Mysterious Death: ଝୁଲୁଥିଲା ୧୧ ଶବ, ବନ୍ଧା ହୋଇଥିଲା ହାତଗୋଡ଼...ଆଖିରେ ଥିଲା ପଟି

ଶେଷ ଡାଏରି ୨୦୧୮ ଜୁନ ୨୪ ରାତିରେ ଲେଖା ହୋଇଥିଲା। ଜୁନ୍ ୨୪ରୁ ୩୦ ସାତ ଦିନ ଯାଏ ବରଗଛ ପୂଜା କରିବାକୁ ଡାଏରିରେ ଲେଖାଯାଇଥିଲା। ସାତ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଘରର ସମସ୍ତ ସଦସ୍ୟ ଠିକ୍ ଢଙ୍ଗରେ କଲେ ମୋକ୍ଷ ମିଳିଯିବ। ବରଗଛର ଓହଳ ଭଳି ବେକରେ ରଶି ବାନ୍ଧି ଝୁଲିବାକୁ କୁହାଯାଇଥିଲା। ଘରେ ଅଳ୍ପ ଆଲୁଅ ରହିବ। ଶୁଣିବା, କହିବା, ଦେଖିବା ବନ୍ଦ। ଏ ସମ୍ପର୍କରେ କେହି ବାହାର ଲୋକଙ୍କୁ ଜଣାଇବେ ନାହିଁ।

ଘରସାରା ଝୁଲୁଥିଲା ଶବ

ବରଗଛର ଓହଳ ପରି ଘର ସାରା ୧୧ ପରିବାର ସଦସ୍ୟଙ୍କ ଶବ ଝୁଲୁଥିଲା। ସମସ୍ତଙ୍କ ହାତ, ଗୋଡ଼ ବନ୍ଧାଯାଇଥିଲା। ଆଖିରେ ପଟି ପଡ଼ିଥିଲା। କାନ ବି ବନ୍ଦ ଥିଲା। ଘରେ ପୂଜା ପାଠର ପରିବେଶ ସୃଷ୍ଟି କରାଯାଇଥିଲା। ଏଭଳି ଏକ ଲୋମ ଟାଙ୍କୁରା ଦୃଶ୍ୟ ଭାରତ ବର୍ଷରେ କେବେ କେହି ଜୀବନରେ ବୋଧହୁଏ ଦେଖିନଥିବେ କି ଶୁଣିନଥିବେ। ୨୦୧୮ ଜୁଲାଇ ୧ରେ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଏ ପ୍ରକାର ଚାଞ୍ଚଲ୍ୟକର ଘଟଣା ଘଟିଥିଲା। ଯାହାକି ଆଜି ବି ରହସ୍ୟମୟ। କେହି ବାହାର ଲୋକ ଏହି ମୃତ୍ୟୁରେ ସମ୍ପୃକ୍ତ ନଥିଲେ। ଘରର ମୁରବୀଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମା ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହୁଏ। କିନ୍ତୁ ପରିବାର ସଦସ୍ୟ ସମୂହ ଆତ୍ମହତ୍ୟା କରିଥିବା ଦିଲ୍ଲୀ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲା।

କଥା କହିବା ଶକ୍ତି ହରାଇଥିଲେ ଲଳିତ

ଦିଲ୍ଲୀର ବୁରାଡ଼ିରେ ରହୁଥିବା ଏକ ପରିବାରର ଭୋପାଳ ସିଂହ ଥିଲେ ମେରୁଦଣ୍ଡ। ୨୦୦୭ରେ ଫୁସଫୁସ ରୋଗରେ ତାଙ୍କର ଦେହାନ୍ତ ହୁଏ। ତାଙ୍କ ଅନ୍ତେ ପରିବାର ସଦସ୍ୟ କହିଲେ ମୃତ ଭୋପାଳଙ୍କ ପତ୍ନୀ ନାରାୟଣୀ ଦେବୀ(୭୫)। ତାଙ୍କର ତିନି ପୁଅ ଓ ଦୁଇ ଝିଅଙ୍କ ମଧ୍ୟରୁ ସେହି ଘରେ କେବଳ ଦୁଇ ପୁଅ ବୋହୂ ଭବନେଶ(୫୦) ଓ ପତ୍ନୀ ସବିତା (୪୮) ଏବଂ ଲଲିତ(୪୫) ଓ ପତ୍ନୀ ଟିନା (୪୨) ରହୁଥିଲେ। ତାଙ୍କ ସହିତ ଭବନେଶଙ୍କ ତିନି ପୁଅ ଝିଅ ମୋନୁ ଓରଫ ମେନକା(୨୩), ନିତୁ(୨୫) ଓ ଧ୍ରୁବ ଓରଫ ଦୁଷ୍ୟନ୍ତ(୧୫) ଏବଂ ଲଲିତଙ୍କ ପୁଅ ଶିବମ୍(୧୫) ରହୁଥିଲେ। ଭବନେଶ ଓ ଲଲିତଙ୍କ ଭଉଣୀ ପ୍ରତିଭା ଓରଫ ବେବି(୪୮ ) ମଧ୍ୟ ସେମାନଙ୍କ ସହିତ ରହୁଥିଲେ। ତାଙ୍କ ସହିତ ଝିଅ ପ୍ରିୟଙ୍କା(୩୩) ରହୁଥିଲେ।

