Crime Story: ଏମିତି ହତ୍ୟାକାଣ୍ଡ... ଜାଣିଶୁଣି ପ୍ରମାଣ ଛାଡ଼ିଲା ଅପରାଧି, ହେଲେ ୨୪ ବର୍ଷ ପରେ ପୋଲିସ ହାତ ଖାଲି

କମ୍ପ୍ୟୁଟରରେ ଟିକଟ ବୁକିଂ କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ଫ୍ରିଜରୁ ଆଇସ୍କ୍ରିମ କାଢ଼ି ଖାଇଥିଲା। ଘରର ଗାଧୁଆ ଘର ବି ବ୍ୟବହାର କରିଥିଲା। ହତ୍ୟାକାରୀ ନିଜର ପୋଷାକ ସେହି ଘରେ ଛାଡ଼ିଥିଲା। ସେ ନିଜର ସ୍ବେଟର, ଟୋପି ଇତ୍ୟାଦି ଛାଡ଼ି ଯାଇଥିଲା। ଘରର ବିଭିନ୍ନ ସ୍ଥାନରେ ଆଙ୍ଗୁଳି ଛାପ, ଡିଏନଏ ନମୂନା ମଧ୍ୟ ଛାଡ଼ିଥିଲା। ଘରର ଦୃଶ୍ୟ ଯେମିତି ଲାଗୁଥିଲା, ହତ୍ୟାକାରୀ ପୁଲିସକୁ ଏକ ପ୍ରକାର ଆହ୍ବାନ ଦେଉଥିଲା।

ହତ୍ୟାକାରୀକୁ ଖୋଜିବାକୁ ୩ ଲକ୍ଷ ପୋଲିସ

ଗୋଟିଏ ପରିବାରର ଚାରି ଜଣଙ୍କୁ ଘର ଭିତରେ ବିଭତ୍ସ ଭାବେ ହତ୍ୟା କରାଗଲା। ତଦନ୍ତ ପାଇଁ ନିୟୋଜିତ ହୋଇଥିଲେ ଦୁଇ ଲକ୍ଷ ୮୦ ହଜାର ତଦନ୍ତକାରୀ ପୁଲିସ ଅଧିକାରୀ। କିନ୍ତୁ ଏହି ଘଟଣାକୁ ୨୪ ବର୍ଷ ବିତିଯାଇଥିବା ସତ୍ତ୍ବେ ଆଜି ବି ପୁଲିସ ହାତ ଖାଲି। ଏଭଳି ଆଖି ଖୋସି ହେବା ଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଟୋକିଓର ସେତାଗୟାରେ ଘଟିଥିଲା। ଅପରାଧୀ ସମସ୍ତ ପ୍ରମାଣ ଘଟଣା ସ୍ଥଳରେ ଛାଡ଼ି ଦେଇଆସିଥିବା ସତ୍ତ୍ବେ ଧରାନପଡ଼ିବା ସବୁଠାରୁ ବଡ଼ ରହସ୍ୟଜନକ। ହତ୍ୟାକାରୀର ଡିଏନଏ, ଆଙ୍ଗୁଳି ଛାପ, ପୋଷାକ ଜବତ କରାଯାଇ ପରୀକ୍ଷା କରାଯାଇଥିଲା। କିନ୍ତୁ ଜାପାନ ଇତିହାସରେ ଆଜି ବି ଏହା ରହସ୍ୟଜନକ ହୋଇରହିଛି। ୨୦୨୪ ଡିସେମ୍ବର ୩୦ରେ ଏହି ହତ୍ୟାକାଣ୍ଡକୁ ୨୪ ବର୍ଷ ପୁରିବା ପରେ ପୁଣି ଚର୍ଚ୍ଚାକୁ ଘଟଣା ଆସିଛି।

