କାର ଚଢ଼ାଇ ନେଇଥିଲା ୨ ଜୀବନ, ସଡ଼କ ଦୁର୍ଘଟଣା ରଚନା ଲେଖିବାରୁ ଜାମିନ ଦେଲେ କୋର୍ଟ !

ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ ।

Accident

ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ । ମଦ ପିଇ ଗାଡ଼ି ଚଲାଉଥିଲା ନାବାଳକ । ଆଖି ଖୋସିଦେବା ଭଳି ଥିଲା ବେଗ ।

୨୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସୁଥିବା ସ୍ପୋର୍ଟ୍ସ କାରରେ ପିଟିହୋଇ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ମାତ୍ର, ୧୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ନାବାଳକକୁ ଜାମିନ୍ ଦେଇଦେଲେ କୋର୍ଟ । ଏପରି ଏକ ଘଟଣା ବର୍ତ୍ତମାନ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । କିପରି ଏତେ ବଡ଼ ଅପରାଧ ପାଇଁ ଏତେ ଶୀଘ୍ର ମିଳିଗଲା ଜାମିନ୍ ।

ଏପରି ନ୍ୟାୟ ପଛରେ କାରଣ ବଡ଼ଘରର ପୁଅ ନୁହେଁ ତ! ସଡ଼କ ଦୁର୍ଘଟଣା ଉପରେ ରଚନା ଲେଖିବାର ସର୍ତ୍ତ ରଖି ଜାମିନ୍ ମିଳିଛି । ଏହାକୁ ନେଇ ବର୍ତ୍ତମାନ ପୂରା ଦେଶରେ ତୁମ୍ବିତୋଫାନ୍ ଆରମ୍ଭ ହୋଇଯାଇଛି । ମିଳିଥିବା ଖବର ଅନୁସାରେ, ପୁଣେର କଲ୍ୟାଣୀ ନଗର ଅଞ୍ଚଳରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ଦମ୍ପତ୍ତି ସେମାନଙ୍କର ବନ୍ଧୁଙ୍କ ଘରୁ ଫେରୁଥିଲେ ।

ବାଇକ ଯୋଗେ ସେମାନେ ଫେରିବା ବେଳେ ଦ୍ରୁତ ବେଗରେ ଆସୁଥିବା ପୋର୍ସେ ନାମକ ଏକ ସ୍ପୋର୍ଟ୍ସ କାର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଦମ୍ପତ୍ତିଙ୍କର ନାମ ଅନିଶ ଅୱଧିଆ ଓ ଅଶ୍ୱିନୀ କୋଷ୍ଟା ବୋଲି ଜଣାପଡ଼ିଥିଲା । ଗାଡ଼ି ଚଳାଉଥିବା ନାବାଳକ ଜଣକ ସ୍ଥାନୀୟ ଜଣେ ବଡ଼ ଠିକାଦାରଙ୍କର ପୁଅ ବୋଲି ଜଣାପଡ଼ିଥିଲା ।

ମଦ୍ୟପାନ କରି ଅତି ତୀବ୍ର ବେଗରେ ସେ ଗାଡ଼ି ଚଳାଉଥିଲା । ଗାଡ଼ିଟି ବାପାଙ୍କ ନାଁରେ ଥିବା ବେଳେ ସେଥିରେ ନମ୍ବର ପ୍ଲେଟ୍ ମଧ୍ୟ ନଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଗିରଫ କରିବା ସହ ଗାଡ଼ି ମଧ୍ୟ ଜବତ କରିଥିଲା । ଏନେଇ ଏକ ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହୋଇଛି ।

ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ସେ ନିଜର ଦ୍ୱାଦଶ ଶ୍ରେଣୀ ଫଳାଫଳ ବାହାରିବାର ଖୁସିକୁ ପାର୍ଟି କରି ପାଳନ କରୁଥିଲେ । ସିସିଟିଭି ଫୁଟେଜରେ ଏହାର ଦୃଶ୍ୟ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ନାବାଳକ ଜଣକ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଛନ୍ତି ।

ମହାରାଷ୍ଟ୍ରରେ ୨୫ ରୁ କମ ବୟସର ପିଲାଙ୍କ ପାଇଁ ମଦ୍ୟପାନ ବାରଣ ଥିବା ବେଳେ ସେ କିପରି ପିଇଲେ ଏହାକୁ ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଯାଇଛି । ଏନେଇ ଉକ୍ତ ବାର୍ ମାଲିକଙ୍କୁ ମଧ୍ୟ ନୋଟିସ୍ ମିଳିଛି ।

ଜାମିନ୍ ସର୍ତ୍ତ

ଟ୍ରାଫିକ ପୋଲିସ ସହ ୧୫ ଦିନ କାମ କରିବା ସହ ମଦ ପିଇବାର ଅଭ୍ୟାସ ପାଇଁ ନିଜର ଚିକିତ୍ସା କରାଇବାକୁ ସର୍ତ୍ତ ରଖି କୋର୍ଟ ଜାମିନ ଦେଇଛନ୍ତି । ଅଭିଯୁକ୍ତ ବିରୋଧରେ ପୋଲିସ IPC ଧାରା ୩୦୪ ଅନୁସାରେ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ନାବାଳକ ନୁହେଁ ବରଂ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଧାରା ୨ ଅନୁଯାୟୀ ସାବାଳକ ଭାବେ ବିଚାର କରିବାକୁ ପୋଲିସ ସର୍ତ୍ତ ରଖିଥିଲା ।

କିନ୍ତୁ ଏ ସମସ୍ତ ବିଷୟକୁ ଅଣଦେଖା କରି କୋର୍ଟ ଅଭିଯୁକ୍ତ ନାବାଳକୁ ଜାମିନ୍ ପ୍ରଦାନ କରିଛନ୍ତି । ୩୦୦ ଶବ୍ଦର ଦୁର୍ଘଟଣା ଉପରେ ରଚନା ଲେଖିବାର ସର୍ତ୍ତରେ ଜାମିନ ଦେଇଛନ୍ତି କୋର୍ଟ । ଏହାକୁ ନେଇ ଦେଶରେ ଝଡ଼ ସୃଷ୍ଟି ହୋଇଛି । ଅଭିଯୁକ୍ତ ଚାଳକକୁ କଡ଼ା ଦଣ୍ତ ବଦଳରେ ଏପରି ସର୍ତ୍ତରେ ଜାମିନ୍ ଦେବା ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ପୁଣେ ପୋଲିସ କମିସନର ମଧ୍ୟ ବିରୋଧ କରିଛନ୍ତି ।