ଅନ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ନିଲମ୍ବିତ ହେଲେ ମଦ୍ୟପ ଶିକ୍ଷକ ଜଗଦୀଶ ବେହେରା

ମଦ୍ୟପାନ କରି ଶିକ୍ଷକ ଅନ୍ୟ ସ୍କୁଲରେ ପଶି ପିଲାଙ୍କୁ ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟ ସ୍କୁଲ ପିଲାଙ୍କୁ ପିଟିଥିଲେ, ଏବେ ନିଲମ୍ବିତ ହେଲେ

ମଦ ପିଇ ଛାତ୍ରଛାତ୍ରୀଙ୍କୁ ମାଡ ମାରିବା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ମଦ୍ୟପ ଶିକ୍ଷକ ଜଗଦୀଶ ବେହେରା । ମାମଲାର ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଗଜପତି ଜିଲ୍ଲା ଅଡ଼ବା ଥାନା ଡେଙ୍ଗେସଖାଲ ଗାଁର ୧୬ ଛାତ୍ରଛାତ୍ରୀଙ୍କୁ ଜଗଦୀଶ ମାଡ଼ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।

ଲଦିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଗୁରୁବାର ଅପରାହ୍ନରେ ମଦ୍ୟପାନ କରି ଡେଙ୍ଗେସଖାଲ ଗାଁର ସ୍କୁଲକୁ ଯାଇଥିଲେ । ସେହି ସମୟରେ ପିଲାଙ୍କର ଖେଳ ଛୁଟି ଥିଲା । ପିଲାମାନେ ପଡ଼ିଆରେ ଖେଳୁଥିବା ସମୟରେ ଜଗଦୀଶ ସେମାନଙ୍କୁ ଶ୍ରେଣୀ ଗୃହକୁ ଡାକି ନେଇଥିଲେ। ନିଜ ସ୍କୁଲ ହୋଇନଥିଲେ ମଧ୍ୟ ସେଠାରେ କ୍ଲାସରୁମରେ ପଶି ଛାତ୍ରଛାତ୍ରୀଙ୍କୁ ପାଠ ପଠାଇବାର ଆଳ କରି ପ୍ରଶ୍ନ ପଚାରିଥିଲ । ତେବେ ଉତ୍ତର ଦେଇ ନପାରିବାରୁ ଛାତ୍ରଛାତ୍ରୀଙ୍କୁ ବାଡ଼ିରେ ନିର୍ଧୂମ ମାଡ଼ ମାରିଥିଲେ ।

ଛାତ୍ରଛାତ୍ରୀଙ୍କ ଚିତ୍କାର ଶୁଣି ସ୍କୁଲ ନିକଟରେ ଥିବା ଜଣେ ଅଭିଭାବକ ଶ୍ରେଣୀ ଗୃହକୁ ପଶି ଯାଇଥିଲେ । ପିଲାଙ୍କୁ କାହିଁକି ପିଟୁଛନ୍ତି ବୋଲି ସେ ଜଗଦୀଶଙ୍କୁ ପଚାରିଥିଲେ। ଏହା ମଧ୍ୟରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ମଧ୍ୟ ଶ୍ରେଣୀ ଗୃହରେ ପହଞ୍ଚି ଜଗଦୀଶଙ୍କ ଉପରେ ବିରକ୍ତ ହୋଇଥିଲେ । ପରେ ସେ ସେଠାରୁ ପଳାଇ ଯାଇଥିଲେ।

ଜଣେ ଅଭିବାବକ ଆହତ ଛାତ୍ର ଛାତ୍ରୀ ଙ୍କୁ ଉଦ୍ଧାର କରି ଅଡ଼ବା ମେଡ଼ିକାଲରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା।ଡେଙ୍ଗେସଖାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।