ହସ୍ପିଟାଲ୍‌ ବେଡ୍‌ରେ ମାଆ-ପୁଅଙ୍କୁ ଛାଡ଼ି ଫେରାର୍‌ ସ୍ୱାମୀ

ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍‌ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ।

Crime Against Women

ହସପିଟାଲ ବେଡରେ ନବଜାତ ଶିଶୁ ଓ ପ୍ରସୂତୀ ମାଆଙ୍କୁ ଛାଡ଼ି ପଳାଇ ଯାଇଛନ୍ତି ସ୍ୱାମୀ ଓ ଶ୍ୱଶୁର ଘର ଲୋକେ । ପୂର୍ବରୁ ପାରିବାରିକ କଳହ ଥିଲା । ସେହି କାରଣରୁ ଉଭୟ ମାଆ ପୁଅକୁ ଛାଡ଼ି ଶ୍ୱଶୁର ଘର ଲୋକେ ପଳାଇ ଯାଇଥିବା କୁହାଯାଉଛି । ଏହି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ।

ନୂଆ କରି ମାଆ ହୋଇଥିବା ପ୍ରସୂତୀ ଜଣକ ହେଲେ ଡଲି ମଲ୍ଲିକ । ତାଙ୍କ ଘର ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ଘାଟକୁଳରେ । ସେ କେନ୍ଦ୍ରାପଡ଼ା ଆଳି କେତୁଆପାଳ ନାଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ରେ ବାହା ହୋଇଥିଲେ । ଗତ ୧ ତାରିଖରେ ପ୍ରସବ ପାଇଁ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପୁଅଟେ ହୋଇଛି ।

ଆଗରୁ ପାରିବାରିକ କଳହ ଥିବାରୁ ସ୍ୱାମୀ ଓ ପରିବାର ଉଭୟ ମାଆ ପୁଅଙ୍କୁ ହସପିଟାଲରେ ଛାଡ଼ି ପଳାଇଛନ୍ତି । ପୋଲିସକୁ ଖବର ଦିଆଯିବା ପରେ ଉଭୟ ମାଆ ପୁଅଙ୍କୁ ୱାନଷ୍ଟପ୍ ସେଣ୍ଟରକୁ ହସ୍ତାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ଡଲି କହିଛନ୍ତି, ମୋ ପୁଅ ଜନ୍ମ ହେବା ପରେ ମୋ ସ୍ୱାମୀ ମୋ ପାଖରେ ଥିଲେ । ପରେ ତାଙ୍କ ମାଉସୀ ଫୋନ୍ କରି ମୋ ସ୍ୱାମୀକୁ ତାଙ୍କ ଘରକୁ ଡାକିଥିଲେ । ସେ ମାଉସୀ ଘରକୁ ଯିବା ପରେ ମୋତେ ନେବାକୁ ମେଡିକାଲ ଆସୁନାହାନ୍ତି । ମୁଁ ଫୋନ୍ କଲା ବେଳକୁ ସେ ଆଉ ଏକ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି । ମୋତେ ନେବା ପାଇଁ ମୋ ଶାଶୁ ଘର ଲୋକ ବି ଆସୁନାହାନ୍ତି। ମୋତେ ନ୍ୟାୟ ଦରକାର ।