ସେ ସୁନ୍ଦରୀ ଥିଲେ ବୋଲି ସୁନା ଆଣି ପାରୁଥିଲେ ନା ବାପା ପୋଲିସ ବୋଲି ବିମାନ ବନ୍ଦରରେ ସିକ୍ୟୁରିଟି ତାଙ୍କୁ ସ୍ମଗଲିଂ କରିବାକୁ ଅଣଦେଖା କରୁଥିଲା ? ଏହା ତଦନ୍ତ ପରେ ହିଁ ଜଣାପଡ଼ିବ । ଏବେ କିନ୍ତୁ ଯେଉଁ ପ୍ରସଙ୍ଗକୁ ନେଇ ବିତର୍କ ଆରମ୍ଭ ହୋଇଛି ତାହା ହେଉଛି ସତରେ କଣ ସୁନାର ଦେଶ ଦୁଇବାରୁ ସୁନା ଆଣିବା ସହଜ । ସାଧାରଣ ଭାରତୀୟ କଣ ଦୁବାଇ ଯାଇ ସୁନା ଆଣିପାରିବ ? ନା କଷ୍ଟମ ହାତରେ ଧରା ପଡ଼ି ରାନ୍ୟା ରାଓଙ୍କ ଭଳି ଜେଲ୍ ଯିବ । ଆସନ୍ତୁ ଏହି ଆଲେଖ୍ୟରେ ସେ ସମ୍ପର୍କରେ ଅଧିକ କିଛି ଜାଣିବା...
ଜାତୀୟ ହେଉ କି ରାଜ୍ୟର ପ୍ରମୁଖ ଖବରକାଗଜ ଏବଂ ଟିଭି ଚ୍ୟାନେଲରୁ ଆପଣ ରାମ୍ୟା ରାଓଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପାଇ ସାରିଥିବେ । ଏବେ ପ୍ରସଙ୍ଗ ହେଉଛି ଯେ, ଦୁବାଇରୁ ସୁନା ସ୍ମଗଲିଂ କରିବା କେତେ ସହଜ ? ଏତେ ସହଜରେ କ’ଣ କରି ହେଉଛି ଚୋରା ଚାଲାଣ ? ଜଣେ ପୋଲିସ ଝିଅଙ୍କ ଗିରଫଦାରୀ ପରେ ଏବେ ଏହି ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । କାହିଁକିନା ଅପଡେଟ୍ ତଥ୍ୟ ଅନୁସାରେ ବର୍ଷକରେ ୩୦ ଥର ଦୁବାଇରୁ ସୁନା ସ୍ମଗଲିଂ କରିବାରେ ସଫଳ ହୋଇ ଶେଷରେ ଗିରଫ ହୋଇଛନ୍ତି କର୍ଣ୍ଣାଟକ ପୋଲିସ୍ ହାଉସିଂ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ତଥା ଅଭିନେତ୍ରୀ ରାନ୍ୟା ରାଓ ।
ଅଧିକ ପଢ଼ନ୍ତୁ: ବାପା ଡିଜିପି, ଝିଅ ସ୍ମଗଲର୍; ବେଲ୍ଟ ଷ୍ଟ୍ରାପରେ ଲୁଚାଇଥିଲେ ୧୪ କିଲୋ ସୁନା...
ଖବର ନେବାରୁ ଜଣାପଡ଼ିଛି ଯେ, ଗୋଟିଏ ବର୍ଷରେ ଚୋରା ଚାଲାଣ ପାଇଁ ୩୦ ଥର ଦୁବାଇ ଯାଇଥିଲେ । ଗୋଟିଏ କିଲୋ ସୁନା ଚୋରା ଚାଲାଣ ପାଇଁ ସେ ୧ ଲକ୍ଷ ଟଙ୍କା ପାଉଥିଲେ । ଏପରିକି ସେ ଦୁବାଇର ଗୋଟିଏ ଗସ୍ତରେ ପ୍ରାୟ ୧୩ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସୁନା ଚୋରା ଚାଲାଣ ପାଇଁ ରି ଡିଜାଇନ୍ ଜ୍ୟାକେଟ୍ ବା ନିଜସ୍ୱ ଶୈଳୀରେ ଚୋରା ଚାଲାଣ କରି ଆଣିବା ଭଳି ଜ୍ୟାକେଟ୍ ସିଲାଇ ଥିଲେ ଏବଂ ସ୍ୱତନ୍ତ୍ର ବେଲ୍ଟ ମଧ୍ୟ ବ୍ୟବହାର କରୁଥିଲେ ।
