ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା; ୫ ପୋଲିସ ନିଲମ୍ବିତ

ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।

ମେଜରଙ୍କୁ ମାଡ଼: ୫ ପୋଲିସ ସସପେଣ୍ଡ

ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି । ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଲ ବଳରାମ ହାଁସଦା ନିଲମ୍ବିତ କରାଯାଇଛି । ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ IIC, ଜଣେ ASI ଓ କନଷ୍ଟେବଲଙ୍କୁ ବଦଳି କରାଯାଇଥିଲା ।

ଅଭିଯୋଗ ଅନୁଯାୟୀ, ଗତ ୧୪ତାରିଖ ରାତିରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀ କାରରେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ସଂପୃକ୍ତ ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୋଲିସ ଅଭିଯୋଗ ରଖିବା ବଦଳରେ ତାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏଭଳିକି ସେନା ଅଧିକାରୀଙ୍କୁ ଲକ୍ ଅପ୍ ରେ ରାତିତମାମ ରଖିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କ ବାନ୍ଧବୀ ଅଭିଯୋଗ କରିବାରୁ ତାଙ୍କୁ ଉପସ୍ଥିତ ପୋଲିସ ଅଧିକାରୀ ଅର୍ଦ୍ଧନଗ୍ନ କରି ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ର ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେବେ ଭରତପୁର ଥାନା ଏକ ମଡେଲ ଥାନା ହୋଇଥିଲେ ବି ସେଠାରେ ସିସିଟିଭି କ୍ୟାମେରା କେମିତି ନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଏନେଇ ଖବର ପାଇବା ପରେ ସେନା ଘଟଣାରେ ହସ୍ତକ୍ଷେପ କରିଥିଲା । ସେନାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୋସିଆଲ ମିଡିଆରେ ଟ୍ବିଟ ମଧ୍ୟ କରାଯାଇଥିଲା। ଏହାପରେ ସେନା ଅଧିକାରୀଙ୍କୁ ଛାଡ଼ିବା ସହ ତାଙ୍କ ବାନ୍ଧବୀଙ୍କ ମେଡିକାଲ ଟେଷ୍ଟ କରିଥିଲା ପୋଲିସ । ତେବେ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା। ତେବେ ପୋଲିସ ପୁଣି ଅଲଗା ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ ଆଣିଥିଲେ ମେଜର ।