ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ, ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ୍

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ ।

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ

ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ନକଲି ଡାକ୍ତରଙ୍କ ଅସଲି ଡାକ୍ତର ପତ୍ନୀ କମଳା ସ୍ୱାଇଁ ଗିରଫ ହୋଇଥିବା ଜଣାପଡିଛି । ଦ୍ୱିତୀୟ ପତ୍ନୀଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି କମିଶନରେଟ୍ ପୋଲିସର ଟିମ୍ । ଡାକ୍ତର ପତ୍ନୀ କମଳା ଗୁଜରାଟର ଜାମନଗରରେ କାମ କରୁଥିଲେ । ରମେଶଙ୍କ କାରନାମା ପ୍ରଘଟ ପରଠୁ ସେ ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି।

ପୂର୍ବରୁ ନକଲି ଡାକ୍ତରଙ୍କ ଭଉଣୀଙ୍କୁ ଗିରଫ କରିଥିଲା ପୋଲିସ୍ । ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ତାଙ୍କ ଭଉଣୀଙ୍କ ସମ୍ପୃକ୍ତି ଥିଲା । ରମେଶ ଏବଂ ତାଙ୍କ ଭଉଣୀଙ୍କୁ ସାମ୍ନାସାମ୍ନି ଜେରା କରିଥିଲା ପୋଲିସ । ଜେରା ବେଳେ ତାଙ୍କ ଭଉଣୀ ଅନେକ କଥା ଓଗାଳିଥିଲେ । ଜେରା ବେଳେ ଠକେଇ ନେଇ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିଲା ।

୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର । ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ।

ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା । କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ହେଲେ ସବୁଦିନ ଚୋର ଘର ଅନ୍ଧାର ନଥାଏ ପରି ଜଣକ ପରେ ଜଣକୁ ପୋଲିସ୍‌ ଗିରଫ କରୁଛି ।