ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଛି ଭୁଲ୍ ପାଠ ?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?

Education on the edge

ପିଲାଙ୍କୁ ଭୁଲ୍‌ ପାଠ ପଢାଉଛି ଗଣଶିକ୍ଷା ବିଭାଗ । ସବୁ ବହିରେ ଭୁଲ ରହିଛି ସେ କଥା ଆମେ କହୁନାହୁଁ ବରଂ ଇତିହାସ ଓ ରାଜନୀତି ବିଜ୍ଞାନରେ ରହିଛି ଗୁରୁତର ତ୍ରୁଟି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।. ଲବଣ ସତ୍ୟାଗ୍ରହ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ସ୍ଥାନର ନାଁ ବିକୃତ କରି ଲେଖାଯାଇଥିବାରୁ ଗଣଶିକ୍ଷା ବିଭାଗକୁ ଘେରିଛନ୍ତି ବୁଦ୍ଧିଜୀବୀ ।

ରାଜ୍ୟ ସରକାରଙ୍କ ଦ୍ଵାରା ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଇତିହାସ ଓ ରାଜନୀତି ବିଜ୍ଞାନ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ଗୁରୁତର ତୃଟି ସାମ୍ନାକୁ ଆସିଛି । ଖାସ୍‌ କରି ଜଗତସିଂହପୁର କୁଜଙ୍ଗର ଚଟୁଆ, କାଳିଆପାଟ ଏବଂ ବାଘାଡିଆ ସ୍ଥାନକୁ ଅପଭ୍ରଂଶ କରି ଗଡୁଆ, କାଳିଘାଟ ଏବଂ ବରାଡିଆ ଲେଖାଯାଇଛି । ଚଟୁଆକୁ ଗଡୁଆ, କାଳିଆପାଟକୁ କାଳିଘାଟ ଏବଂ ବାଘାଡିଆକୁ ବରାଡିଆ ଲେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତେଜୁଥିବା ବେଳେ ସ୍ଥାନ ଗୁଡିକର ନାଁକୁ ଏମିତି ବିକୃତ କରିବାକୁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

୧୯୩୦ ମେ’ ୮ ତାରିଖରେ କୁଜଙ୍ଗ ଚଟୁଆ, ବାଘାଡିଆ ଏବଂ କାଳିଆପାଟରେ ପ୍ରାୟ ୭ ହଜାର ମହିଳା ଏକାଠି ହୋଇ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ ବୋଲି ପୂର୍ବପୁରୁଷଙ୍କ ଠାରୁ ସ୍ଥାନୀୟ ଲୋକମାନେ ଶୁଣିଥିଲେ । ହେଲେ ନିଜ ପିଲାମାନେ ଏହି ସବୁ ଅଂଚଳର ନାଁକୁ ଭୁଲରେ ପଢୁଥିବାରୁ ଏବେ ଅସନ୍ତୋଷ ବଢିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ଷବର୍ଷ ଧରି ପିଲାଙ୍କୁ ଏମିତି ଦିଆଯାଉଛି ଭୁଲ୍ ଶିକ୍ଷା । ଆଉ ଏବେ ସତ ସାମ୍ନାକୁ ଆସିବା ପରେ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ତ୍ରୁଟି ସୁଧାରିବାକୁ ଜୋର ଧରିଛି ଦାବି ।

ଅନେକ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛପା ଯାଉଥିବା ବହିରେ ତ୍ରୁଟି ପରିଲକ୍ଷିତ ହୋଇଛି । ହେଲେ ଏମିତି ଗୁରୁତର ତ୍ରୁଟି ସମ୍ପର୍କରେ ବିଭାଗ କେମିତି କିଛି ଜାଣିପାରିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।