ଝିଅ ଘର ଲୋକ ନିର୍ବନ୍ଧ ଭାଙ୍ଗିଲେ, ରାଗରେ ବୃଦ୍ଧଙ୍କ ନାକ କାଟିଦେଲେ ବର ପକ୍ଷ

ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।

ରାଗରେ ବୃଦ୍ଧଙ୍କ ନାକ କାଟିଦେଲେ ବରପକ୍ଷ

ବାହାଘର ଭାଙ୍ଗିଦେବାରୁ ବର ପକ୍ଷ ଲୋକଙ୍କ ଉନ୍ମତ କାଣ୍ଡ । ରାଗରେ ଝିଅ ଘରର ଜଣେ ପରିବାର ସଦସ୍ୟଙ୍କ ନାକ କାଟି ଦେଇଛନ୍ତି । ରାଜସ୍ଥାନର ବାରମେରରେ ଏପରି ଅଭାବନୀୟ ଘଟଣା ଘଟିଛି । ନିର୍ବନ୍ଧ ହୋଇଥିଲେ ସୁଦ୍ଧା ବିବାହ କରାଇବା ପାଇଁ ମନା କରିଦେବା ପରେ ପୁଅ ଘରର କିଛି ଲୋକ ଝିଅ ଘରେ ପହଞ୍ଚି ଭଙ୍ଗା ରୁଜା କରିବା ସହ ମାଡ଼ପିଟ୍‌ ଆରମ୍ଭ କରିଦେଇଥିଲେ । ଜଣେ ବୃଦ୍ଧଙ୍କୁ ମାଡ଼ ମାରିବା ସହ ତାଙ୍କ ନାକ କାଟି ଦେଇଛନ୍ତି । ତେବେ ଏହି ଘଟଣା ପରେ ପରିବାର ଲୋକ ତୁରନ୍ତ ବୃଦ୍ଧଙ୍କୁ ମେଡିକାଲ କଲେଜ ହସ୍ପିଟାଲକୁ ନେଇଯାଇଥିଲେ, ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଝାମ୍ପଲି ଗାଁର ଜଣେ ଜଣେ ଯୁବତୀଙ୍କ ବିବାହ ସୁବାଲା ଗାଁରେ ହୋଇଥିଲା । ଏଥିପାଇଁ ଦୁଇ ବର୍ଷ ପୂର୍ବରୁ ନିର୍ବନ୍ଧ ମଧ୍ୟ ହୋଇସାରିଥିଲା । ହେଲେ ସେହି ଘରେ ପୂର୍ବରୁ ବଡ଼ ଭଉଣୀଙ୍କୁ ବିବାହ ଦିଆଯାଇଥିଲା । କିନ୍ତୁ ଯୌତୁକ ନିର୍ଯାତନା ଦେଇ ତାଙ୍କୁ ମାରିଦେବା ପରେ ସାନ ଝିଅକୁ ସେଠାରେ ବିବାହ ଦେବା ପାଇଁ ମନା କଲେ ଝିଅ ଘର ଲୋକ ।

ବିବାହ ଭାଙ୍ଗିବା ପରେ ବର ପକ୍ଷରୁ ୧୦ରୁ ୧୫ ଜଣ ଲୋକ ଠେଙ୍ଗା ବାଡ଼ି ଧରି ଗାଡ଼ିରେ ପହଞ୍ଚି ଯାଇଥିଲେ । ଆଉ ଘରେ ଥିବା ବୃଦ୍ଧ କମଲ୍‌ ସିଂଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଏନେଇ ପୋଲିସ୍‌ରେ ଅଭିଯୋଗ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଥାନାଧିକାରୀ ଆହତ କମଲ ସିଂ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବୟାନ୍‌ ରେକର୍ଡ କରିଛି ।

ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଛାନଭିନ୍‌ ଶେଷ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।