କଥା ହେଉଛି ଯେ, ବାରମ୍ବାର ଖସି ଯାଉଥିଲେ ମଧ୍ୟ ବିମାନବନ୍ଦରରେ ନିଜ ହରକତ ପାଇଁ ଯାଞ୍ଚ ଏଜେନ୍ସିର ନଜରକୁ ଆସିଥିଲେ ରାନ୍ୟା । ଗତ କିଛି ସପ୍ତାହ ହେବ ଯାଞ୍ଚ ଏଜେନ୍ସିର ନଜରରେ ରହିଥିଲେ ରାନ୍ୟା ରାଓ । ବାରମ୍ବାର ଦୁବାଇ ଗସ୍ତ କରିବା ହିଁ ତାଙ୍କ ଉପରେ ସନ୍ଦେହ ବଢାଇଥିଲା । ଚିନ୍ତାର ବିଷୟ ହେଲା ଯେ, ରାନ୍ୟାଙ୍କୁ ଜଣେ ପୋଲିସ କନେଷ୍ଟବଳ ଏୟାରପୋର୍ଟରେ ସହଯୋଗ କରୁଥିଲେ ଯେଉଁଥିପାଇଁ ଦୀର୍ଘ ଦିନ ଧରି ଅଭିନେତ୍ରୀ ସ୍ମଗଲିଂରେ ସଫଳ ରହିଥିଲେ ।
ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଦୁବାଇରୁ ସୁନା ସ୍ମଗଲିଂ କରିବା କ’ଣ ସତରେ ଏତେ ସହଜ ? ରାନ୍ୟା ରାଓଙ୍କ ନିକଟରୁ ୧୨ କୋଟି ୫୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ ପରେ ଏବେ ଏହି ପ୍ରଶ୍ନ ଉଠିଛି । ବଡ଼ କଥା ହେଉଛି, ଭାରତ ସରକାରଙ୍କ ନିୟମ କ’ଣ କହୁଛି ? କ’ଣ ଯେ କେହି ବି ଦୁବାଇ ଯାଇ କ’ଣ ସୁନା କିଣି ପାରିବ ? ବିନା କୌଣସି ଟେନସନରେ ତାକୁ ନେଇ ଭାରତ ଆଣି ପାରିବ ? ଅବା ଏଥିପାଇଁ କୌଣସି ଲିମିଟ, କଷ୍ଟମ ଡ୍ୟୁଟି କିମ୍ବା ଗାଇଡଲାଇନ୍ ଅଛି ?
ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆମକୁ ଜାଣି ରଖିବାକୁ ପଡ଼ିବ ଯେ, ଆପଣ ଯଦି ଦୁବାଇରେ ୬ ମାସରୁ ଅଧିକ ଦିନ ଧରି ରହୁଛନ୍ତି ଯେମିତି କି ଆପଣ ସେଠାରେ ପାଠ ପଢୁଛନ୍ତି, ବ୍ୟବସାୟ କିମ୍ବା ଚାକିରି କରୁଛନ୍ତି । ଯଦି କେବେ ଆପଣଙ୍କ ବଂଶଜ ଭାରତରେ ରହୁଥିଲେ ଏବଂ ଆପଣ ଯିବା ଆସିବା କରୁଛନ୍ତି ତେବେ ଦୁବାଇରୁ ଆପଣ ସୁନା ଭାରତ ଆଣିପାରିବେ । ଏଥିପାଇଁ କିଛି ନିୟମ ସହ ବିଦେଶୀ ଲୋକ ବି ଦୁବାଇରୁ ଭାରତ ସୁନା ଆଣିପାରିବେ । ଏବେ ଆସନ୍ତୁ ଜାଣିବା କେତେ ପରିମାଣର ସୁନା ଆପଣ ଦୁବାଇରୁ ଆଣିପାରିବେ ।
କିଏ ଆଣିପାରିବେ ଦୁବାଇରୁ ସୁନା ?
ପୁରୁଷ ଏବଂ ମହିଳାଙ୍କ ପାଇଁ ରହିଛି ଅଲଗା ଅଲଗା ନିୟମ
ପୁରୁଷମାନେ ୨୦ ଗ୍ରାମ ପର୍ଯ୍ୟନ୍ତ ସୁନା ଆଣିପାରିବେ
ତାହାର ଦାମ୍ କିନ୍ତୁ ୫୦ ହଜାରରୁ ଅଧିକ ହୋଇନଥିବ
ମହିଳାମାନେ ୪୦ ଗ୍ରାମ ପର୍ଯ୍ୟନ୍ତ ସୁନା ଆଣିପାରିବେ
ଯାହାର ଦାମ ୧ ଲକ୍ଷ ଟଙ୍କା ମଧ୍ୟରେ ହିଁ ରହିଥିବ
ଯଦି ଓଜନ କିମ୍ବା ମୂଲ୍ୟ ଅଧିକ ହୁଏ ତେବେ କଷ୍ଟମ ଡ୍ୟୁଟି ଦେବାକୁ ପଡ଼ିବ
ଏବେ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଯାହା ଆପଣଙ୍କ ପାଇଁ ଜାଣିବା ଜରୁରୀ....
