'ପଛପଟୁ ଆସି ମୋ ଗାଲକୁ ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା'

ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଟୁଟୁ ନାୟକ । ତେବେ ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ମାମଲା ଦାୟର କରିଛନ୍ତି ।

Attack On Lady Journalist

ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଟୁଟୁ ନାୟକ । ତେବେ ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ମାମଲା ଦାୟର କରିଛନ୍ତି । ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଯୋଜକ ଟୁଟୁ ନାୟକ ତାଙ୍କ ଅଜାଣତରେ ଆସି ପଛପଟୁ ଗାଲକୁ ବାଡେଇଲେ । କ’ଣ ପାଇଁ ବାଡେଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଟୁଟୁ ନାୟକ ତାଙ୍କ ଗାଲକୁ ମାରିବା ପରେ ତାଙ୍କୁ ଠେଲି ଦେଇଥିଲେ । ଯାହା ଫଳରେ ତାଙ୍କ ମୋବାଇଲ୍‌, କ୍ୟାମେରା ଓ ବୁମ୍‌ ମଧ୍ୟ ତଳେ ପଡ଼ିଯାଇଥିଲା । ତାଙ୍କୁ ବାଡ଼େଇବାକୁ ଅଧିକାର କିଏ ଦେଲା ବୋଲି ସାମ୍ବାଦିକା ଜଣଙ୍କ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ସମ୍ମାନରେ ଆଞ୍ଚ ଲାଗିଛି, ପୋଲିସ ଟୁଟୁ ନାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ କହିଛନ୍ତି ।

ଦେବସ୍ମିତା ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଫିଲ୍ମ ହଲ୍‌ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି । ତେବେ ଏନେଇ ଟୁଟୁ ନାୟକ କହିଛନ୍ତି, ଆଜି ଗୋଟିଏ ଦିନରେ ୨ଟା ପ୍ରିମିଅର ସୋ ଥିଲା । ସୋ ଦେଖି ବାହାରିବା ବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ସାଇଡ୍ ହୋଇଯାଅ କହି ଟିକେ ମାରିଦେଲି । ତାଙ୍କ ମୋବାଇଲ୍ ତଳେ ପଡ଼ିଗଲା, ଅନ୍ୟ ସାମ୍ବାଦିକ ଉଠାଇ ଦେଲେ । ମୁଁ ସେଠାରୁ ପଳାଇ ଆସିଲି, ପରେ ଶୁଣିଲି ମୋ ନାଁରେ କେସ୍ ହୋଇଛି । ମୋର ସେଭଳି କିଛି ଉଦ୍ଦେଶ୍ୟ ନ ଥିଲା ।

ଆଜି ଏକ ଓଡ଼ିଆ ଫିଲ୍ମ ପ୍ରିମିୟର୍‌ ଶୋ’ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରିମୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ୱାଦିକା ଦେବସ୍ମିତା ରାଉତ ବାହାକୁ ଆସିଥିଲେ । ଫିଲ୍ମର ହିରୋଙ୍କ ବାଇଟ୍‌ ନେବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।