Advertisment

ଆମ୍ୱୁଲାନ୍ସ ଭିତରେ ମହିଳାଙ୍କୁ ଅସାଦାଚରଣ, ବିରୋଧ କରିବାରୁ...

ଆମ୍ୱୁଲାନ୍ସ ଭିତରେ ମହିଳାଙ୍କୁ ଅସାଦାଚରଣ । ବିରୋଧ କରିବାରୁ ଅକ୍ସିଜେନ ସପୋର୍ଟ କାଢ଼ି ଅସୁସ୍ଥ ସ୍ୱାମୀଙ୍କୁ ଗାଡ଼ିରୁ ଫିଙ୍ଗିଦେଲେ ।

ଅଦ୍ୟତନ ହୋଇଛି
UP Woman Molested In Ambulance

UP Woman Molested In Ambulance

Advertisment

ଆମ୍ୱୁଲାନ୍ସ ଏକ ଆଶ୍ୱସ୍ତିର ଯାନ, ଗୁରୁତର ରୋଗୀଟି ପାଇଁ ବିଶ୍ୱାସଜନକ ବାହନ । ରୋଗୀକୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇ ଜୀବନ ବଞ୍ଚାଇବା ପାଇଁ ଖୋଜାପଡ଼େ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଇ ଯାଉଥିବା ସଂପର୍କୀୟ ମଧ୍ୟ ନିଜ ପ୍ରିୟ ପରିଜନ ସୁସ୍ଥ ହୋଇଯିବେ ଆଶା ରଖନ୍ତି । କାରଣ ଆମ୍ବୁଲାନ୍ସ ଭିତରେ ଥାଏ ଅକ୍ସିଜେନ ସପୋର୍ଟ ଭଳି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ବ୍ୟବସ୍ଥା । କିନ୍ତୁ ଜଣେ ଗୁରୁତର ରୋଗୀକୁ ନେଇ ଯାଉଥିବା ଏକ ଚଳନ୍ତା ଆମ୍ବୁଲାନ୍ସ ଭିତରେ ଏମିତି କିଛି ଘଟିଛି, ଯାହା ଜାଣିଲେ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନଇଁଯିବ ।

Advertisment

ଆମ୍ୱୁଲାନ୍ସ ଭିତରେ ଜଣେ ମହିଳାଙ୍କୁ କରାଯାଇଛି ଅସାଦାଚରଣ । ବିରୋଧ କରିବାରୁ ସ୍ୱାମୀଙ୍କୁ ମରଣ ମୁହଁକୁ ଠେଲି ଦିଆଯାଇଛି । ଏପରି ସଙ୍ଗୀନ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ଜଣେ ମହିଳା ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ହସ୍ପିଟାଲ ନେଇ ଯାଉଥିବାବେଳେ ଆମ୍ୱୁଲାନ୍ସ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । କେବଳ ସେତିକି ନୁହେଁ, ଆମ୍ୱୁଲାନ୍ସ କର୍ମଚାରୀ ଗୁରୁତର ଅସୁସ୍ଥ ରୋଗୀକୁ ଅକ୍ସିଜେନ ସପୋର୍ଟରୁ କାଢ଼ି ଗାଡ଼ିରୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ମହିଳାଙ୍କ ସ୍ୱାମୀ ଗୋରଖପୁର ମେଡିକାଲ କଲେଜରେ ଜୀବନ ହାରିଛନ୍ତି । ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗରରେ ଅଗଷ୍ଟ ୩୦ ତାରିଖରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ।

କିଛି ଦିନ ଧରି ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ମହିଳା ଜଣଙ୍କ ତାଙ୍କର ସ୍ୱାମୀ ହରିଶଙ୍କୁ ନିକଟସ୍ଥ ବାସ୍ତି ମେଡିକାଲ କଲେଜକୁ ନେଇଥିଲେ । ତେବେ ସେଠାରୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଡାକ୍ତର ଅନ୍ୟ ଏକ ହସ୍ପିଟାଲକୁ ପଠାଇ ଦେଇଥିଲେ । ତେବେ ପ୍ରାଇଭେଟ୍ ହସ୍ପିଟାଲର ବିଲ୍ ଭରିବାକୁ ଅସମର୍ଥ ହେବାରୁ ମହିଳାଜଣଙ୍କ ତାଙ୍କର ସ୍ୱାମୀଙ୍କୁ ଘରକୁ ନେଇଯିବାକୁ ସ୍ଥିର କଲେ । ଏହାପରେ ସେମାନେ ଚୟନ କରିଥିବା ଆମ୍ବୁଲାନ୍ସ ହିଁ ମୃତ୍ୟୁର କାରଣ ସାଜିଛି ।

Advertisment

ଆମ୍ବୁଲାନ୍ସ ଡ୍ରାଇଭର ମହିଳାଙ୍କୁ ବାଧ୍ୟ କରି ସାମ୍ନା ସିଟ୍ ରେ ବସାଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ବିରୋଧ କରି ଚିତ୍କାର କରିବାରୁ ସେମାନେ ସ୍ୱାମୀଙ୍କ ଅକ୍ସିଜେନ ସପୋର୍ଟ ଖୋଲି ଦେଇଥିଲେ । ଏହାପରେ ନିର୍ଦ୍ଦୟ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ରୋଗୀଙ୍କ ସହିତ ମହିଳାଙ୍କୁ ଆମ୍ବୁଲାନ୍ସରୁ ତଳକୁ ଫିଙ୍ଗି ଦେଇଥିଲେ । ଫଳରେ ଗୁରୁତର ଆହତ ହେବାସହ ଅକ୍ସିଜେନ ସପୋର୍ଟ କାଢ଼ିନେବାରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା । 

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କର ଗହଣା ଚୋରି କରି ନେଇଛନ୍ତି । ଫୋନରେ ପୀଡ଼ିତା ତାଙ୍କର ଭାଇଙ୍କୁ ଜଣାଇବା ପରେ ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଲିସ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିବାକୁ କୌଣସି ପ୍ରୟାସ କରିନଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଏନେଇ ସେ ଲକ୍ଷ୍ନୌର ଗାଜିପୁର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସିଦ୍ଧାର୍ଥନଗର ଜିଲ୍ଲାର ଜଣେ ମହିଳା ଆମ୍ବୁଲାନ୍ସ କର୍ମଚାରୀଙ୍କ ଦ୍ୱାରା ଅସାଦାଚରଣର ଶିକାର ହେଇଥିବା ନେଇ ଗାଜିପୁର ଥାନାରେ ଅଭିଯୋଗ କରିଥିବା ଉତ୍ତର ଲକ୍ଷ୍ନୌର ଏଡିଜି ଜିତେନ୍ଦ୍ର ଦୁବେ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ ପୋଲିସ କେସ୍ ରୁଜୁ କରି ତଦନ୍ତ ଚଳାଇଥିବା ଏଡିଜି କହିଛନ୍ତି । 

Advertisment
Ambulance Woman Molested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