Advertisment

FM Student Death Case: ଝିଅ ପାଇଁ ଗୁହାରି କରିଥିଲେ ବାପା, କେହି ଶୁଣିଲେନି

ମାନସିକ ଅବସାଦରେ ରହୁଥିଲେ FM ପୀଡ଼ିତା। ସମୀର ସାର୍ ଦେଉଥିବା ଅପମାନ, ମାନସିକ ନିର୍ଯାତନା ଓ ପିଲାଙ୍କ ଟାହି ଟାପରା ତାଙ୍କୁ ବାଧୁଥିଲା। ସେଥିପାଇଁ ଝିଅ ଆଗକୁ କିଛି ବଡ଼ ଧରଣର ଭୁଲ୍ କରିପାରେ, ଏଭଳି ଆଶଙ୍କା କରିଥିଲେ ତାଙ୍କ ବାପା। କୌଣସି ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଇଣ୍ଟରନାଲ୍ କଂପ୍ଳେନ୍ କମିଟିକୁ ଲେଖିଥିଲେ ଆବେଗଭରା ଚିଠି।

FM College Incident (Edited Image)

FM College Incident (Edited Image)

Advertisment

ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କାଠଗଡ଼ାରେ ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି। ସ୍କାନରରେ ICC ଭୂମିକା। ଝିଅ କିଛି ବଡ଼ ଧରଣର ଭୁଲ୍ କରିପାରେ। ଏନେଇ ଆଗରୁ ଆଭାସ ପାଇଥିଲେ, ଠଉରାଇ ପାରିଥିଲେ ପୀଡ଼ିତାଙ୍କ ବାପା। ସେଥିପାଇଁ ଆଇସିସି ମାଗିଥିବା ସ୍ପଷ୍ଟୀକରଣରେ ଲେଖିଥିଲେ ଆବେଗଭରା ଚିଠି। ଝିଅର ମାନସିକ ସ୍ଥିତି, ସମୀର ସାରଙ୍କ ନିର୍ଯାତନା, କ୍ୟାମ୍ପସରେ ଟାହି ଟାପରା ଏମିତି ଅନେକ କଥା ଉଲ୍ଲେଖ କରିଥିଲେ। ଝିଅ ପାଠପଠା, ସୁରକ୍ଷା ଓ ସାମାଜିକ ନିରାପତ୍ତା ସୁନିଶ୍ଚିତ କରିବାକୁ ଗୁହାରି କରିଥିଲେ। ICCର ସହଯୋଗ ଓ ସମର୍ଥନ ବି ଲୋଡ଼ିଥିଲେ।

Advertisment

ପୀଡ଼ିତାଙ୍କ ବାପା ଲେଖିଥିବା ଚିଠି ଓଟିଭି ହାତରେ ଲାଗିଛି। ଯାହାକୁ ଗତ ୭ ତାରିଖରେ ICC ଅଧ୍ୟକ୍ଷଙ୍କୁ ଲେଖିଥିଲେ। ପୀଡ଼ିତାଙ୍କ ବାପା ଲେଖିଥିଲେ, 'ସ୍ତ୍ରୀ ଅପରେସନ୍ ଓ ପରିବାରର ୨ ଜଣ ସଦସ୍ୟଙ୍କ ଦେହାନ୍ତ ପାଇଁ ଝିଅ ୨୦-୨୨ ଦିନ ଛୁଟିରେ ରହିଥିବା ସମୀର ସାରଙ୍କୁ ଭେଟି ଜଣାଇଥିଲି। କିଛି ଦିନ ପରେ ଝିଅ କାନ୍ଦ କାନ୍ଦ ହୋଇ କହିଥିଲା, କ୍ଲାସ ଆସିବାରେ ୪ ମିନିଟ ବିଳମ୍ବରୁ ଅପମାନିତ କରି କ୍ଲାସରୁମରୁ ବାହାର କରିଦେଲେ ସାର। ଏହାର କିଛି ଦିନ ପରେ ଝିଅକୁ ନେଇଯିବା ପାଇଁ କହିଥିଲେ ଭଡ଼ା ଘର ମାଲିକ। କାରଣ ପଚାରିବାରୁ ମାନସିକ ଅବସାଦ କଥା କହିଥିଲେ। ଝିଅର ସାଙ୍ଗମାନଙ୍କଠାରୁ ଜାଣିଥିଲି ମାନସିକ ଦୁଶ୍ଚିନ୍ତା କଥା। ସମୀର ସାର୍ କ୍ଲାସରେ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ। ଏଥିପାଇଁ ଟାହି ଟାପରା କରୁଥିଲେ କିଛି ପିଲା। ସାରଙ୍କ ଅଶାଳୀନ ମନ୍ତବ୍ୟ ତା' ମାଆକୁ ବି କହିଥିଲା ଝିଅ। ତାଗିଦର ମାତ୍ରା ଏତେ ହେବା ଉଚିତ ନୁହେଁ, ଯେଉଁଥିପାଇଁ ପିଲା ଜୀବନ ହାରିବା ଭଳି ପଦକ୍ଷେପ ନେଉ।' କଲେଜରେ ଅନ୍ୟ ସାର ମାଡାମ ଥାଉ ଥାଉ କାହିଁକି ସମୀର ସାରଙ୍କ ନାଁରେ ଏତେ ଅଭିଯୋଗ ଅନୁଧ୍ୟାନ ପାଇଁ ଅନୁରୋଧ କରିଥିଲେ ପୀଡିତାଙ୍କ ବାପା। ICCକୁ ଅନୁରୋଧ କରି ଲେଖିଥିଲେ, 'ତା ପ୍ରତି ହେଉଥିବା ବ୍ୟବହାର ସମ୍ପର୍କରେ ଧ୍ୟାନ ଦିଅନ୍ତୁ।'

