Murder
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ତୁମକୁରୁ ଜିଲ୍ଲା। ଏଠି ଥିବା ଚିମ୍ପୁଗନହଲ୍ଲି ଅଞ୍ଚଳ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଚିମ୍ପୁଗନହଲ୍ଲିରେ ମଣିଷ ଶରୀରର କିଛି କଟା ଅଂଶ ମିଳିଥିଲା। ପୁଲିସ ଓ ଫରେନସିକ୍ ଟିମ୍ ସେଠାରେ ପହଞ୍ଚିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଶରୀରର ଏହି ଅଂଶ ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଶରୀରର କିଛି ଅଂଶରେ ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା। ଖଣ୍ଡଗୁଡ଼ିକରେ ଥିବା ଅଳଙ୍କାର ସୂଚାଇ ଦେଉଥିଲା ଯେ ହତ୍ୟାକାଣ୍ଡ ସମ୍ପତ୍ତି ଲୋଭରେ କରାଯାଇ ନାହିଁ। ପୁଲିସ ସ୍ଥାନୀୟ ଅଞ୍ଚଳରୁ ସମସ୍ତ ନିଖୋଜ ମହିଳାମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିଥିଲା।
କଟା ମୁଣ୍ଡ ଦେଲା ପରିଚୟ
ପ୍ରଥମେ ପୁଲିସ କେବଳ ଶରୀରର ମାଂସ ଖଣ୍ଡ ପାଇଥିଲା। କିନ୍ତୁ ମୁଣ୍ଡ ମିଳିନଥିଲା। ତଦନ୍ତ ସମୟରେ ମହିଳାଙ୍କ ମୁଣ୍ଡ ମିଳିଥିଲା। ସେ ଥିଲେ ବେଲାଭିର ବାସିନ୍ଦା ୪୨ ବର୍ଷୀୟା ଲକ୍ଷ୍ମୀଦେବମ୍ମା। ତାଙ୍କ ସ୍ୱାମୀ ବାସବରାଜ କିଛି ଦିନ ପୂର୍ବରୁ ଏକ ନିଖୋଜ ଅଭିଯୋଗ ଥାନାରେ ଦେଇଥିଲେ। ଏହି ମହିଳା ଜଣକ ଶେଷ ଥର ପାଇଁ ଅଗଷ୍ଟ ୩ ତାରିଖରେ ହନୁମନ୍ତପୁରାରେ ତାଙ୍କ ଝିଅ ତେଜସ୍ୱୀଙ୍କ ଘରୁ ବାହାରି ଯାଉଥିବା ଦେଖିବାକୁ ମିଳିଥିଲା।
ଗୋଟିଏ ଗାଡ଼ିରେ ଦୁଇ ନମ୍ବର ପ୍ଲେଟ୍
ଅଗଷ୍ଟ ୩ ତାରିଖରେ ହିଁ ଏକ ଧଳା ରଙ୍ଗର କାର ହନୁମନ୍ତପୁରାରୁ କୋରାଟାଗେରେ ଆଡ଼କୁ ଯାଇଥିଲା। ଗାଡ଼ିର ଉଭୟ ନମ୍ବର ପ୍ଲେଟ୍ ଭିନ୍ନ ଥିଲା। ନମ୍ବର ଯାଞ୍ଚ କରି ପୁଲିସ ଉର୍ଦିଗେରେ ଗାଁର ଚାଷୀ ସତୀଶଙ୍କ ନିକଟରେ ପହଞ୍ଚିଥିଲା। ଫୋନ୍ ରେକର୍ଡ ଯାଞ୍ଚ କରାଯିବାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ଲକ୍ଷ୍ମୀଦେବମ୍ମା ନିଖୋଜ ହେବା ଦିନ ଓ ପରଦିନ ମଧ୍ୟ ସତୀଶଙ୍କ ଫୋନ୍ ବନ୍ଦ ଥିଲା।
ଗାଡ଼ିରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ
ଅଗଷ୍ଟ ୩ ଏବଂ ୪ ରେ ସତୀଶଙ୍କ ଫାର୍ମରେ ଉକ୍ତ କାର୍ ଦେଖାଯାଇଥିଲା। ଯେତେବେଳେ ପୁଲିସ ସତୀଶଙ୍କୁ ଥାନାକୁ ଡାକିଥିଲା, ସେ ଚିଙ୍ଗାମାଲୁରୁରେ ଥିଲେ। ପୁଲିସ ପିଛା କରି ହୋରାନାଦୁ ମନ୍ଦିରରେ କିରଣ ନାମକ ଜଣେ ସହଯୋଗୀଙ୍କ ସହିତ ତାଙ୍କୁ ଧରିଥିଲା। ଉଭୟ ଏହି ଘଟଣା ସମ୍ପର୍କରେ ପ୍ରଥମେ କିଛି ଜାଣିନଥିବା କହିଥିଲେ। ଯେତେବେଳେ ପୁଲିସ ଗାଡ଼ିର ତଥ୍ୟ ଯାଞ୍ଚ କଲା, ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା। ଡାକ୍ତର ରାମଚନ୍ଦ୍ରାୟ ଏସ୍. ୬ ମାସ ତଳେ ଏହ ଗାଡ଼ି କିଣିଥିଲେ। ଏହାକୁ ସତୀଶଙ୍କ ନାମରେ କିଣାଯାଇଥିଲା। ଡାକ୍ତର ରାମଚନ୍ଦ୍ରାୟ ମୃତ ମହିଳାଙ୍କ ଝିଅ ତେଜସ୍ୱୀଙ୍କୁ ବିବାହ କରିଥିଲେ। ପୁଲିସ ଡାକ୍ତରଙ୍କୁ ସତୀଶ ଏବଂ କିରଣଙ୍କ ସହିତ ମୁହାଁମୁହିଁ କରାଇଥିଲା। ତା'ପରେ ସତୀଶ କିଛି ଲୁଚାଇ ପାରିଲେ ନାହିଁ। ପରେ ପୁରା ଘଟଣା ସାମନାକୁ ଆସିଥିଲା।
ମହିଳା ଜଣକ ତାଙ୍କ ଝିଅ-ଜ୍ବାଇଁଙ୍କ ବିବାହରେ ହସ୍ତକ୍ଷେପ କରୁଥିବାରୁ ଜ୍ବାଇଁ ରାମଚନ୍ଦ୍ରାୟ ରାଗିଥିଲେ। ମହିଳା ତାଙ୍କ ଝିଅକୁ ବେଶ୍ୟାବୃତ୍ତିରେ ନିୟୋଜିତ କରିବାକୁ ଜିଦ୍ କରୁଥିଲେ। ୪୭ ବର୍ଷୀୟ ଡାକ୍ତରଙ୍କ ଏହା ଦ୍ୱିତୀୟ ବିବାହ ଥିଲା। ତେଜସ୍ୱୀ ତାଙ୍କଠାରୁ ୨୦ ବର୍ଷ ସାନ। ଉଭୟଙ୍କର ଏକ ତିନି ବର୍ଷର ପିଲା ଅଛି। ଡାକ୍ତର ରାମଚନ୍ଦ୍ରାୟ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ପାଇନାହାଁନ୍ତି। ରାମଚନ୍ଦ୍ରାୟ ଭୟ କରୁଥିଲେ ଯେ ଲକ୍ଷ୍ମୀଦେବମ୍ମା ତାଙ୍କ ପରିବାରକୁ ନଷ୍ଟ କରିଦେବେ। ଏପରି ପରିସ୍ଥିତିରେ ସେ ଶାଶୁଙ୍କୁ ହତ୍ୟା କରିବାକୁ ୬ ମାସ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲେ।
ଡାକ୍ତର ବାବୁଙ୍କ ପାଇଁ ରୋଗୀ ହେଲା ହତ୍ୟାକାରୀ
ଡାକ୍ତର ସତୀଶଙ୍କ ନାଁରେ ଏକ କାର କିଣିଥିଲେ। ସତୀଶ ଏବଂ କିରଣଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଉଭୟଙ୍କୁ ଅଗ୍ରିମ ଭାବରେ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ସତୀଶ ରାମଚନ୍ଦ୍ରାୟଙ୍କ ନିକଟରେ ନିକଟରେ ଚିକିତ୍ସିତ ହେଉଥିବାରୁ ସେହି ସୂତ୍ରରେ ସମ୍ପର୍କ ଯୋଡ଼ିଥିଲେ। ସେହିଭଳି କିରଣ ହେଉଛନ୍ତି ସତୀଶଙ୍କ ସମ୍ପର୍କୀୟ ଭାଇ। ସେହି ସୂତ୍ରରେ ଡାକ୍ତର ବାବୁଙ୍କ ପାଇଁ ଉଭୟ ହତ୍ୟାକାରୀ ପାଲଟିଯାଇଥିଲେ।
କାରରେ କାଟି ପିସ୍ ପିସ୍
ଅଗଷ୍ଟ ୩ ତାରିଖରେ ଯେତେବେଳେ ଲକ୍ଷ୍ମୀଦେବମ୍ମା ତାଙ୍କ ଝିଅର ଘରୁ ଫେରୁଥିଲେ, ରାମଚନ୍ଦ୍ରାୟ ତାଙ୍କୁ ଘରେ ଛାଡ଼ିଦେବାକୁ କହି ଲିଫ୍ଟ ଦେଇଥିଲେ। ସତୀଶ ଏବଂ କିରଣ ମଧ୍ୟ କାରରେ ଥିଲେ। ମହିଳା ଜଣକ ବସିବା ମାତ୍ରେ ଉଭୟ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ। ପରଦିନ ମୃତଦେହକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟି ୧୯ ଖଣ୍ଡ କରିବା ପରେ ୧୯ଟି ସ୍ଥାନରେ ଫିଙ୍ଗାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Murder_1756473934.jpg)