Advertisment

Ratha Jatra 2023: ଓଡ଼ିଆ ଫିଲ୍ମରେ ପ୍ରଭୁ ଜଗନ୍ନାଥ; କେଉଁଠି ମୁଖ୍ୟ, କେଉଁଠି ଝଲକ୍

ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ନିରସ। ଫିଲ୍ମ ଦୁନିଆ ଏଥିରୁ ବାଦ୍ ଯିବ ବା କେମିତି। ତେବେ ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
Odia film on Lord Jagannath

Odia film on Lord Jagannath

Advertisment

ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର। ପତିତ ଉଦ୍ଧାର ପାଇଁ ମହାପ୍ରଭୁ ରଚିଛନ୍ତି ଅନେକ ଲୀଳା। କାଳିଆ ସାଆନ୍ତଙ୍କ ମାନବୀୟ ଲୀଳା ମଧ୍ୟରେ ରଥଯାତ୍ରା ନିଆରା। କାଳିଆ ଠାକୁର ଶ୍ରୀମନ୍ଦିରର ଆଦବ କାଇଦାରୁ ବାହାରିଆସି ସବୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦେଇଥାନ୍ତି ଦର୍ଶନ। ସେ ହେଉଛନ୍ତି ପ୍ରତି ଓଡିଆର ହୃଦୟ ଆଉ ଆତ୍ମା। ପ୍ରତି ଓଡିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ନିରସ। ଫିଲ୍ମ ଦୁନିଆ ଏଥିରୁ ବାଦ୍ ଯିବ ବା କେମିତି।

Advertisment

ଯଦି ୮୦ କିମ୍ବା ୯୦ ଦଶକକୁ ଦେଖାଯାଏ ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ତିଆରି ହୋଇଛି ଅନେକ ଓଡିଆ ସିନେମା। କେଉଁ କେଉଁ ଫିଲ୍ମରେ ସମ୍ପୂର୍ଣ୍ଣ ଜଗନ୍ନାଥଙ୍କ କାହାଣୀକୁ ଚିତ୍ରିତ କରାଯାଇଛି ତ ପୁଣି କେଉଁ ଫିଲ୍ମରେ ଜଗନ୍ନାଥଙ୍କ ଝଲକ ଦେଖାଯାଇଛି। କିଛି ନ ହେଲେ ବି ସିନେମା ଆରମ୍ଭରୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଖିବାକୁ ମିଳିଛି। ଅନେକ ଫିଲ୍ମରେ ଜଗନ୍ନାଥଙ୍କୁ ଆଧାର କରି ଗୀତ ନଚେତ ସଂଳାପ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା ଯେଉଁଥିରେ ଜଗନ୍ନାଥ ସାଜିଛନ୍ତି ମୁଖ୍ୟ ଆଧାର।

ଶ୍ରୀ ଜଗନ୍ନାଥ:

୧୯୫୦ରେ ମୁକ୍ତିଲାଭ କରିଥିଲା ପୌରାଣିକ ଓଡ଼ିଆ ଫିଲ୍ମ ଶ୍ରୀ ଜଗନ୍ନାଥ। ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ ଫିଲ୍ମ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଥିଲା। ଏଥିରେ ଗୋପାଳ ଚନ୍ଦ୍ର ଘୋଷ, ଗ୍ଳୋରିଆ ମହାନ୍ତି, ଚପଳା ନାୟକ, ରାମଚନ୍ଦ୍ର ମାଣିଆ, ଖଗେନ୍ଦ୍ର ନାଥ ମିତ୍ର, ସାମୁଏଲ ସାହୁ(ବାବି), ଭୀମ ସିଂହ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ।

Advertisment

ମାଣିକ:

ଜଗନ୍ନାଥଙ୍କୁ ଆଧାର କରି ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ବହୁଚର୍ଚ୍ଚିତ ଫିଲ୍ମ ମାଣିକ। ଏହି କଥାଚିତ୍ରଟିକୁ ଯୋଗେନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ମହାପାତ୍ର ପ୍ରଯୋଜନା କରିଥିବା ବେଳେ ପ୍ରେମାଞ୍ଜନ ମହାନ୍ତି ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଓ ଆର୍. ଅସରର ନିର୍ଦ୍ଦେଶନା ଦେଇଥିଲେ। ଏହି କଥାଚିତ୍ରଟି ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କର କାଞ୍ଚି ଅଭିଯାନ ସମୟର କିମ୍ବଦନ୍ତୀ କାହାଣୀ ମାଣିକ ଗଉଡ଼ୁଣୀ ଉପରେ ଆଧାରିତ।