ମିଆଜାଓ୍ଵା ପରିବାରରେ ରକ୍ତର ତାଣ୍ଡବ

ଟୋକିଓର ସେତାଗୟାର ମିଆଜାଓ୍ଵା ପରିବାର। ମିକିଓ ମିଆଜାୱା ଜଣେ ୪୪ ବର୍ଷୀୟ ବ୍ୟକ୍ତି। ସେ ଏକ ମାର୍କେଟିଂ କମ୍ପାନିରେ କାମ କରୁଥିଲେ। ତାଙ୍କ ୪୧ ବର୍ଷୀୟା ପତ୍ନୀ ୟାସୁକୋ ଜଣେ ଗୃହିଣୀ। ସେମାନଙ୍କର ଦୁଇ ସନ୍ତାନ। ୬ ବର୍ଷର ପୁଅ ରେଇ ଏବଂ ୮ ବର୍ଷର ଝିଅ ନୀନା। ହସଖୁସିରେ ପରିବାର କଟୁଥିଲା। ସେଦିନ ଥାଏ ୨୦୦୦ ମସିହା ଡିସେମ୍ବର ୩୦ ସନ୍ଧ୍ୟା। ପରିବାର ସଦସ୍ୟ ନିଜର କାମରେ ବ୍ୟସ୍ତ ଥାଆନ୍ତି। ମିକିଓ କମ୍ପ୍ୟୁଟରରେ କିଛି କାମ କରୁଥାନ୍ତି। ୟାସୁକୋ ଓ ଝିଅ ନୀନା ବିଶ୍ରାମ ନେଉଥିବା ବେଳେ ପୁଅ ରେଇ ଶୋଇଥିଲେ। ସେଦିନ ରାତିରେ କେହି ଅଜଣା ବ୍ୟକ୍ତି ମିଆଜାୱାଙ୍କ ଘରେ ପଶି ପରିବାରର ଚାରି ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ତା'ପରେ ଘର ଭିତରେ ଘଣ୍ଟା ଘଣ୍ଟା ବିତାଇଥିଲା। କମ୍ପ୍ୟୁଟରରେ ଟିକଟ ବୁକିଂ କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ଫ୍ରିଜରୁ ଆଇସ୍କ୍ରିମ କାଢ଼ି ଖାଇଥିଲା। ଘରର ଗାଧୁଆ ଘର ବି ବ୍ୟବହାର କରିଥିଲା। ହତ୍ୟାକାରୀ ନିଜର ପୋଷାକ ସେହି ଘରେ ଛାଡ଼ିଥିଲା। ସେ ନିଜର ସ୍ବେଟର, ଟୋପି ଇତ୍ୟାଦି ଛାଡ଼ି ଯାଇଥିଲା। ଘରର ବିଭିନ୍ନ ସ୍ଥାନରେ ଆଙ୍ଗୁଳି ଛାପ, ଡିଏନଏ ନମୂନା ଛାଡ଼ି ଦେଇଯାଇଥିଲା। ଘରର ଦୃଶ୍ୟ ଯେମିତି ଲାଗୁଥିଲା, ହତ୍ୟାକାରୀ ପୁଲିସକୁ ଏକ ପ୍ରକାର ଆହ୍ବାନ ଦେଉଥିଲା।

ସେ ସକାଳ ରକ୍ତ ଭିଜା ଥିଲା

୩୧ ଡିସେମ୍ବର। ୟାସୁକୋଙ୍କ ମା ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ କିମ୍ବା ଘରର କୌଣସି ସଦସ୍ୟ ଫୋନ୍ ଉଠାଇନଥିଲେ। ତେଣୁ ସେ ସେଦିନ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚି ଯାହା ଦେଖିଲେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିଲା ଭଳି ଲାଗିଲା। ପରିବାରର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ମିକିଓ ତଳେ ପଡ଼ିଥିଲେ। ତାଙ୍କୁ ଛୁରୀରେ ବାରମ୍ବାର ଆଘାତ କରାଯାଇଥିଲା। ତଣ୍ଟି କାଟି ହତ୍ୟା କରାଯାଇଥିଲା। ପିଲାଙ୍କ କୋଠରୀରେ ୟାସୁକ ଓ ନୀନାଙ୍କ ଶବ ପଡ଼ିଥିଲା। ସାନ ପୁଅ ରେଇଙ୍କୁ ଶୋଇଥିବା ଅବସ୍ଥାରେ ଗଳା କାଟି ହତ୍ୟା କରାଯାଇଥିଲା।

