ଜଘନ୍ୟ ହତ୍ୟାକାଣ୍ଡ; ଅଫିସରେ ପଶି CEO ଏବଂ MDଙ୍କୁ ହାଣି ହତ୍ୟା କଲା ପୂର୍ବ କର୍ମଚାରୀ

ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ସଂପୃକ୍ତ ସଂସ୍ଥାର କର୍ମଚାରୀ ମାନେ ଏମଡି ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ବିନୁ କୁମାରଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିଲେ । କିନ୍ତୁ ମେଡିକାଲ ଯିବା ବାଟରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ସୂଚନା ମିଳିଛି ।

ଅଫିସରେ ପଶିଲା MD ଓ CEOଙ୍କୁ ହାଣିଲା

ବେଙ୍ଗାଳୁରୁରେ ପୁଣି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଏକ ୱେବଫାର୍ମର ସିଇଓ ଏବଂ ଏମଡିଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି । ଜଣେ ପୂର୍ବତନ କର୍ମଚାରୀ ଅଫିସ ଭିତରେ ପଶି ଖଣ୍ଡାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପ୍ରଥମେ ଲହୁଲୁହାଣ ହୋଇଥିଲେ ସଂପୃକ୍ତ କର୍ମଚାରୀ । ତେବେ ହସପିଟାଲ ଯିବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ଏମଡି ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ବିନୁ କୁମାର ।

ବେଙ୍ଗାଳୁରୁର ଅମୃଥାହାଲି ସ୍ଥିତ ଏରୋନିକ୍ସ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ୱେବଫାର୍ମରେ ଆଜି ଅପରାହ୍ନରେ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା । ଅଫିସ ଭିତରେ ପଶି ଫେଲିକ୍ସ ନାମକ ଜଣେ ପୂର୍ବତନ କର୍ମଚାରୀ ଖଣ୍ଡାରେ ଆକ୍ରମଣ କରିଥିଲା । ଆଉ ଘଟଣା ଘଟାଇ ମାରିଥିଲା ଚମ୍ପଟ । ତେବେ ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ସଂପୃକ୍ତ ସଂସ୍ଥାର କର୍ମଚାରୀ ମାନେ ଏମଡି ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ବିନୁ କୁମାରଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିଲେ । କିନ୍ତୁ ମେଡିକାଲ ଯିବା ବାଟରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ସୂଚନା ମିଳିଛି ।

ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ତାହା ଜଣାପଡ଼ିନାହିଁ । ପୂର୍ବତନ କର୍ମଚାରୀ ହଠାତ୍‌ ଅଫିସ୍‌ରେ ପଶି କାହିଁକି ଏପରି କାଣ୍ଡ ଘଟାଇଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ଼ ଜାରି ରଖିଥିବା ବେଳେ, ଫେରାର ହୋଇଯାଇଥିବା ଅଭିଯୁକ୍ତ ଫେଲିକ୍ସକୁ ଧରିବା ପାଇଁ ବେଙ୍ଗାଳୁରୁ ପୋଲିସ ଜାଲ ବିଛାଇଥିବା କହିଛନ୍ତି, ବେଙ୍ଗାଳୁରୁ ନର୍ଥ-ଇଷ୍ଟ ଡିସିପି ଲକ୍ଷ୍ମୀ ପ୍ରସାଦ ।