excise raid
ସମ୍ବଲପୁର : ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ। ସନ୍ଦେହରେ ବି ଗାଡିକୁ ଅଟକାଇଲା ଆଉ ଯାଂଚ ବି କଲା। ହେଲେ ଗାଡି ଭିତରୁ ସବୁଜ ଜହର ବଦଳରେ ବାହାରିଥିଲା ଚକା ଚକ୍ ଚାନ୍ଦି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଚମକାଇ ଦେଲା ପୁଳା ପୁଳା ରୁପା ବିସ୍କୁଟ୍ ଆଉ କଏନର ସମାହାର। ଗୋଟିଏ କି ଯୋଡ଼ିଏ ନୁହେଁ, ଶହେ ଗ୍ରାମ୍ କି କିଲେ ବି ନୁହଁ, ପ୍ରାୟ ଏକ କ୍ବିଣ୍ଟାଲ ୧୦ କେଜି ଓଜନର ରୁପା ବିସ୍କୁଟ ଏବଂ କଏନ୍ ଜବତ ହୋଇଛି। ଯାହାର ବଜାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ। ଏସବୁର ଗଣତି ଏବଂ ଓଜନ କରି ତାଜୁବ୍ ହୋଇଛି ସମ୍ବଲପୁର ଅବକାରୀ ବିଭାଗ। ସାଧାରଣତଃ ବେଆଇନ ମଦ ପାଣି କି ନିଶା ସାମଗ୍ରୀ ଧରାଧରି କରୁଥିବା ଅବକାରୀ ବିଭାଗ ଯେ ଏତେ ବଡ଼ ସଫଳତା ପାଇବ ହୁଏତ ସବୁକିଛି ଥିଲା କଳନା ବାହାରେ।
ପୁରା ଘଟଣା ପଛରେ ଥିବା ଅଭିଯୁକ୍ତର ନାଁ ହେଉଛି ଚନ୍ଦ୍ରକାନ୍ତ ପଟେଲ୍ ଓ ସଞ୍ଜୟ ଭାଇ ପଟେଲ୍। ଏମାନେ ନିଜକୁ ଗୁଜରାଟ ବାସିନ୍ଦା ବୋଲି ପରିଚୟ ଦେଇଛନ୍ତି। କିନ୍ତୁ କୁହାଯାଉଛି, ମହାରାଷ୍ଟ୍ର ନାସିକରୁ ଓଡ଼ିଶା ବାଟ ଦେଇ ଝାଡ଼ଖଣ୍ଡ ରାଞ୍ଚିକୁ କରୁଥିଲେ ଚୋରାଚାଲାଣ। ଚୋରାଚାଲାଣରେ ବ୍ୟବହୃତ ସ୍କର୍ପିଓର ସିଟ୍ ତଳେ ରହିଛି ସିକ୍ରେଟ୍ ଚାମ୍ବର। ସେହି ସିକ୍ରେଟ୍ ତଥା ଗୁପ୍ତ ଚାମ୍ବରରେ ୧୦ଟି କାଠବାକ୍ସରେ ରୁପା ବିସ୍କୁଟ୍ ଏବଂ କଏନ ଭର୍ତ୍ତି କରି ନେଉଥିଲେ ରାଞ୍ଚି। ସେହି ଗାଡ଼ିରେ ବସି ସମ୍ବଲପୁର-ଝାରସୁଗୁଡ଼ା ଦେଇ ରାଞ୍ଚି ଯାଉଥିଲେ ଦୁଇ ଭଦ୍ର ମୁଖାଧାରୀ। କିନ୍ତୁ, ଦୁର୍ଭାଗ୍ୟ ରେଙ୍ଗାଲି ରାଜପଥ ଉପରେ ଯାନବାହନ ଚେକିଂ କରି ଗଂଜେଇ ଧରପଗଡ଼ କରୁଥିବା ଅବକାରୀ ବିଭାଗର ସ୍ପେଶାଲ୍ ଟିମ୍ ହାତରେ ଧରାପଡ଼ିଗଲେ। ଯାଞ୍ଚବେଳେ ଜଣାପଡ଼ିଥିଲା ଏସବୁ ମୂଲ୍ୟମାନ ଧାତୁ ସଂପର୍କିତ ଇନଭଏସ୍ ନଥିଲା ପାଖରେ। ଏପରିକି କାହା ପାଖକୁ ଯାଉଥିଲା, ତାହା ବି ସ୍ପଷ୍ଟ କରୁନାହାଁନ୍ତି। ଉଭୟ ଅଭିଯୁକ୍ତ କହିଛନ୍ତି, ଏସବୁ ସାମଗ୍ରୀ ନେବା ଭିତରେ ରାସ୍ତାରେ କାଳେ ଲୁଟପାଟ୍ ହେବ, ସେହି ଆଶଙ୍କାରେ ସିକ୍ରେଟ ଚାମ୍ବର କରି ରାଞ୍ଚି ନେଉଥିଲୁ। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଅବକାରୀ ଉପ ଅଧୀକ୍ଷକ ଅସିତ ମଲ୍ଲିକ।
ସମ୍ବଲପୁର-ଝାରସୁଗୁଡ଼ା ରୁଟରେ ରୁପା ଚାନ୍ଦି ଚୋରାଚାଲାଣ ନୁଆ ନୁହେଁ। ଗତ ୨୦୨୪ ଅକଟୋବରରେ ବି ସେହି ଅବକାରୀ ବିଭାଗ ଧରିଥିଲା ପୁଳା ପୁଳା ରୁପା। ଆଉ ଏବେ ପୁଣି ସେହି ରୁଟରେ ୧ କ୍ବିଣ୍ଟାଲରୁ ଅଧିକ ରୁପା ମିଳିଛି। ତେବେ ଚୋରାଚାଲାଣକାରୀଙ୍କ ପାଇଁ କାହିଁକି ଗଳାବାଟ ସାଜିଛି ଏହି ରୁଟ୍ ? ଓଡ଼ିଶା ରୁଟରେ କିଏ ଦେଉଛି କି ସୁରକ୍ଷା ? ରାଞ୍ଚିର କିଏ ସେହି ବ୍ୟକ୍ତି, ଓଡ଼ିଶାକୁ ଟ୍ରାନଜିଟ୍ ରୁଟ୍ କରି ମହାରାଷ୍ଟ୍ରରୁ ଚାଲାଣ କରୁଛି ରୁପା ଚାନ୍ଦି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ସମ୍ବଲପୁର ଜିଏସଟି ବିଭା ଏହାର ଖୋଳତାଡ଼ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752161756.jpg)