Advertisment

ଛାତରୁ ପ୍ଲାଷ୍ଟର ଖସୁଛି, ଗଛ ମୂଳେ ବସି ପାଠ ପଢ଼ୁଛନ୍ତି କୁନି କୁନି ପିଲା

ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍‌ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍‌ ବସିଛି ପ୍ରଶାସନ

ଅଦ୍ୟତନ ହୋଇଛି
Poor Condition Of School Building

Poor Condition Of School Building

Advertisment

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତ ଭୋଇସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୧୩୭ ବର୍ଷର ପୁରୁଣା । ବିଦ୍ୟାଳୟରେ ଘର ଅଭାବରୁ ରୋଷେଇ ଘରେ ଚାଲିଛି ପିଲାଙ୍କ ପାଠପଢା। ଖାଲି ଏତିକି ନୁହେଁ, ବିପଦପୂର୍ଣ୍ଣ ଶ୍ରେଣୀଗୃହ ପାଇଁ ବାରଣ୍ଡାରେ ବସି କୁନି କୁନା ପାଠପଢୁଥିବା ବେଳେ ଗଛମୂଳେ ବସି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଉଦ୍ୟମ ଚଳାଇଛନ୍ତି ଶିକ୍ଷକ ।

Advertisment

ଏଭଳି ଶିକ୍ଷା ଦାନର ଦୃଶ୍ୟ ନିଶ୍ଚିତ ଭାବେ ସଭିଙ୍କୁ ଚକିତ କରିବ । ୧୮୮୫ ମସିହାରେ ସ୍ଥାପିତ ବିଦ୍ୟାଳୟକୁ ୧୩୭ ବର୍ଷ ଛୁଇଁଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୦୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୮ ଟି ଶ୍ରେଣୀକୁ ମାତ୍ର ୪ ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢାଉଛନ୍ତି। ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଯାହାବି ଅଛି ତାହା ଅତି ବିପଦ ଜନକ ଅବସ୍ଥାରେ ରହିଛି । ଏଥିପାଇଁ ପିଲାମାନେ ବାଧ୍ୟ ହୋଇ ବିଦ୍ୟାଳୟ ବାରଣ୍ଡାରେ ତ ଆଉ କେତେବେଳେ ଗଛମୂଳେ ବସି ପାଠ ପଢୁଛନ୍ତି ।

ପିଲାଙ୍କ ବସିବାକୁ ଶ୍ରେଣୀ ଗୃହର ଅଭାବ ଦୀର୍ଘ ଦିନରୁ ଦେଖାଦେଇଛି। ଆଗପଛ ହୋଇ ତିଆରି ହୋଇଥିବା ୭ଟି ଶ୍ରେଣୀ ଗୃହମଧ୍ୟରୁ ୫ ଟି ବିପଦପୂର୍ଣ୍ଣ ହୋଇପଡିଛି। ଘର ଛାତରୁ ପରସ୍ତ ପରସ୍ତ ପ୍ଲାଷ୍ଟର ଖସି ରଡ୍ ଦେଖାଗଲାଣି। ପିଲାଙ୍କ ବସିବା ଉପଯୋଗୀ ହୋଇପାରୁନି । ବାକି ଗୋଟିଏ ଘରେ ବିଦ୍ୟାଳୟର କାର୍ଯ୍ୟାଳୟ ସହ ପିଲାଙ୍କ ପାଠ ପଢା ଚାଲିଛି। ନୂଆକରି ଖୋଲିଥିବା ଅଷ୍ଟମ ପିଲା ରୋଷେଇ ଘରେ ପାଠ ପଢୁଛନ୍ତି ।

Advertisment

ପ୍ରଥମରୁ ପଞ୍ଚମ ପିଲା ଗଛମୂଳେ ବସି ପାଠ ପଢୁଛନ୍ତି । ବର୍ଷା ଖରା ବର୍ଷ ତମାମ ବିଦ୍ୟାଳୟର ପିଲାମାନେ କେତେବେଳେ ଗଛମୂଳ ତ କେତେବେଳେ ବାରଣ୍ଡାରେ ବସି ପଢୁଛନ୍ତି । ତେବେ ସମସ୍ୟାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି । ହେଲେ କିଛି ସୁଫଳ ମିଳିନି ।

ତେବେ ଘଟଣାକୁ ନେଇ ଆମେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ହେଲେ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ବିଦ୍ୟାଳୟରେ ଗଢ଼ା ଯାଉଥିବା ଆଗାମୀ ପିଢ଼ିର ଭବିଷ୍ୟତ ମାନଙ୍କୁ ନେଇ ସରକାର ଓ ବିଭାଗ କେତେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ।

Advertisment

ରିପୋର୍ଟର- କିରୀଟି ଦାସ

Special Story Poor Condition Of School Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