ଘର ସାରା ମାଳ ମାଳ ପ୍ରମାଣ ଥିଲା, ତଥାପି…

ସାଧାରଣତଃ ହତ୍ୟାକାଣ୍ଡରେ ଅପରାଧର ଆଙ୍ଗୁଳି ଛାପ, ରକ୍ତ, ଚୁଟି, ପୋଷାକ, ପାଦ ଚିହ୍ନ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିଥାଏ। ସେତାଗୟା ଘଟଣାରେ ପୁଲିସ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ଥିଲା। ହତ୍ୟାକାରୀର ରକ୍ତ ଛିଟା ବି ମିଳିଥିଲା। ହତ୍ୟାକାରୀ ଘରର କାନ୍ଥ, କାଗଜ ଏବଂ ଆଇସ୍କ୍ରିମ ଡବାରେ ଆଙ୍ଗୁଳି ଛାପ ଛାଡ଼ିଯାଇଥିଲା। ଘର ସାରା କାଗଜପତ୍ର ଫିଙ୍ଗିଥିଲା। ଯେଉଁ ସ୍ବେଟର ସେ ଛାଡ଼ିଯାଇଥିଲେ ଏହା କୋରିଆରେ ତିଆରି ହୋଇଥିବା ଜଣାପଡ଼ିଥିଲା। ଜାପାନର ନିର୍ଦ୍ଦିଷ୍ଟ ଦୋକାନରେ ଏହି ଧରଣର ସ୍ବେଟର ବିକ୍ରି ହେଉଥିବା ଜଣାପଡ଼ିଥିଲା। ସ୍ବେଟର ବିକ୍ରି କରୁଥିବା ଦୋକାନିଙ୍କ ଠିକଣା ପୁଲିସ ଠାବ କରିଥିଲା। ଜାଣିବାକୁ ପାଇଥିଲେ ଯେ ନିର୍ଦ୍ଦିଷ୍ଟ ଭାବେ ସେହି ଧରଣର ସ୍ବେଟର ମାତ୍ର କିଛି ପରିମାଣର ବିକ୍ରି ହୋଇଛି। ଏହା ସତ୍ତ୍ୱେ ତଦନ୍ତକାରୀ ଅଧିକାରୀ ହତ୍ୟାକାରୀ ନିକଟରେ ପହଞ୍ଚି ପାରିଲେ ନାହିଁ। ହତ୍ୟାକାରୀର କୋରିଆ ସହିତ ସମ୍ପର୍କ ଥିବା ପୁଲିସ ସନ୍ଦେହ କଲା। ଏହି ପରିବାର ସାଧାରଣ ପରିବାର ହୋଇଥିବାରୁ ଏମାନଙ୍କର କାହା ସହିତ ଶତ୍ରୁତା ନଥିଲା। ତେବେ କାହିଁକି ଏ ହତ୍ୟା?

ସମ୍ପର୍କୀୟ ନାଁ ସିରିଏଲ୍ କିଲର୍?