ତେବେ ପ୍ରତିଭା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିବାରୁ ଏମାନେ ବାପ ଘରେ ରହୁଥିଲେ। ୧୯୮୮ରେ ଲଳିତଙ୍କ ଏକ ବାଇକ୍ ଦୁର୍ଘଟଣା ହୋଇଥିଲା। ମସ୍ତିସ୍କରେ ଆଘାତ ହୋଇଥିଲା। ଏହି ଘଟଣା ପରେ ପୁରା ପରିବାର ଦିଲ୍ଲୀ ଚାଲିଆସି ବୁରାଡ଼ି ଅଞ୍ଚଳରେ ରହିଥିଲେ। ପ୍ଲାଏଉଡ ଦୋକାନ ଦେଇଥିବା ଲଳିତଙ୍କୁ କିଛି ଲୋକ ଦୋକାନ ଭିତରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ସୌଭାଗ୍ୟ ବଶତଃ ସେ ବଞ୍ଚିଯାଇଥିଲେ। ସେହି ଘଟଣା ପରେ ସେ କଥା କହିବା ଶକ୍ତ ହରାଇ ବସିଥିଲେ। ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟେ୍ରସ ଡିଜଅର୍ଡର ଦେଖାଦେଇଥିଲା।

ସେମାନଙ୍କ ପାଇଁ ଜୁଲାଇ ୧ ସକାଳ ପାହିନଥିଲା

ଏହି ପରିବାରର ଜଣେ ଖାସ୍ ପଡ଼ୋଶୀ ଥିଲେ ଗୁରୁଚରଣ ସିଂହ(୭୯)। ଭବନେଶଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା। ଘର ନିକଟରେ ଲଳିତଙ୍କ ଏକ ପ୍ଲାଏଉଡ ଦୋକାନ ଓ ଭବନେଶଙ୍କ ଗ୍ରସରି ଦୋକାନ ଥିଲା। ଗୁରୁଚରଣ ନିୟମିତ ସକାଳ ୫ରୁ ୬ଟା ଭିତରେ କ୍ଷୀର ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ଏହି ଗ୍ରସରି ଦୋକାନଙ୍କୁ ଆସିଥାନ୍ତି। ୨୦୧୮ ଜୁଲାଇ ୧ ତାରିଖ। ସେଦିନ କିନ୍ତୁ ଗ୍ରସରି ଦୋକାନ ଖୋଲିନଥିଲା। ଭବନେଶ ବି ପ୍ରାତଃ ଭ୍ରମଣ କରିବାକୁ ଆସିନଥିଲେ। ଗୁରଚରଣ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ କେହି ଉଠାଇନଥିଲେ। ଭବନେଶଙ୍କ ଘରକୁ ସେ ଯାଇଥିଲେ। ଘରର ଗେଟ୍ ଖୋଲାଥିଲା। ଘର ଭିତରେ ୧୦ ସଦସ୍ୟ ଗ୍ରିଲରେ ଫାଶୀ ଲଗାଇ ଝୁଲିଥିଲେ। ସେମାନଙ୍କ ହାତ, ଗୋଡ଼, ଆଖି, ମୁହଁ, କାନ ବନ୍ଦ କରାଯାଇଥିଲା। ନାରାୟଣୀ ଦେବୀ ପାଖ ରୁମରେ ଚଟାଣରେ ମୃତ ଅବସ୍ଥାରେ ପଡ଼ିଥିଲେ। ଗୁରଚରଣ ନିଜ ଆଖିକୁ ବି ବିଶ୍ବାସ କରିପାରିନଥିଲେ। ବୁରାଡ଼ି ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ପହଞ୍ଚିଥିଲା। ତଦନ୍ତ ଆରମ୍ଭ ହୋଇଥିଲା।

