Chaitanya
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଇନଫୋର୍ସମେଣ୍ଟ ଡିରେକ୍ଟୋରେଟ (ଇଡି) ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଦୁର୍ଗ ଜିଲ୍ଲାର ଭିଲାଇ ସହରରେ ଥିବା ତାଙ୍କ ବାସଭବନରେ ଆଜି ସକାଳୁ ସକାଳୁ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା। ମଦ ଦୁର୍ନୀତି ମାମଲାରେ ସେ ଜଡିତ ଥିବାର ଇଡି ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଛତିଶଗଡ଼ରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି ।
ଚୈତନ୍ୟଙ୍କୁ ତାଙ୍କ ଜନ୍ମଦିନରେ ଗିରଫ କରାଯାଇଛି । ଇଡି ଅଧିକାରୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କୁ ସାଙ୍ଗରେ ନେଇ ଭିଲାଇ ସ୍ଥିତ ଭୂପେଶ ବଘେଲଙ୍କ ବାସଭବନରେ ଚଢ଼ାଉ କରିଥିଲେ।
ଇଡି ଅନୁସାରେ, ଚୈତନ୍ୟ ବଘେଲଙ୍କୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ସେକ୍ସନ ୧୯ରେ ଗିରଫ କରାଯାଇଛି । ଚଢ଼ାଉ ସମୟରେ ଚୈତନ୍ୟ ତଦନ୍ତରେ ସହଯୋଗ କରୁନଥିଲେ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଛତିଶଗଡ଼ରେ ଏହି ମଦ ଦୁର୍ନୀତି ୨୦୧୯ ରୁ ୨୦୨୨ ମଧ୍ୟରେ ହୋଇଥିଲା । ସେହି ସମୟରେ ତାଙ୍କ ବାପା ଭୂପେଶ ବଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର କ୍ଷମତାରେ ଥିଲା।
ଇଡି କହିଛି ଯେ ଏହି ଦୁର୍ନୀତିରେ ରାଜ୍ୟ ରାଜକୋଷର ପ୍ରାୟ ୨,୧୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହା ଏକ ମଦ ସିଣ୍ଡିକେଟ ଦ୍ୱାରା ପରିଚାଳିତ ହୋଇଥିଲା । ଏଥିରେ ବେଆଇନ କମିଶନୀ ଏବଂ ମଦ ବିକ୍ରୟ ଓ ବଣ୍ଟନରେ ହେରଫେର କରାଯାଇ ଅର୍ଥ ହଡ଼ପ କରାଯାଇଥିଲା ।
ଇଡି ଅନୁସାରେ, ଚୈତନ୍ୟ ବଘେଲ ଏହି ଦୁର୍ନୀତିରୁ ଅର୍ଜିତ କଳା ଟଙ୍କା ନେଉଥିଲେ । ଏହି ଟଙ୍କା ନେଇ ତାଙ୍କ ଦ୍ୱାରା ପରିଚାଳିତ ରିଅଲ ଇଷ୍ଟେଟ କମ୍ପାନୀ ଜରିଆରେ ଏହି ଅର୍ଥ ଖଟାଉଥିବା ଅଭିଯୋଗ ହୋଇଛି।
ଚୈତନ୍ୟଙ୍କ ବାପା ଭୂପେଶ ବଘେଲ ଏହି ଗିରଫକୁ ‘ରାଜନୈତିକ ପ୍ରତିହିଂସା’ ବୋଲି କହିଛନ୍ତି।
ଏହି ଗିରଫ ପରେ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଭୂପେଶ ବଘେଲଙ୍କ ନେତୃତ୍ୱରେ ପ୍ରତିବାଦ କରିଥିଲେ । ବିରୋଧୀ ଦଳର ନେତା ଚରଣ ଦାସ ମହାନ୍ତ କହିଛନ୍ତି, ‘ଇଡି ବଘେଲ ପରିବାରକୁ ହଇରାଣ କରିବା ପାଇଁ ଚାପ ପକାଉଛି। ଆମେ ଏହାର ତୀବ୍ର ବିରୋଧ କରୁଛୁ ଏବଂ ବିଧାନସଭା କାର୍ଯ୍ୟ ବର୍ଜନ କରୁଛୁ’।
ଏହି ମାମଲାରେ ଇଡି ଏପର୍ଯ୍ୟନ୍ତ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Chaitanya_1752834154.jpg)