ହାଇକୋର୍ଟ ଗଲେ ପ୍ରକୃତି, ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି

ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଜଣାଇଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ ।

Prakruti Mishra

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟ ଯାଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟଙ୍କୁ ସେ ଜଣାଇଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି ।ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏତଲା କରିଥିଲେ ।

ତେବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ନିଜର ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି । ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା ରହିଛି ।’

 

ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ପୋଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇନି । ମାମଲାରେ ଗୃହ ସଚିବ, ଖାରବେଳନଗର IICଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ କହିଛନ୍ତି ।

ସୂଚନାଯୋଗ୍ୟଯେ, ଦୁଇ ଦିନ ପୂର୍ବେ ବାବୁସାନ ଏକ ଭିଡିଓ ଜାରି କରିଥିଲେ । ଏଥିରେ ସେ ଯାହା ସବୁ ଘଟଣା ଘଟିଯାଇଛି ସେଥିପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ୍ ଆଉ ହେବ ନାହିଁ ବୋଲି କହିଥିଲେ । ପତ୍ନୀ ତୃପ୍ତିଙ୍କର କୌଣସି କ୍ଷତି ହେବାକୁ ଦେବେନି କହିଥିଲେ ବାବୁଶାନ । ତାଙ୍କ ଭୁଲ ପାଇଁ ତୃପ୍ତିଙ୍କ ପରିବାର ଓ ନିଜେ ତୃପ୍ତି ଅନେକ କଷ୍ଟ ପାଇଛନ୍ତି । ତେଣୁ ଏଭଳି ଭୁଲ ଆଗକୁ ଆଉ କେବେ ବି ହେବ ନାହିଁ କହିଥିଲେ । ବାବୁସାନଙ୍କ କ୍ଷମା ପ୍ରାର୍ଥନା ପରେ ଆଜି ପ୍ରକୃତି ହାଇକୋର୍ଟ ଯାଇଛନ୍ତି ।

ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିଥିଲେ । ଏମିତିକି ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି । ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହୋଇଥିଲା । ତେବେ ଉଭୟେ ଉଭୟଙ୍କର ଭଲ ସାଙ୍ଗ ବୋଲି କହିବା ସହ ତୃପ୍ତି ଯାହା ଘଟାଛନ୍ତି, ଆଦୌ ଠିକ୍ ହୋଇନି ବୋଲି କହିଥିଲେ ବାବୁସାନ ଏବଂ ପ୍ରକୃତି । ଏହି ଘଟଣା ପରେ ପ୍ରକୃତିଙ୍କ ବାପା, ମାଆ ଖାରବେଳନଗର ଥାନାରେ ଏନେଇ ଏତଲା ଦେଇଥିଲେ । 

ଗୋଟିଏ ଗାଡ଼ିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଏୟାରପୋର୍ଟ ଅଭିମୁଖେ ବାହାରିଥିଲେ । ଆଉ ଏତିକିବେଳେ ଉଭୟଙ୍କୁ ଗୋଟିଏ ଗାଡ଼ିରେ ଦେଖି ବାବୁସାନଙ୍କୁ ଟାଣିଆଣିବାକୁ ଚେଷ୍ଟା କରୁଥିଲେ ପତ୍ନୀ ତୃପ୍ତି । ଏହାସହ କାର୍ ଭିତରେ ପଶି ପ୍ରକୃତିଙ୍କ ଚୁଟିକୁ ମଧ୍ୟ ଟାଣିଥିଲେ ତୃପ୍ତି । ତୃପ୍ତିଙ୍କ କବଳରୁ ଉଦ୍ଧାର ପାଇଁ ନିବେଦନ କରୁଥିଲେ ପ୍ରକୃତି, କିନ୍ତୁ କେହି ଉଦ୍ଧାର ନକରିବାରୁ ଶେଷରେ କଳ, ବଳ ଖଟାଇ ସେଠାରୁ ଖସିଥିଲେ ।

ଏହି ଘଟଣା ପରେ OTVକୁ ପ୍ରକୃତି ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଥିଲେ । ଆଉ କହିଥିଲେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁର ଗୁଣ୍ଡା ଧରି ଆକ୍ରମଣ କରିଥିଲେ । ବାବୁସାନଙ୍କୁ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍ କଲେ । ତାଙ୍କ ବାପା ଓ ଗୁଣ୍ଡାମାନେ ମିସବିହେଭ୍ କଲେ । ଚୁଟି ଧରି ଭିଡ଼ାଭିଡ଼ି କଲେ । ଗୋଟିଏ ପୁଅ ଓ ଗୋଟିଏ ଝିଅ ସାଙ୍ଗ ହେବା ଭୁଲ୍ କି ବୋଲି ପ୍ରଶ୍ନ କରିବା ସହ ଲିଗାଲ ଆକ୍ସନ ନେବେ ବୋଲି ପ୍ରକୃତି ଚେତାବନୀ ଦେଇଥିଲେ ।