୧୧ ଖଣ୍ଡ ଡାଏରିରେ ଭୟାନକ କାହାଣୀ

ପୁଲିସ ପ୍ରଥମେ ଏହାକୁ ହତ୍ୟାକାଣ୍ଡ ଧରିନେଇଥିଲା। ଘରର କାନ୍ଥରେ ୧୧ଟି ପାଇପ୍ ଦେଖିବାକୁ ମିଳିଥିଲା। ଏଥିରୁ ୭ଟି ପାଇପ୍ ତଳ ଆଡ଼କୁ ଓ ଚାରିଟି ପାଇପ୍ ସାମନକୁ ମୁହଁ କରିଥିଲା। ଘରେ ୭ ମହିଳା ସଦସ୍ୟ ଥିଲେ। ଅବଶିଷ୍ଟ ୪ ପୁରୁଷ ସଦସ୍ୟ ଥିଲେ। ସେମାନଙ୍କ ସହିତ ଏହି ପାଇପର କି ସମ୍ପର୍କ ଥିଲା, ତାହା ସ୍ପଷ୍ଟ ହେଲାନାହିଁ। ସେହିଭଳି ୨୦୦୭ରୁ ୨୦୧୮ ଯାଏ ୧୧ ବର୍ଷ କାଳ ୧୧ଟି ଡାଏରିରେ ଲଳିତ ଲେଖିଥିଲେ। ଘର ଭିତରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଡାଏରି ଜବତ ପରେ ପୁରା ଘଟଣାର ରହସ୍ୟ ଅଧିକ ବଢ଼ିଯାଇଥିଲା। ଏହି ଡାଏରି ହିଁ ପୁରା ଘଟଣା ପଛର ଭୟାନକ କାହାଣୀ ଖୋଲିଥିଲା। ୨୦୦୭ ସେପ୍ଟେମ୍ବର ୭ରୁ ଏହି ଡାଏରିଗୁଡ଼ିକ ଲେଖାଯାଇଛି। ଲଳିତ ଏହି ଡାଏରି ଲେଖିଥିଲେ। ସତେଯେମିତି ଲାଗୁଥିଲା, ଏହି ଡାଏରି ମୃତ ଭୋପାଳ ଲଳିତଙ୍କ ମାଧ୍ୟମରେ ଲେଖାଉଥିଲେ।

ଘରର ସଦସ୍ୟମାନଙ୍କ ଶୋଇବା, ଉଠିବା, ଖାଇବା, ଚଳଣି ସମ୍ପର୍କରେ ଲେଖାଯାଇଥିଲା। ଏମିତି କରିବାକୁ ଲଳିତ ବି ପରିବାର ଲୋକଙ୍କୁ ଘରର ମୁରବୀ ଭଳି ପରାମର୍ଶ ଦେଉଥିଲେ। ବାପାଙ୍କ ମୃତ୍ୟୁ ପରେ ଲଲିତ ଘରର ମୁଖ୍ୟ ହୋଇଯାଇଥିଲେ। ଜୀବନରେ କଣ କରିବା ଉଚିତ ଓ ଅନୁଚିତ ସେ ସମ୍ପର୍କରେ ଲଳିତ କହୁଥିଲେ। ଘରକୁ କେମିତି ପରିଚାଳନା କରାଯିବ, ସେ ସମ୍ପର୍କରେ ତାଙ୍କ ବାପା ସ୍ବପ୍ନାଦେଶ ଦେଉଥିଲେ। ପରବର୍ତ୍ତି ସମୟରେ ଘରର ସମସ୍ତ ସଦସ୍ୟ ତାଙ୍କ କଥାକୁ ମାନିବା ଆରମ୍ଭ କରିଥିଲେ। ମୃତ ବାପା ଭୋପାଳ ମଙ୍ଗଳବାର, ଗୁରୁବାର, ଶନିବାର ଘରକୁ ପରିବାର ଲୋକଙ୍କୁ ଦେଖିବାକୁ ଆସୁଥିବା ଲଳିତ ଡାଏରିରେ ଉଲ୍ଲେଖ କରିଥିଲେ। ବାପାଙ୍କ ମୃତ୍ୟୁର ଏକ ବର୍ଷ ପରେ ଅର୍ଥାତ ୨୦୦୮ରେ ଭୋପାଳଙ୍କ ଆତ୍ମାର ସଦଗତି ପାଇଁ ୧୦ ଦିନ ଯାଏ ପୂଜା ପାଠ ହୋଇଥିଲା।