ତାଙ୍କର ଚିଠି ସାମ୍ନାକୁ ଆସିବା ପରେ ICCର ଭୂମିକା, କାର୍ଯ୍ୟଦକ୍ଷତା, ସମ୍ବେଦନଶୀଳତା ପ୍ରତି ବିରାଟ ପ୍ରଶ୍ନବାଚୀ ଉଠିଛି। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ICC ଉପରେ ଭରସା କରି ଛାତ୍ରୀ ଥାନାରେ ଏତଲା ଦେଇନଥିଲେ। ଛାତ୍ରୀ ମୃତ୍ୟୁକୁ ନେଇ ସମୀର ସାହୁ ଯେତିକି ଦୋଷୀ, ସେତିକି ଦୋଷୀ ଆଇସିସି ସଦସ୍ୟ ଓ କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ।

Advertisment

ଅନ୍ୟପଟେ ଏଫ୍ଏମ୍ ଛାତ୍ରୀ ମୃତ୍ୟୁର ତନାଘନା କରୁଛି କ୍ରାଇମବ୍ରାଞ୍ଚ। ପୀଡ଼ିତା କେଉଁଠୁ ଆଣିଥିଲେ ପେଟ୍ରୋଲ ଗ୍ରାଉଣ୍ଡରେ ଘଣ୍ଟାଚକଟା ଚାଲିଛି। ପେଟ୍ରୋଲ ସେ ନିଜେ ଆଣିଥିଲେ ନା କିଏ ଆଣି ଦେଇଥିଲା ସେନେଇ ତଥ୍ୟ ପ୍ରମାଣ ଯୋଗାଡ଼ ଭିତରେ ତଦନ୍ତକାରୀ ଟିମକୁ ମିଳିଛି ବଡ଼ ସୁରାକ। କଲେଜ୍ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ଯାଇ ସିଟିସିଭି ଯାଞ୍ଚ ବେଳେ ୧୨ ତାରିଖରେ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ବୋତଲରେ ପେଟ୍ରୋଲ କିଣି ନେଇଥିବା ଦେଖିବାକୁ ମିଳିଛି। ତେବେ ସେ ଯୁବତୀ କିଏ ? କେଉଁ ଉଦ୍ଦେଶ୍ୟରେ ବୋତଲରେ ପେଟ୍ରୋଲ କିଣିଥିଲେ ? ଯଦିଓ ଏନେଇ ଠୋସ୍ ସୂଚନା ମିଳିନି, କିନ୍ତୁ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇଛି। ସେଦିନ ଡ୍ୟୁଟିରେ ଥିବା କର୍ମଚାରୀ ଜଣେ ଯୁବତୀଙ୍କୁ ବୋତଲରେ ପେଟ୍ରୋଲ ଦେଇଥିବା ମାନିଛନ୍ତି।

ସେପଟେ ଏଫ୍ଏମ୍ କଲେଜ ପରିସରରେ ଆଜି ବି ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ। ସେହିପରି ଦିଲ୍ଲୀରୁ ଆସିଥିବା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଟିମ୍ ବି ତଦନ୍ତ ଚଳାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟି ୨୦ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ। ଏଥିସହ ରେଡକ୍ରସ ପକ୍ଷରୁ ୨୫ହଜାର ଟଙ୍କାର ଅନୁକମ୍ପା ସହାୟତା ବି ଦିଆଯାଇଛି।

Advertisment
Odisha News Balasore Self Immolation fm-college-news
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