Cough Syrup Bust
ଏବେ ନୂଆ ନିଶା କଫସିରପ୍ କବଳରେ ନିଶାଡ଼ି। ଶସ୍ତା ଓ ସଜହରେ ଉପଲବ୍ଧ ହେଉଥିବାରୁ କିଣି ନେଉଛନ୍ତି, ରାଜ୍ୟ ବାହାରୁ ଏହାକୁ ମଗାଇ ବେଆଇନ୍ ଚୋରାଚାଲାଣ କରି ମାଲାମାଲ୍ ହେଉଛନ୍ତି ବେପାରୀ। ଗତକାଲି ଭୁବନେଶ୍ବର ଓ କଟକରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଡ୍ରଗ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ରାତିଅଧିଆ ରେଡ୍ କରାଯାଇ ୨୬ ହଜାରରୁ ଅଧିକ ପରିମାଣର କଫ୍ ସିରପ୍ ଜବତ କରି ବିହାର ପାଟନାରୁ ଏସବୁକୁ ମଗାଇଥିବା ବ୍ୟବସାୟୀକୁ ବାନ୍ଧିଛି। ତେବେ ଏତେ ପରିମାଣର କଫ୍ ସିରପ୍ କେଉଁଠୁ ଆସୁଥିଲା, କୁଆଡ଼େ ଯାଉଥିଲା ? ତା' ଚେର ଖୋଜିବାକୁ ଗୁଇନ୍ଦା ତଥ୍ୟ ନିଆଯାଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।
ବିହାର ପାଟନାରୁ କୋରିୟରରେ ଟ୍ବିନସିଟିକୁ ଆସୁଛି ବେଆଇନ୍ କଫ ସିରପ୍। ମେଡିସିନ୍ ଦୋକାନ ବଦଳରେ ନିଶା ବେପାରୀଙ୍କ ପାଖକୁ ଚାଲାଣ ହେଉଛି। ଯାହାକୁ ଗତକାଲି ଭୁବନେଶ୍ବର ଓ କଟକରେ ରାତି ଅଧିଆ ରେଡ୍ କରି ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଡ୍ରଗ୍ କଣ୍ଟ୍ରୋଲର। ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କୋରିୟର ସଂସ୍ଥା ଗୋଦାମରୁ ସିଜ୍ ବେଳେ ଜବତ ହୋଇଛି ପ୍ରାୟ ୧୩ ହଜାରରୁ ଅଧିକ ସଂଖ୍ୟାରେ ବେଆଇନ୍ କୋଡିନ ଫସଫେଟ୍ କଫ ସିରପ୍ ବୋତଲ। ସେମିତି କଟକର ବାଦାମବାଡ଼ିସ୍ଥିତ ଏଲଆଇସି କଲୋନୀ ନିକଟରେ ଅନ୍ୟ ଏକ ଗୋଦାମରୁ ବି ୧୩ ହଜାରରୁ ଅଧିକ ବୋତଲକୁ ମିଶାଇ ମୋଟ୍ ୨୬ ହଜାର ୬ଶହରୁ ଅଧିକ କଫ ସିରଫ୍ ସିଜ୍ କରାଯାଇଛି। କୋରିୟର ଜରିଆରେ ଏତେ ପରିମାଣର ବେଆଇନ୍ କଫ୍ ସିରପ୍ ମଗାଇ ଚୋରା ଚାଲାଣ କରୁଥିବା ଭୁବନେଶ୍ବର ଭରତପୁର ଅଞ୍ଚଳର ଅଂଶୁମାନ ଅଭିଜିତ୍ ସାହୁକୁ ଗିରଫ କରାଯାଇଛି। ତା ନିକଟରୁ ୨୫ଲକ୍ଷ ୪୧ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।
ତେବେ ଏଠି ପ୍ରଶ୍ନ, ଯେଉଁ କଫ୍ ସିରପ୍ ଔଷଧ ଦୋକାନରେ ମିଳିବା କଥା, ଡାକ୍ତରଙ୍କ ପ୍ରେସକିପସନରେ ଦିଆଯିବା କଥା, ତାହା କୋରିୟର ସଂସ୍ଥା ଦ୍ବାରା ମଗାଇ କୁଆଡ଼େ ବିକ୍ରି କରିଥାନ୍ତେ ଗିରଫ ଅଂଶୁମାନ ? ଯଦି ଏତେ ପରିମାଣର କଫ୍ ସିରପ ମାଗାଇଥିଲେ, କାହିଁକି ତାର ସଠିକ୍ ବିଲ୍ ନଥିଲା ? ଏସବୁର ତଦନ୍ତ ଚାଲିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ତେବେ ଏହା କେବଳ ଟ୍ବିନସିଟିରେ ବିକ୍ରି ପାଇଁ ଆସିଥିଲା ନା ରାଜ୍ୟର ଅନ୍ୟ କେଉଁ ସବୁ ସ୍ଥାନକୁ ଚାଲାଣ ହେବାକୁ ଥିଲା, ତା' ଚେର ଖୋଜିବାକୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି। ତେବେ ରାଜଧାନୀରେ ଚଢ଼ାଉ ସମୟରେ ଡ୍ରଗ୍ ଇନସପେକ୍ଟର ସ୍ପଷ୍ଟ ଭାବେ କହିଥିଲେ ଏଭଳି କଫସିରପ୍ ବିନା ଡାକ୍ତରୀ ପରାମର୍ଶରେ ସେବନ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।
କୁହାଯାଉଛି କମ୍ ଦାମ୍ ଓ ସହଜରେ ଚୋରାରେ ମିଳୁଥିବାରୁ, କଫ୍ ସିରପ୍ ଏବେ ନିଶାଖୋରଙ୍କ ପ୍ରଥମ ପସନ୍ଦ ପାଲଟିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବି ନିୟମିତ ଭାବେ ଏହାର ଚୋରା କାରବାରର ଖବର ଆସିବାରେ ଲାଗିଛି। ଆଜି ବୁର୍ଲା ପୋଲିସ୍ ପକ୍ଷରୁ ପାଟ୍ରୋଲିଂ ବେଳେ ବୋଲେରପଡ଼ା ଛକ ପାଖରେ ୩ଜଣ ଯୁବକ ଓ ଜଣେ ମହିଳାଙ୍କଠାରୁ ୮୪୦ ବୋତଲ କଫ୍ ସିରପ୍ ସାଙ୍ଗକୁ ବହୁ ନିଶା ଇଞ୍ଜେକସନ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754064101.jpg)