ଗୋଟିଏ କଥା ନିଶ୍ଚୟ ବିଚିତ୍ର ଲାଗୁଥିଲା। ମିୟାଜାୱା ପରିବାର ସେତାଗୟା ୱାର୍ଡରେ ଏକ ଛୋଟ ଘରେ ରହୁଥିଲେ। ତାଙ୍କର ଘର ଏଭଳି ଏକ ଅଞ୍ଚଳରେ ଥିଲା, ଯେଉଁଠାରେ ବେଶି ଲୋକ ରହୁନଥିଲେ। ସେହି ଅଞ୍ଚଳରେ ୨୦୦୦ ମସିହା ପୂର୍ବରୁ ଅନେକ ଲୋକ ତାଙ୍କର ଘର ବିକ୍ରି କରି ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ମିୟାଜାଓ୍ଵା ପରିବାରକୁ ଯଦି କେହି ଯିବା ଆସିବା କରିବେ ଏ ସମ୍ପର୍କରେ କିଛି ବି ଜଣାପଡ଼ିବ ନାହିଁ। ଏହି ପରିସ୍ଥିତିରେ ହତ୍ୟାକାରୀଙ୍କୁ ନେଇ ବିଭିନ୍ନ ପ୍ରକାରର ଅନୁମାନ ଲାଗିଥିଲା। କିଛି ଲୋକଙ୍କର ସନ୍ଦେହ ଥିଲା ଯେ ଜାପାନରେ ରହୁଥିବା କେହି ବିଦେଶୀ ଏଭଳି କାଣ୍ଡ ଘଟାଇଥିଲା। କେହି ସମ୍ପର୍କୀୟ ଏହି ହତ୍ୟା କରିଥିବା ମଧ୍ୟ କଥା ଉଠିଥିଲା। କେହି ସମ୍ପର୍କୀୟ ବାହାର ଲୋକଙ୍କୁ ଲଗାଇ ଏଭଳି ହତ୍ୟା କରିଥିବା ମଧ୍ୟ ଚର୍ଚ୍ଚା ହେଲା। ଘରର କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇନଥିଲା। ତେଣୁ ଲୁଟପାଟ ଯୋଗୁ ଏହି ହତ୍ୟାକାଣ୍ଡ ହୋଇନଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ହତ୍ୟାକାରୀ ଘର ସାରା ଯେଭଳି ପ୍ରମାଣ ଛାଡ଼ିଦେଇ ଯାଇଥିଲା, ଏହା କେହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି କିମ୍ବା ସିରିଏଲ୍ କିଲରର କାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲା।

ହତ୍ୟାକାରୀଙ୍କ ମୁଣ୍ଡ ୨୦ ନିୟୁତ ୟେନ୍

ଏହି ମାମଲାରେ ପୁଲିସକୁ ପ୍ରମାଣ ଯୋଗାଡ଼ କରିବାକୁ ବେଶି କଷ୍ଟ କରିବାକୁ ପଡ଼ିନଥିଲା। ଘର ସାରା ହତ୍ୟାକାରୀ ନିଜର ପ୍ରମାଣ ଛାଡ଼ିଦେଇଯାଇଥିଲା। ଜାପାନ ଇତିହାସରେ ଏହା ସବୁଠାରୁ ରହସ୍ୟଜନକ ହତ୍ୟାକାଣ୍ଡ ଥିଲା। ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୦ ହଜାର ପୁଲିସ ଅଧିକାରୀ କାମ କରିସାରିଲେଣି। ୧୨ ହଜାର ୫୪୫ରୁ ଅଧିକ ପ୍ରମାଣ ସଂଗ୍ରହ କରିସାରିଛନ୍ତି। ମିଆଜାଓ୍ଵା ପରିବାର ଆଜି ବି ନ୍ୟାୟ ପାଇଁ ଅପେକ୍ଷା କରିବସିଛନ୍ତି। ପ୍ରତି ବର୍ଷ ଜାପାନ ଗଣମାଧ୍ୟମରେ ଏହି ହତ୍ୟାକାଣ୍ଡ ସାମନାକୁ ଆସିଛି। ପରିବାର ଲୋକେ ଗଣମାଧ୍ୟମ ସାମନାକୁ ଆଜି ବି ଆସୁଛନ୍ତି। ଛୋଟିଆ ଆଶାର ଆଲୁଅ ଦିକି ଦିକି ହୋଇ ଜଳୁଛି। ଗତ ମାସରେ ଜାତୀୟ ପୁଲିସ ଏଜେନ୍ସି ଏହି ମାମଲାରେ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ସୂଚନା ପ୍ରଦାନକାରୀଙ୍କୁ ୩ ନିୟୁତ ୟେନ୍ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏକ ଘରୋଇ ସଂସ୍ଥାରୁ ଦିଆଯାଉଥିବା ୧୭ ନିୟୁତ ୟେନକୁ ମିଶାଇ ମୋଟ ୨୦ ନିୟୁତ ୟେନ୍ ପୁରସ୍କାର ଘୋଷଣା କରାଯାଇଛି। ଏଠି ପ୍ରଶ୍ନ ଉଠୁଛି, ଏହି ହତ୍ୟାକାଣ୍ଡ କଣ ବିଶ୍ବ ଇତିହାସରେ ବିରଳ ହୋଇ ରହିଯିବ?