Crime Story: କିଏ ସେଇ ଭୟଙ୍କର ହତ୍ୟାକାଣ୍ଡର ଅଦୃଶ୍ୟ ହତ୍ୟାକାରୀ...ଏବେ ବି ତଦନ୍ତ ବାଟବଣା

ଗମ୍ଭୀରଙ୍କୁ ମୁକ୍ତ କରିବା ପରେ କୌଣସି ସମ୍ପର୍କୀୟ ତାଙ୍କୁ ଜେଲରୁ ନେବାକୁ ଆସି ନଥିଲେ। ଗମ୍ଭୀର ସିଂହ ଖଣ୍ଡୌଲିରେ ରହୁଥିବା ତାଙ୍କ ଶ୍ୱଶୁରଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଆସିବାକୁ ମନା କରିଥିଲେ। ବାହାରକୁ ଆସିବା ପରେ ତାଙ୍କ ପାଖରେ ମାତ୍ର ୩୦୦ ଟଙ୍କା ଥିଲା। ଏହି ରାଶି ତାଙ୍କୁ ଜେଲରେ ଥିବା ତାଙ୍କ ସାଥୀ କଏଦୀ ରାଜବୀର ଏବଂ ବିଜୟ ଦେଇଥିଲେ।

ସେଦିନର ସେଇ ରକ୍ତଭିଜା କାହାଣୀ

୧୩ ବର୍ଷ ତଳେ ଉତ୍ତରପ୍ରଦେଶର ଆଗ୍ରାରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଏ। ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ପରିବାରର ସାନ ପୁଅ ଓ ସମ୍ପର୍କୀୟଙ୍କୁ ପୁଲିସ ଗିରଫ କରେ। ପ୍ରଥମେ ସମ୍ପର୍କୀୟ କୋର୍ଟରୁ ଖଲାସ ହୁଅନ୍ତି। ମୃତ୍ୟୁ ଦଣ୍ଡ ପାଇଥିବା ଘରର ସାନ ପୁଅ ଶେଷରେ ସୁପ୍ରିମକୋର୍ଟରୁ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି। ଏ ପ୍ରକାର ନିର୍ଦ୍ଦେଶନାମା ଆସିବା ପରେ ଉତ୍ତରପ୍ରଦେଶରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି ହୋଇଛି। ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିବା ପଛରେ କିଏ ସେହି ଅଦୃଶ୍ୟ ହତ୍ୟାକାରୀ-ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ସେଦିନର ରକ୍ତଭିଜା କାହାଣୀ

୨୦୧୨ ମସିହା ମେ ୯ ତାରିଖ। ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ଅଚ୍ଛନେରାର ତୁର୍କିଆ ଗାଁରେ ଏକ ଗଣ ହତ୍ୟାକାଣ୍ଡ ହୋଇଥିଲା। ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ସତ୍ୟଭାନଙ୍କ ସମେତ ତାଙ୍କ ପତ୍ନୀ ପୁଷ୍ପା ଏବଂ ଚାରି ପିଲା ଆରତୀ, କନହୈୟା, ମଛଲା ଏବଂ ଗୁଡ଼ିଆଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଘର ଭିତରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ସତ୍ୟଭାନଙ୍କ ସାନ ଭାଇ ଗମ୍ଭୀର ସିଂହଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା। ପୁଲିସ ଗମ୍ଭୀର ଓ ତାଙ୍କ ସମ୍ପର୍କୀୟ ଗାୟତ୍ରୀଙ୍କୁ ଗିରଫ କରି ଜେଲ ପଠାଇଥିଲା।

ତଳ କୋର୍ଟ ଦେଇଥିଲେ ମୃତ୍ୟୁ ଦଣ୍ଡ, ସୁପ୍ରିମକୋର୍ଟରେ ନିର୍ଦ୍ଦୋଷ

ଗମ୍ଭୀର ସିଂହଙ୍କୁ ୨୦୧୭ ମାର୍ଚ୍ଚ ୨୦ରେ ତଳ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ଗାୟତ୍ରୀଙ୍କୁ ତଳ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୨୨ ମାସ ପରେ ଅର୍ଥାତ ୨୦୧୯ ଜାନୁଆରି ୯ରେ ଆହ୍ଲାବାଦ ହାଇକୋର୍ଟ ଗମ୍ଭୀରଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୬ ବର୍ଷ ଧରି ମାମଲା ସୁପ୍ରିମକୋର୍ଟରେ ଥିଲା। ୨୦୨୫ ଜାନୁଆରି ୨୮ରେ କୋର୍ଟ ଗମ୍ଭୀର ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗ୍ରା ପୁଲିସ ତଦନ୍ତରେ ଗମ୍ଭୀର ବିରୋଧରେ ଠୋସ୍ ପ୍ରମାଣ ପ୍ରଦାନ କରିବାରେ ବିଫଳତା ଯୋଗୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ। ଗଲା ଫେବ୍ରୁଆରି ୧୨ରେ ଗମ୍ଭୀର ସିଂହ ଆଗ୍ରା କେନ୍ଦ୍ରୀୟ କାରାଗାରରୁ ବାହାରିଥିଲା।

୬ ହତ୍ୟାକାଣ୍ଡ ପଛର ଅଦୃଶ୍ୟ ହତ୍ୟାକାରୀ?