ଏହି ସମୟରେ ହଠାତ୍ ଲଳିତ ଓମ୍ ଓମ୍ ଜପିବା ଆରମ୍ଭ କରିଥିଲେ। ଅବିକଳ ତାଙ୍କ ବାପାଙ୍କ ଭଳି ଜପିଥିଲେ। ଆଦୌ କଥା କହିପାରୁନଥିବା ଲଳିତଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଚକିତ କରିଥିଲା। ତାଙ୍କ ସାଙ୍ଗ ସେଠାରେ ବସିଥିଲେ। ସେ ପଚାରିବାରୁ ତାଙ୍କ ବାପାଙ୍କ ଆତ୍ମା ଚାଲିଆସିଥିବା କହିଥିଲେ। ଆଦୌ କଥା କହିପାରୁନଥିବା ଲଳିତ ହଠାତ କଥା କହିବା ଓ ଓମ୍ ଜପିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଏବେ ଫେରିଯିବା ଲଳିତଙ୍କ ସେହି ଡାଏରି ପୃଷ୍ଠାକୁ। ଡାଏରିରେ ପରିବାର ସଦସ୍ୟ ଆମିଷ ଓ ନିଶା ସେବନ କରିବାକୁ ବାରଣ କରାଯାଇଥିଲା। ତେଣୁ ପୁରା ପରିବାର ଆମିଷ ବି ଛାଡ଼ିଦେଇଥିଲେ। ବଡ଼ ଭାଇ ଭବନେଶ ମଦ ପିଇବା ଛାଡ଼ିଦେଲେ। ଘରେ ପୂଜା ପାଠ କଲେ ସୁଖ ସମୃଦ୍ଧି ବଢ଼ିବା ସହିତ ବ୍ୟବସାୟ ଭଲ ହେବ ବୋଲି ଉଲ୍ଲେଖ ଥିଲା। ଏହାକୁ ପାଳନ କରିବାରୁ ଲଳିତଙ୍କ ଫ୍ଲାଏ ଉଡ ଦୋକାନ ଓ ଭବନେଶଙ୍କ ଗ୍ରସରି ଦୋକାନ ବି ଭଲ ଚାଲିଥିଲା।

ବରଗଛ ପୂଜା କରିବାକୁ ଶେଷ ଡାଏରିରେ ଲେଖା

ଶେଷ ଡାଏରି ୨୦୧୮ ଜୁନ ୨୪ ରାତିରେ ଲେଖା ହୋଇଥିଲା। ଜୁନ୍ ୨୪ରୁ ୩୦ ସାତ ଦିନ ଯାଏ ବରଗଛ ପୂଜା କରିବାକୁ ଡାଏରିରେ ଲେଖାଯାଇଥିଲା। ସାତ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଘରର ସମସ୍ତ ସଦସ୍ୟ ଠିକ୍ ଢଙ୍ଗରେ କଲେ ମୋକ୍ଷ ମିଳିଯିବ। ବରଗଛର ଓହଳ ଭଳି ବେକରେ ରଶି ବାନ୍ଧି ଝୁଲିବାକୁ କୁହାଯାଇଥିଲା। ଘରେ ଅଳ୍ପ ଆଲୁଅ ରହିବ। ଶୁଣିବା, କହିବା, ଦେଖିବା ବନ୍ଦ। ଏ ସମ୍ପର୍କରେ କେହି ବାହାର ଲୋକଙ୍କୁ ଜଣାଇବେ ନାହିଁ। ଘରର ସମସ୍ତ ସଦସ୍ୟ ଏଭଳି ଝୁଲି ରହିଲେ ୩୦ ତାରିଖରେ ମୃତ ଭୋପାଳ ଆସି ବଞ୍ଚାଇବା ସମ୍ପର୍କରେ ଉଲ୍ଲେଖ ଥିଲା। ମୃତ ଭୋପାଳଙ୍କ ପତ୍ନୀ ନାରାୟଣୀ ଅଧିକ ବୟସ ଯୋଗୁ ଝୁଲିବାରେ ସମସ୍ୟା ହେବ। ତେଣୁ ତଳେ ବସି ଏହି ପୂଜା କରିବାକୁ ଡାଏରିରେ ଉଲ୍ଲେଖ ଥିଲା। ୩୦ ଜୁନ ଦିନ ରାତି ଏଭଳି ସମସ୍ତେ ଝୁଲି ରହିଲେ। ଡାଏରିରେ ଥିବା ଲେଖା ଅନୁଯାୟୀ ଭୋପାଳ ଆସିନଥିଲେ। ଜୁଲାଇ ୧ ତାରିଖ ସକାଳେ ସମସ୍ତେ ଘରେ ମୃତ ଅବସ୍ଥାରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା।

