ଚାକିରି ନାଁରେ ଲୁଟୁଥିଲେ ପୁଳା ପୁଳା ଟଙ୍କା, ଏବେ ହାଜତ ଭିତରେ...

ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ଚାକିରି ନାଁରେ ବଡ଼ ଧରଣର ଠକେଇ; ୫ ଗିରଫ

ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

ଠକେଇରେ ଶିକାର ହୋଇଥିବା ଚାକିରି ଆଶାୟୀମାନେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦାମନଯୋଡ଼ି ଓ ସୁନାବେଡ଼ା ସମେତ ୩ ଟି ଥାନାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଯାହା ପରେ ପୋଲିସ ରାୟଗଡ଼ା ସହରର ୨ଜଣ ତଥା ସୁଧିର ଚୌଧୁରୀ ଓ ତାଙ୍କ ପୁଅ ସନ୍ତୋଷ ଚୌଧୁରୀଙ୍କୁ ଜାଲ୍ ସଂସ୍ଥା ଖୋଲିଥିବା ଅଭିଯୋଗରେ ଗିରଫ କରିଛି ।

(ନକଲି କାଗଜ ପତ୍ର)

କେବଳ ଏତିକି ନୁହେଁ କୋରାପୁଟ ସେମିଳିଗୁଡ଼ାର ଏକ ସମ୍ଭ୍ରାନ୍ତ ହୋଟେଲ୍‌ରୁ ମଧ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରର ସନ୍ତୋଷ ବରାଡ଼, କମଳ ଲୋଚନ ମହାନ୍ତି ଏବଂ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁରର ଅଭିମନ୍ୟୁ ମିଶ୍ର । ସେମାନଙ୍କ ନିକଟରୁ ବିଭିନ୍ନ କଂପାନୀର ୧୭ଟି ନକଲି ଷ୍ଟାମ୍ପ, ୫୫ଟି ଗେଟ୍ ପାସ, କଲର୍ ପ୍ରିଣ୍ଟର, କଂମ୍ପ୍ୟୁଟର୍, ହାର୍ଡଡିସ୍କ, ୨୧ ହଜାର ନଗଦ ଟଙ୍କା ଏବଂ ଏକ କାର୍ ଜବତ ହୋଇଛି ।

(ଅଭିଯୋଗକାରୀ)

ଅଭିଯୋଗ ଅନୁଯାୟୀ, ଦାମନଯୋଡ଼ି ନାଲ୍କୋ ଓ ସୁନାବେଡ଼ାର ହାଲ୍ ଭଳି ବଡ଼ ବଡ଼ କଂପାନୀରେ ଠିକା ନିଯୁକ୍ତି ଦେବା ନାଁରେ ଏକ ରାକେଟ୍ ଚାଲିଥିଲା । ଯେଉଁଥିରେ ପ୍ରାୟ ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଓ ଗେଟ୍ ପାସ୍ ଆଦି ଦିଆଯାଇଥିଲା । ଯାହା ପରେ କିଛି ପିଲା ନାଲ୍କୋ କାରଖାନାକୁ କାମ କରିବାକୁ ଯିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ ଏବଂ ସେମାନଙ୍କ ପାସ୍ ନକଲି ବୋଲି କହିଥିଲେ ।