ମନର ମଣିଷ ନୁହେଁ ପିଶାଚ ! ସ୍ତ୍ରୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ, ୪୫ ଦିନ ପରେ ମୃତଦେହ ଉଦ୍ଧାର

ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି ।

ସତରେ ଏ ସ୍ୱାମୀ ନା ପିଶାଚ

ସିନ୍ଦୂର ଦେଇଥିବା ହାତ ତଣ୍ଟି ଚିପି ଦେଲା । ଦୁଇ ପିଲା ମା’ ଛେଉଣ୍ଡ ହୋଇଗଲେ । ହେଲେ ନିଜ ଭୁଲ ବୁଝିବା ପରିବର୍ତ୍ତେ ଅଭିଯୁକ୍ତ ଅପରାଧ ଲୁଚାଇବା ପାଇଁ ରଚିଲା ଷଡ଼ଯନ୍ତ୍ର । ହେଲେ ଆଇନ୍‌ ଆଖିରେ କ’ଣ କେହି ଧୂଳି ଦେଇପାରିବେ । ସ୍ତ୍ରୀକୁ ହତ୍ୟା କରି ନିଜ ଘର ପରିସରରେ ଗାତ ଖୋଲି ପୋତି ଦେଇଥିବା ବେଳେ ୪୫ ଦିନ ପରେ ସତ ସାମ୍ନାକୁ ଆସିଛି | ଜମନକିରା ଥାନା ବଡମାଲ ରାଉତପଡା ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡମାଲ ରାଉତପଡାର ରଂଜନ ବାଡିଂଗ । ସ୍ତ୍ରୀ ସାବିତ୍ରୀ ଓ ଦୁଇ ପୁଅକୁ ନେଇ ପରିବାର । ହେଲେ ସେ ନିଜ ହାତରେ ହିଁ ସ୍ତ୍ରୀର ନିଶ୍ୱାସ ବନ୍ଦ କରିଦେଇଛି । ଗତ ସେପ୍ଟେମ୍ବର ୬ ତାରିଖ ଦିନ ଗାଁରେ କରମା ପୂଜା ହେଉଥିବା ବେଳେ ମଦ୍ୟପାନ କରି ସ୍ୱାମୀ ସ୍ତ୍ରୀ ଭିତରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଆଉ ଝଗଡ଼ା ପରେ ସ୍ତ୍ରୀକୁ ମାରି ଦେଇଥିଲା ମଦ୍ୟପ ସ୍ୱାମୀ । ତେବେ ହତ୍ୟା ପରେ ଅପରାଧ ଲୁଚାଇବାକୁ ଯାଇ ନିଜ ଘର ପରିସରରେ ଗାତ ଖୋଲି ପୋତି ଦେଇଥିଲା । ଆଉ ସ୍ତ୍ରୀ ବାପ ଘରକୁ ଯାଇଥିବା ମିଥ୍ୟା ଖବର ପ୍ରଚାର କରିଥିଲା।

ହେଲେ ମହିଳାଙ୍କ କୌଣସି ଖୋଜଖବର ନମିଳିବା ପରେ ସାହିପଡ଼ିଶାଙ୍କ ସନ୍ଦେହ ବଢିଥିଲା । ଶେଷରେ ଅପରାଧରୁ ପରଦା ହଟିବା ସହ ବର୍ତ୍ତମାନ ସତ୍ୟ ସାମ୍ନାକୁ ଆସିଛି । ଆଜି ଜମନକିରା ପୋଲିସ ସାଇଣ୍ଟିଫିକ ଟିମ ପଂହଚି ତଦନ୍ତ କଲା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତ ଦେହ ଉଦ୍ଧାର ପରେ ଅଧିକ ତଦନ୍ତ ଚଲାଇଛି ପୋଲିସ । ଏହି ସମୟରେ ଗ୍ରାମର ମହିଳା ମାନେ ପ୍ଲାକାର୍ଡ ଧରି ଦୋଷୀକୁ ଉଚିତ ଦଣ୍ଡ ପାଇଁ ଦାବି କରିଛନ୍ତି।

(ରିପୋର୍ଟ- ଦେବେନ୍ଦ୍ର ବେହେରା, କୁଚିଣ୍ଡା)