ଆପଣଙ୍କ ପାଇଁ ଜାଣିବା ଜରୁରୀ
କିଛି ଦିନ ପାଇଁ ବୁଲିବାକୁ ଯାଇ ସୁନା ଆଣିପାରିବେ ନାହିଁ
କେବଳ ଅଳଙ୍କାର ଭାବରେ ସୁନା ଆଣିପାରିବେ
ଯେମିତିକି ସୁନା ଚେନ, ମୁଦି, ସୁନା ଚୁଡ଼ି ଇତ୍ୟାଦି
ସୁନା ବିସ୍କୁଟ କିମ୍ବା କଏନ ଆଣିବେ ତେବେ କର ଦେବାକୁ ପଡ଼ିବ
ଏବେ ଆସନ୍ତୁ ବିସ୍ତୃତ ଭାବେ କଷ୍ଟମ୍ ଡ୍ୟୁଟି ସମ୍ପର୍କରେ ଜାଣିବା....
କ'ଣ ଏହି କଷ୍ଟମ ଡ୍ୟୁଟି ?
ଏହା ଏକ ପ୍ରକାର ଟ୍ୟାକ୍ସ ବା କର, ଯାହା ସରକାରଙ୍କ ପାଖକୁ ଯାଏ
ବିଦେଶରୁ କୌଣସି ସାମଗ୍ରୀ ଆଣିଲେ ଏହା ଲାଗୁ ହୁଏ
ଏହା ଭାରତୀୟ ଟଙ୍କା କିମ୍ବା ବିଦେଶୀ ମୁଦ୍ରାରେ ଦେଇପାରିବେ
କ୍ରେଡିଟ୍ କାର୍ଡ ମାଧ୍ୟମରେ ବି ଆପଣ ଏହି କର ପଇଠ କରିପାରିବେ
ଯଦି ନିର୍ଦ୍ଦାରିତ ସୀମାରୁ ଅଧିକ ପରିମାଣର ସୁନା ଅଣୁଛନ୍ତି ବିମାନ ବନ୍ଦରରେ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ । ଡିକ୍ଲେରେସନ ଫର୍ମରେ ସବିଶେଷ ତଥ୍ୟ ପ୍ରଦାନ କରନ୍ତୁ । ସୁନାର ଶୁଦ୍ଧତା ବି ଦେଖାଯିବ । ଯଦି ସୁନାରେ ଅଧିକ ପରିମାଣର ଖାଦ ମିଶିଛି ବା ଅପମିଶ୍ରିତ ଜଣାପଡ଼ିଛି ତେବେ ଜରିମାନା ଲାଗିପାରେ । ଏବେ ଜାଣନ୍ତୁ କ’ଣ ଏହି ସୁନା ସ୍ମଗଲିଂ ।
କ'ଣ ଏହି ସୁନା ସ୍ମଗଲିଂ ?
ଯଦି ଆପଣ ସୁନା ଲୁଚେଇକି ଆଣୁଛନ୍ତି
ସୁନା ଆଣୁଛନ୍ତି କିନ୍ତୁ କଷ୍ଟମ କର୍ମଚାରୀଙ୍କୁ ଜଣାଉ ନାହାନ୍ତି
ଜାଲ୍ କାଗଜପତ୍ର ଦେଖାଉଛନ୍ତି
ଯଦି ଧରାପଡ଼େ ତେବେ ସୁନା ଜବତ ହେବ
ଭାରି ପରିମାଣର ଜରିମାନା ଲାଗିପାରେ
ଯାହା ସୁନା ଦରଠୁ ବହୁତ ଅଧିକ ହୋଇପାରେ
ଆପଣ ଜେଲ୍ ବି ଯାଇପାରନ୍ତି
ସୁନା ସ୍ମଗଲିଂ ମାମଲାରେ ୩ ବର୍ଷ ଜେଲ୍ ହୋଇପାରେ
ତେବେ ଧ୍ୟାନ ଦେବେ, ନିୟମ ବେଳେବେଳେ ପରିବର୍ତ୍ତନ ହୁଏ । ଏଣୁ ସୁନା ଆଣିଲା ବେଳେ ସବିଶେଷ ତଥ୍ୟ ଆଗୁଆ ଜାଣି ବୁଝି ବିଚାରି ଆଣନ୍ତୁ ।