Deep Sidhu
ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ମୃତ୍ୟୁ । ହରିୟାଣାର ସୋନିପତ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । କୁଣ୍ଡଲି-ମାନେଶ୍ୱର-ପଲଓ୍ୱାର ଏକ୍ସପ୍ରେସ ୱେର ପିପଲି ଟୋଲ ନିକଟରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଦୀପ ସିଦ୍ଧୁଙ୍କ କାର ପିଟି ହୋଇଯାଇଥିଲା । ପରେ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।
ଦୀପ ଦିଲ୍ଲୀରୁ ଭଟିଣ୍ଡା ଯାଉଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଲାଲକିଲ୍ଲା ହିଂସା ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିଲେ ଦୀପ୍ ସିଦ୍ଧୁ । ଏହି ମାମଲାରେ ସେ ଜାମିନରେ ଥିଲେ । ଦୀପ ସିଦ୍ଧୁ ଜଣେ ଅଭିନେତା ଓ ସାମାଜିକ କର୍ମୀ ହିସାବରେ ବେଶ ଲୋକପ୍ରିୟ ଥିଲେ । ତାଙ୍କ ଅକାଳ ବିୟୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂ ଚନ୍ନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
୨୦୨୧ ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଟ୍ରାକ୍ଟର ରାଲି ଆଳରେ କିଛି ଉପଦ୍ରବକାରୀ ଲାଲକିଲ୍ଲାରେ ପ୍ରବେଶ କରି ପତାକା ଉଡ଼ାଇଥିଲେ। ଲାଲକିଲ୍ଲା ଭିତରେ ତ୍ରିରଙ୍ଗା ବଦଳରେ ଦୀପ ସିଦ୍ଧୁ ଶିଖ ଧର୍ମର ପତାକା ଉଡ଼ାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।
ଚାଷୀନେତାମାନେ କହିଥିଲେ ଯେ ଦୀପ ସିଦ୍ଧୁ ହିଁ କିଛି ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ପତାକା ଉଡ଼ାଇଛନ୍ତି। ସେହିପରି ଦୀପ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଫଟୋ ଉଠାଇଥିବାରୁ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ପୁଲିସ୍ ହିଂସାକାଣ୍ଡ ଘଟଣାରେ ରୁଜୁ କରିଥିବା ଏଫଆଇଆର୍ରେ ଦୀପ ସିଦ୍ଧୁଙ୍କ ନାଁ ରହିଥିଲା।
ଦିଲ୍ଲୀ କୋର୍ଟରୁ ଜାମିନ ପାଇବା ପୂର୍ବରୁ ସିଦ୍ଧୁଙ୍କୁ ଲାଲ କିଲ୍ଲା ହିଂସା ମାମଲାରେ ଦୁଇଥର ଗିରଫ କରାଯାଇଥିଲା। ଲାଲ କିଲ୍ଲା ହିଂସା ମାମଲାରେ ଆନ୍ଦୋଳନକାରୀଙ୍କୁ ଉସ୍କାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଲାଲ କିଲ୍ଲା ହିଂସାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ହିଂସା ପରେ ଦୀପ ସିଦ୍ଧୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ତାଙ୍କୁ ହରିଆଣା କର୍ଣ୍ଣାଲରୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Deep_Sidhu_1644988427.jpg)