ଦଶମ ଓ ଦ୍ୱାଦଶରେ ଅଫଲାଇନ୍ ପରୀକ୍ଷାକୁ ନେଇ ତେଜିଲାଣି ଅସନ୍ତୋଷ

ଦଶମ ଓ ଦ୍ୱାଦଶରେ ହେବ ଅଫଲାଇନ୍ ପରୀକ୍ଷା । ଏନେଇ ସଂକେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେପଟେ ପରୀକ୍ଷା କରାଇବା ନିଷ୍ପତ୍ତିକୁ ନେଇ କିନ୍ତୁ ଏବେଠୁ ତେଜିଲାଣି ଅସନ୍ତୋଷ । କିଛି ଛାତ୍ରଛାତ୍ରୀ ଅଫ୍ ଲାଇନ୍ ପରୀକ୍ଷାକୁ ସ୍ୱାଗତ କରିଥିବାବେଳେ ଆଉ କିଛି ଦ୍ୱାଦଶ ଶ୍ରେଣୀ ପିଲା ଫାଇନାଲ୍ ପରୀକ୍ଷା ନକରି କ୍ୱାର୍ଟର ଏଣ୍ଡ ପରୀକ୍ଷା ଆଧାରରେ ମାର୍କ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

Cancelation Of Plus II Exams

କରୋନା ଯୋଗୁ ପାଠପଢ଼ା ହୋଇନି । ଆମେ ପରୀକ୍ଷା ଦେଇପାରିବୁନି । କ୍ୱାର୍ଟର ଏଣ୍ଡ ଏକ୍ଜାମ୍ ଆଧାରରେ ଆମକୁ ନମ୍ବର ଦିଅ ବୋଲି ପିଲା ଅଭିଯୋଗ କରିଛନ୍ତି । କରୋନା ସମୟରେ ପରୀକ୍ଷାକୁ ବିରୋଧ କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରେ ପ୍ରତିବାଦ କରିଛନ୍ତି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ସେମାନଙ୍କର ଗୋଟିଏ ଜିଦ୍ କି ପରୀକ୍ଷା ଦେଇ ହେବନି ।

ଏଣେ କିନ୍ତୁ ଦଶମ ଓ ଦ୍ୱାଦଶର ଅଫଲାଇନ୍‌ ପରୀକ୍ଷା କରାଇବା ଲାଗି ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କରୋନାର ତଳ ମୁହାଁ ଟ୍ରେଣ୍ଡକୁ ଦେଖି ବିଭାଗ ପରୀକ୍ଷା ସପକ୍ଷରେ ରହିଛି । ସେହିପରି ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ପିଲାଙ୍କୁ ଆହ୍ୱାନ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଠିକ୍ ସମୟରେ ପରୀକ୍ଷା କରାଯାଇ ଫଳାଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କରୋନା କାରଣରୁ ପରୀକ୍ଷା ହୋଇନପାରିବାରୁ ଗତ ବର୍ଷ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ ହୋଇଥିଲା । ତେବେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ଦଶମରେ ଦୁଇଟି ସମେଟିଭ୍ ଆସେସମେଣ୍ଟ ଓ ଦ୍ୱାଦଶରେ କ୍ୱାର୍ଟର ଏଣ୍ଡ ଏକ୍ଜାମ ଲାଗୁ ହୋଇଛି । କରୋନା ପାଇଁ ପରୀକ୍ଷା ବାତିଲ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ ବୋଲି କୁହାଯାଉଥିଲା । ଆସନ୍ତା ମାସରେ ଦଶମର ସମେଟିଭ୍ ଟୁ ଓ ମାର୍ଚ୍ଚରେ ଦ୍ୱାଦଶ ଫାଇନାଲ୍ ପରୀକ୍ଷା କରିବାକୁ ଯୋଜନା ରହିଛି । ଏଣେ ଅଫଲାଇନ୍ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

 

ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସବୁ କିଛି ନିର୍ଭର କରୁଛି ସଂକ୍ରମଣର ସ୍ଥିତି ଉପରେ । ତେବେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିବାରୁ ଗତ ବର୍ଷ ଭଳି ଏଥର ଅବ୍ୟବସ୍ଥା ସୃଷ୍ଟି ନହୋଇପାରେ ବୋଲି କୁହାଯାଉଛି ।