ଦୁଷ୍କର୍ମ କରି ଜେଲ୍‌ ଯାଇଥିଲେ; ଫେରିବା ପରେ ପୁଣି ଥରେ...

ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।

Crime against Minor Girl

କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । କୁକୁର ଲାଙ୍ଗୁଡ଼ ବାର ବର୍ଷ ନଳିରେ ପୁରାଇ ରଖିଲେ ବି ଯୋଉ ବଙ୍କାକୁ ସେଇ ବଙ୍କା । ଯେଉଁ କାଣ୍ଡ ପାଇଁ ଥରେ ଦଣ୍ତ ପାଇଛନ୍ତି, ପୁଣି ଥରେ ସେଇ କାଣ୍ତ ଭିଆଇଲା ଅଭିଯୁକ୍ତ । ଦଶବର୍ଷର କାରାଦଣ୍ତ ପରେ ବି ସୁଧୁରୁଲାନି ମଣିଷରୂପି ରାକ୍ଷସ । ୫ ବର୍ଷର ଝିଅକୁ କଲା ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।

ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ରାକେଶ ଭର୍ମା ଓରଫ୍‌ ରାକୁ । ପୂର୍ବରୁ ଗୋଟେ ସାଢ଼େ ଚାରିବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଦଶବର୍ଷ ହେଲା ଜେଲ୍‌ରେ ଦିନ କାଟୁଥିଲା । ଏବେ ଜେଲ୍‌ରୁ ବାହାରିବା ପରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

୫ବର୍ଷର ନାବାଳିକା ଅପହରଣ ଅଭିଯୋଗ ପରେ ଘଟଣାଟି ସମସ୍କଙ୍କ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ରାକେଶ ଭର୍ମା କୁନି ଝିଅକୁ ଚକଲେଟ୍‌ ପ୍ରଲୋଭନ ଦେଖାଇ ଅପହରଣ କରିଥିବା ନାବାଳିକାର ଜେଜେମାଆ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଜେଜେମାଆ ଝିଅକୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ ରାକୁ ଝିଅକୁ ଧରି ଫେରାର ହୋଇଯାଇଥିଲା । ବୃଦ୍ଧାଙ୍କୁ କାନ୍ଦୁଥିବାର ଦେଖି ଆଖପାଖ ଲୋକ ସ୍ଥାନୀୟ ପୋଲିସକୁ ଅବଗତ କରାଇଥିଲେ । ପୋଲିସର ଏକ ଟିମ୍‌ ନାବାଳିକାକୁ ଖୋଜାଖୋଜି କରିଥିଲେ ।

ଦୁଇଘଣ୍ଟାର ଖୋଜାଖୋଜି ପରେ ନାବାଳିକାକୁ ପୋଲିସ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା । ତୁରନ୍ତ ଚିକିତ୍ସା ପାଇଁ ଝିଅକୁ ରେୱାର ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ପଠାଇଥିଲେ । ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି ।

ପୋଲିସ ଏସ୍‌ପି ମହେନ୍ଦ୍ର ସିଂ ଚୌହାନ ସୂଚନା ଦେଇଛନ୍ତି ଅଭିଯୁକ୍ତ ରାକେଶ ଭର୍ମା ଏହି କାଣ୍ତ ଭିଆଇଛନ୍ତି । ପାଖାପାଖି ୧୮ ମାସ ପୂର୍ବେ ସେ ଜେଲ୍‌ରୁ ବାହାରିଥିଲେ । ଜେଲ୍‌ରେ ତାଙ୍କ ଭଲ ବ୍ୟବହାର କାରଣରୁ ତାଙ୍କ ୩ବର୍ଷ ସଜା କୋହଳ କରାଯାଇଥିଲା । ତେବେ ଜେଲ୍‌ରୁ ବାହାରିବା ପରେ ପୁନର୍ବାର ସମାନ କାଣ୍ତ ଘଟାଇଛନ୍ତି ରାକୁ ।