ଏହି ଫିଲ୍ମରେ ଚନ୍ଦ୍ର ବେହେରା(ମାଣିକ ସ୍ୱାମୀ) ଭୂମିକାରେ ବିଜୟ ମହାନ୍ତି ଥିବାବେଳେ ତନ୍ଦ୍ରା ରାୟ ମାଣିକ ଓ ଗୁରୁ ଦତ୍ତଙ୍କୁ ଜଗନ୍ନାଥ ଭୂମିକାରେ ଦେଖିବାକୁ ମିଳେ।

Advertisment

ଜୟ ଜଗନ୍ନାଥ:

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି ଫିଲ୍ମ ‘ଜୟ ଜଗନ୍ନାଥ’ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇଥିଲା।

ଏହି ଫିଲ୍ମ ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ। ସେହି ସମୟରେ ଅଛୁଆଁ ଲୋକମାନଙ୍କ ପାଇଁ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା । ଶ୍ରିୟା, ଏହି ଫିଲ୍ମର ମୁଖ୍ୟ ଚରିତ୍ର ହୋଇଥିବା ବେଳେ ସେ ପୂଜାକରି ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିଥିବା ଏଥିରେ ଦେଖାଯାଇଛି।

ଏହି ଫିଲ୍ମରେ ଶ୍ରୀତମ ଦାସ ଜଗନ୍ନାଥଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ପିଣ୍ଟୁ ନନ୍ଦ ବଳଭଦ୍ର, ଜ୍ୟୋତି ମିଶ୍ର ଲକ୍ଷ୍ମୀ, ମୋହିନୀ ଶିଳାଲିପ ଶ୍ରୀୟା ଚଣ୍ଡାଳୁଣୀ ଓ ଶରତ ପୂଜାରୀଙ୍କୁ ଗଜପତି ମହାରାଜାଙ୍କ ଭୂମିକାରେ ଦେଖିବାକୁ ମିଳେ।

ହିସାବ କରିବ କାଳିଆ:

୧୯୯୦ ମସିହାରେ ପରଦାକୁ ଆସିଥିଲା ଦେବୁ ବୋଷ, ଶ୍ରୀରାମ ପଣ୍ଡା, ମିହିର ଦାସ, ରାଇ ମୋହନ ପରିଡା ଅଭିନିତ ଓଡିଆ ଫିଲ୍ମ ‘ହିସାବ କରିବ କାଳିଆ’। ଏହାକୁ ବହୁତ ଦର୍ଶକୀୟ ପ୍ରଶଂସା ମିଳିଥିଲା। ଏଥିରେ ଦେବୁବୋଷଙ୍କୁ ଦିନନାଥ ମାଷ୍ଟର ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଖଳନାୟକ ଚରିତ୍ରରେ ଦୁଖିରାମ ସ୍ୱାଇଁଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଜଗନ୍ନାଥଙ୍କ ଝଲକ ଥିଲା।

ଜଗା ହାତରେ ପଘା:

୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ‘ଜଗା ହାତରେ ପଘା’। ଏହି ଫିଲ୍ମଟି 'ତରଙ୍ଗ ସିନେ ପ୍ରଡକ୍ସନ'ର ୩ୟ ଫିଲ୍ମ ଥିଲା। ନିର୍ମଳ ନାୟକ ଏହାର ସଂଳାପ ରଚନା କରିଥିବା ବେଳେ ମୂରଲି କ୍ରିଷ୍ଣା ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ। ଏଥିରେ ଅନୁଭବ ମହାନ୍ତି ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ବୁଦ୍ଧାଦିତ୍ୟ ମହାନ୍ତି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଏଲିନା ସାମନ୍ତରାୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ। ଅଜିତ ଦାସ, ମୀନକେତନ, ଅସିତ ପତି ପ୍ରମୁଖ କଳାକାରମାନେ ମଧ୍ୟ ଏଥିରେ ନଜର ଆସିଥିଲେ।

ଏହା ପୂର୍ବରୁ ମଧ୍ୟ ଏହି ନାଁରେ ଆଉ ଏକ ଫିଲ୍ମ ଅଛି। ଏଥିରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅଶିତ ପତି ଓ ଅପରାଜିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ବିଜୟ ମହାନ୍ତିଙ୍କୁ ଜଗନ ଭୂମିକାରେ ଦେଖିବାକୁ ମିଳିଥିଲା।

Odia Film Odia Film Industry Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