ଗମ୍ଭୀର ତାଙ୍କ ବଡ଼ ଭାଇ ସତ୍ୟଭାନଙ୍କୁ ଏକ ଜମି ବିକ୍ରି କରିବାକୁ କହିଥିଲେ। ବଡ଼ ଭାଇ ଉକ୍ତ ଜମିକୁ ପତ୍ନୀ ପୁଷ୍ପାଙ୍କ ନାଁରେ କରିଦେଇଥିଲେ। ଏହି ରାଗରେ ଗମ୍ଭୀର ଏଭଳି ବିଭତ୍ସ ହତ୍ୟାକାଣ୍ଡ କରିଥିବା ପୁଲିସ ଦର୍ଶାଇଥିଲା। କିନ୍ତୁ ୨୦୧୦ରେ ଏହି ଦୁଇ ଭାଇଙ୍କ ମାଙ୍କୁ ବି ହତ୍ୟା ହୋଇଥିଲା। ଏହି ହତ୍ୟାକାଣ୍ଡରେ ଉପରୋକ୍ତ ଦୁଇ ଭାଇଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ସତ୍ୟଭାନ ଜେଲରୁ ଖଲାସ ହୋଇଥିଲେ। ଗମ୍ଭୀର ଜେଲରେ ରହିଯାଇଥିଲେ। ଜାମିନରେ ମୁକୁଳିବା ପାଇଁ ସତ୍ୟଭାନଙ୍କୁ ଜମି ବିକ୍ରି କରି ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସତ୍ୟଭାନ ମନା କରିଦେଇଥିଲେ। ପୁଷ୍ପାଙ୍କ ନାଁରେ ଉକ୍ତ ଜମି କରିଦେଲେ। ସେହି ରାଗରେ ଏଭଳି ହତ୍ୟାକାଣ୍ଡ ହୋଇଥିଲା। କିନ୍ତୁ ଏହି ଜମି କାରବାର ସମ୍ପର୍କିତ କୌଣସି କାଗଜପତ୍ର ପୁଲିସ ସୁପ୍ରିମକୋର୍ଟରେ ଦାଖଲ କରିପାରିଲା ନାହିଁ। ଏହି ହତ୍ୟାକାଣ୍ଡରେ କୌଣସି ସାକ୍ଷୀ ବି ପୁଲିସ ନିକଟରେ ନଥିଲା। ତେବେ ଏହି ୬ ଜଣଙ୍କୁ କିଏ ହତ୍ୟା କଲା ଏବେ ଏହା ବଡ଼ ପ୍ରଶ୍ନ। ପୁଲିସର ତଦନ୍ତ ପ୍ରକ୍ରିୟା ଓ ପ୍ରମାଣ ଯୋଗାଡ଼ ବ୍ୟବସ୍ଥା ଏବେ କାଠଗଡ଼ାରେ ଛିଡ଼ା ହୋଇଛି।

ପରିବାର ଲୋକେ ନେବାକୁ ଆସିଲେନି

ଗମ୍ଭୀରଙ୍କୁ ମୁକ୍ତ କରିବା ପରେ କୌଣସି ସମ୍ପର୍କୀୟ ତାଙ୍କୁ ଜେଲରୁ ନେବାକୁ ଆସି ନଥିଲେ। ଗମ୍ଭୀର ସିଂହ ଖଣ୍ଡୌଲିରେ ରହୁଥିବା ତାଙ୍କ ଶ୍ୱଶୁରଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଆସିବାକୁ ମନା କରିଥିଲେ। ବାହାରକୁ ଆସିବା ପରେ ତାଙ୍କ ପାଖରେ ମାତ୍ର ୩୦୦ ଟଙ୍କା ଥିଲା। ଏହି ରାଶି ତାଙ୍କୁ ଜେଲରେ ଥିବା ତାଙ୍କ ସାଥୀ କଏଦୀ ରାଜବୀର ଏବଂ ବିଜୟ ଦେଇଥିଲେ।

ମୃତକଙ୍କ ନାଁରେ ଲଗାଇଲେ ଗଛ

ଗମ୍ଭୀର ସିଂହ କହିଛନ୍ତି ଯେ ପୁଲିସ ତାଙ୍କୁ କୌଣସି କାରଣ ନଥାଇ ଫସାଇଥିଲା। ତାଙ୍କର ଈଶ୍ୱରଙ୍କ ଉପରେ ବିଶ୍ୱାସ ଥିଲା। ନ୍ୟାୟ ମିଳିଛି ବୋଲି ଗମ୍ଭୀର କହିଛନ୍ତି। ଜେଲରେ ଥିବା ବେଳେ ଭାଇ ସତ୍ୟଭାନ, ଭାଉଜ ପୁଷ୍ପା ଏବଂ ଚାରି ପୁତୁରା ଝିଆରିଙ୍କ ନାଁରେ ୧୦ ଟି ଲେଖାଏ ଗଛ ଲଗାଇଛନ୍ତି। ଦଣ୍ଡ ଘୋଷଣା ପୂର୍ବରୁ ସେ ଜେଲରେ ଉଦ୍ୟାନ ଜଗୁଆଳୀ ଭାବରେ କାମ କରୁଥିଲେ।