ଭାରତ, ଏହାର ଅର୍ଥ ହେଉଛି ଏହି ଦେଶ ପାଇଁ ଆମକୁ କ’ଣ କରିବାକୁ ହେବ। ଯଦି ସେହି ପ୍ରସଙ୍ଗରେ ଦେଖାଯାଏ ତେବେ ଜାତୀୟ ବିରୋଧୀ, ସାମାଜିକ ବିରୋଧୀ, ଯେଉଁମାନଙ୍କୁ ବଡ ବଡ ନାମ ଦିଆଯାଇଛି, ସେହି ଲୋକମାନେ ନିଜକୁ ଭାରତର ଏକ ଅଂଶ ବୋଲି ଭାବନ୍ତି ନାହିଁ।”
ତେବେ ଦେଶରେ ହେଉଥିବା ବିଭିନ୍ନ ଅସାମାଜିକ ତତ୍ତ୍ୱକୁ ନେଇ ସେ କୁହନ୍ତି ଯେ “ମୋତେ ବହୁତ ଦୁଃଖ ଲାଗୁଛି, କାରଣ ମୋ ପରିବାର ମଧ୍ୟ ଏହି ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଛନ୍ତି। ଯେତେବେଳେ ବି ମୁଁ ଏହିପରି ଖବର ପଢେ, ମୋତେ ଖରାପ ଲାଗେ ଆଉ ମୋର ବାପାଙ୍କ କଥା ମନେପଡ଼େ। ମୋ ବାପା କହିଥିଲେ- ଏହି ଦେଶକୁ ସେମିତି ସ୍ୱାଧୀନ ରଖିବ, ଯେପରି ମୁଁ ତୁମକୁ ଦେଉଛି।”
ପ୍ରକାଶଥାଉ ଯେ ୧୯୯୭ ମସିହାରେ ଶାହରୁଖ ଖାନ ଏହି ସାକ୍ଷାତକାର ଦେଇଥିଲେ। ତେବେ ବର୍ତ୍ତମାନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ବେଳେ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ଦେବା ନେଇ, ଯେତେବେଳେ ଦେଶ ତା’ର ପ୍ରିୟ ତାରକାଙ୍କୁ ତାଙ୍କ ନିଜ ଧର୍ମ ଅନୁସାରେ ପ୍ରାର୍ଥନା କରିବା ଦେଖିଲେ, ସେତେବେଳେ ସେମାନଙ୍କ ଛାତି ଗର୍ବରେ ଫୁଲିଯାଇଥିଲା। ସେମାନେ କହିବାକୁ ଲାଗିଲେ ଯେ କେବଳ ଜଣେ ରାଜା ହିଁ ଏହା କରିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644406275.jpg)