ମୋବାଇଲରେ ଭୂତ, ପ୍ରେତଙ୍କ ଭିଡିଓ

ପ୍ରଥମେ ଏହି ଘଟଣାକୁ ବୁରାଡ଼ି ଥାନା ପୁଲିସ ତଦନ୍ତ କରିଥିଲା। ପରବର୍ତ୍ତି ସମୟରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ। ଲଳିତଙ୍କ ମୋବାଇଲ୍ ଯାଞ୍ଚ ସମୟରେ ସେ ଭୂତ ପ୍ରେତଙ୍କ ଭିଡିଓ ଦେଖିବାକୁ ପସନ୍ଦ କରୁଥିବା ଜଣାପଡ଼ିଥିଲା। ଅନ୍ୟପଟେ ୨୦୧୮ ଜୁନ ୨୮ରେ ସ୍ଥାନୀୟ ଅଞ୍ଚଳର ସିସି କ୍ୟାମେରା ଫୁଟେଜ ପୁଲିସକୁ ମିଳିଥିଲା। ଲଳିତଙ୍କ ପତ୍ନୀ ଟିନା ଓ ପୁଅ ଶିବମ୍ ସହିତ ଚାରିଟି ଷ୍ଟୁଲ କିଣି ଘରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଏହି ଷ୍ଟୁଲ ଘର ଭିତରେ ଯେଉଁଠି ଝୁଲିଥିଲେ, ସେଠାରେ ବ୍ୟବହାର ହୋଇଥିଲା। ୩୦ ତାରିଖ ରାତି ପ୍ରାୟ ୯ଟାରେ ଟିନା ଓ ନିତୁ ବାହାରୁ କିଛି ସାମଗ୍ରୀ କିଣି ଆଣୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେଦିନ ରାତି ପ୍ରାୟ ୧୦ଟା ୩୦ ବେଳେ ଲଳିତଙ୍କ ପୁଅ ଶିବମ୍ ବାପାଙ୍କ ପ୍ଲାଏ ଉଡ ଦୋକାନରୁ ତାର ଆଣୁଥିବା ଦେଖିବାକୁ ମିଳିଥିଲା। ଅର୍ଥାତ ଏହି ପରିବାର ସମୂହ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା।

ଏଥିରେ କୌଣସି ବାହାର ଲୋକ ସମ୍ପୃକ୍ତ ନଥିବା ଏକ ପ୍ରକାର ପୁଲିସ ନିଶ୍ଚିନ୍ତ ହୋଇଥିଲା। ଲଳିତ ଯେଉଁ ୧୧ଟି ଡାଏରି ଲେଖିଥିଲେ ଏଥିରେ ନିତୁ ଓ ପ୍ରିୟଙ୍କାଙ୍କ ମଧ୍ୟ ହସ୍ତାକ୍ଷର ଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଥିଲା। ୩ ବର୍ଷ ଘଟଣାର ତଦନ୍ତ ହେଲା। ୨୦୨୧ରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ହେଲା। ତେବେ କୁହାଯାଏ ଏକ ପ୍ରକାର ବିଚିତ୍ର ମାନସିକ ବିକୃତି ଓ ଅନ୍ଧ ବିଶ୍ବାସ ପୁରା ପରିବାରକୁ କବଳିତ କରିନେଇଥିଲେ। ଭୋପାଳଙ୍କୁ ଲଳିତ ନିୟମିତ ଦେଖୁଥିବାରୁ ତାଙ୍କ ପରାମର୍ଶ ମାନି ବରଗଛ ପୂଜା କରିବା ଓ ଶେଷରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଘର ଭିତରେ ଏଭଳି ଘଟଣା ସମୟରେ ଘରର ବଡ଼ ପୁଅ ଦିନେଶ ଓ ଅନ୍ୟତମ ଝିଅ ଅନୁପସ୍ଥିତ ଥିବାରୁ ଏଭଳି କାଣ୍ଡରୁ ବର୍ତ୍ତିଯାଇଥିଲେ।